କୋଲକାତା: ଆଜି(ଶନିବାର) ନନ୍ଦିଗ୍ରାମ ଗସ୍ତ କରିଛନ୍ତି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖର । ରାଜ୍ୟପାଳ ସେଠାରେ ପହଞ୍ଚି ନିର୍ବାଚନୀ ହିଂସା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ଘଟଣାର ଯାଞ୍ଚ କରିଛନ୍ତି । ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପରେ ନନ୍ଦିଗ୍ରାମରେ ତୀବ୍ର ହିଂସାକାଣ୍ଡ ଘଟିଥିଲା ।
ରାଜ୍ୟପାଳ ଜଗଦୀପ ଧନଖର ଶନିବାର ସକାଳେ ହରିପୁର ହେଲିପ୍ୟାଡ ମଇଦାନରେ ଅବତରଣ କରିଥିଲେ । ତାଙ୍କୁ ସେଠାରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀ ସ୍ବାଗତ କରିଥିଲେ । ତେବେ ଶୁକ୍ରବାର ସେ ନନ୍ଦିଗ୍ରାମ ନିର୍ବାଚନୀ ହିଂସା ଘଟଣାର ଯାଞ୍ଚ ପାଇଁ ସେଠାକୁ ଗସ୍ତ କରିବେ ବୋଲି ଟ୍ବିଟ୍ ଯୋଗେ ସୂଚନା ଦେଇଥିଲେ ।
‘ପଶ୍ଚିମବଙ୍ଗ କୋରୋନା ସଙ୍କଟ ଦେଇ ଗତି କରୁଛି । ସେହି ସମୟରେ ଏଭଳି ନିର୍ବାଚନୀ ହିଂସା ଦୁଃଖଦାୟକ । ଏଭଳି ହିଂସା ସମ୍ପର୍କରେ ଆଗରୁ ମୁଁ କେବେ ଶୁଣିନାହିଁ । ତେଣୁ ଏହିସବୁ ଘଟଣା ଉପରେ ଧ୍ୟାନ ଦେବାକୁ ମୁଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିବି’ ବୋଲି ରାଜ୍ୟପାଳ ଧନଖର କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ