ନୂଆଦିଲ୍ଲୀ: ଆଜି ଉପରାଷ୍ଟ୍ରପତି ଏମ. ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ବାଚସ୍ପତି ଓମ ବିର୍ଲା ମିଳିତ ଭାବେ ‘ସଂସଦ ଟିଭି’ର ଶୁଭାରମ୍ଭ କରିବେ । ସଂଧ୍ୟା ୬ ଟାରେ ସଂସଦ ଭବନରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ଟିଭିର ହେବ ଶୁଭାରମ୍ଭ । ଅନ୍ତରାଷ୍ଟ୍ରୀୟ ଲୋକତନ୍ତ୍ର ଦିବସ ଅବସରରେ ମଧ୍ୟ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।
ସଂସଦ ଟିଭି...
ଚଳିତ ବର୍ଷ ଫେବୃୟାରୀରେ ଲୋକସଭା ଟିଭି ଏବଂ ରାଜ୍ୟସଭା ଟିଭିର ମିଶ୍ରଣ ପାଇଁ ସରକାର ବିଦ୍ଧିବଧ ଭାବେ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ଗତ ମାର୍ଚ୍ଚରେ ସଂସଦ ଟିଭି ପାଇଁ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିଯୁକ୍ତି କରାଗଲା। ବୟନଶିଳ୍ପ ମନ୍ତ୍ରଣାଳୟର ପୂର୍ବତନ ସଚିବ ରବି କପୁର ସଂସଦ ଟିଭିର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅଛନ୍ତି ।
ସଂସଦ ଟିଭିର କାର୍ଯ୍ୟକ୍ରମ ମୁଖ୍ୟତଃ ଚାରୋଟି ଶ୍ରେଣୀରେ ବିଭକ୍ତ ହେବ । ସଂସଦ ଏବଂ ଲୋକତନ୍ତ୍ର ସମ୍ବନ୍ଧୀୟ ସଂସ୍ଥା ମାନଙ୍କରେ କାର୍ଯ୍ୟ, ପ୍ରଶାସନ ଏବଂ ଯୋଜନା / ନୀତି କାର୍ଯ୍ୟାନ୍ବୟନ, ଭାରତର ଇତିହାସ ଏବଂ ସଂସ୍କୃତି ଓ ସମସାମୟିକ ବିଷୟବସ୍ତୁ ଓ ହିତ ବିଚାରଧାରା ପ୍ରସ୍ତୁତ କରି ପ୍ରସାରଣ କରିବ ।
ପରିଚାଳନା ମଣ୍ଡଳୀ...
ନୂଆ ଚ୍ୟାନେଲରେ ବରିଷ୍ଠ କଂଗ୍ରେସ ନେତା କର୍ଣ୍ଣ ସିଂହ, ଅର୍ଥଶାସ୍ତ୍ରୀ ବିବେକ ଦେବରାୟ, ନୀତି ଆୟୋଗ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଅମିତାଭ କାନ୍ତ ଓ ଆଇନଜୀବୀ ହେମନ୍ତ ବତ୍ରା ଭିନ୍ନ ଭିନ୍ନ ଶୋ'ର ପରିଚାଳନା କରିବେ । ସଂସଦ ଟିଭି ଜାତୀୟ ଓ ଅନ୍ତରାଷ୍ଟ୍ରୀୟ ଦର୍ଶକଙ୍କୁ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ଦେଶର ସଂସ୍ଥାଗୁଡିକ ସମ୍ବନ୍ଧିତ ବିଷୟ ଉପରେ ଉତ୍କୃଷ୍ଟ ଗୁଣବତ୍ତା ବିଶିଷ୍ଟ ବିଷୟବସ୍ତୁ ପରିବେଷଣ କରିବ ।
ଲୋକସଭା/ ରାଜ୍ୟସଭା ଟିଭି LokSabha/Rajyasabha tv ସମ୍ପର୍କରେ...
ଦେଶରେ ଲୋକସଭାର ଗୃହ କାର୍ଯ୍ୟ ଲୋକସଭା ଟିଭି(Loksabha tv) ରେ ସିଧା ପ୍ରସାରଣ କରାଯାଇଥାଏ । ଏହା 1989ରୁ ଚାଲି ଆସୁଛି । ତେବେ ପରବର୍ତ୍ତୀ ସମୟରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସହିତ ପ୍ରଶ୍ନ କାଳ, ଶୂନ୍ୟକାଳ ଓ ସମସ୍ତ ସରକାରୀ କାର୍ଯ୍ୟକ୍ରମର ମଧ୍ୟ ପ୍ରସାରଣ ଆରମ୍ଭ ହୋଇଥିଲା । ଅନ୍ୟପକ୍ଷରେ ବର୍ଷ 2011ରେ ରାଜ୍ୟସଭା (Rajyasabha Tv) ଟିଭିର ଆବିର୍ଭାବ ହୋଇଥିଲା। ରାଜ୍ୟସଭାର ସମସ୍ତ କାର୍ଯ୍ୟକ୍ରମ ସମେତ , ଉପ-ରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷଙ୍କ ସମସ୍ତ ସରକାରୀ କାର୍ଯ୍ୟକ୍ରମର ଏହି ଚ୍ୟାନେଲ ପ୍ରସାରଣ କରିଥାଏ । ଏହାବାଦ ବିଭିନ୍ନ ସରକାର କାର୍ଯ୍ୟକ୍ରମ ସୂଚନା ଓ ବିଷୟବସ୍ତୁ କାର୍ଯ୍ୟକ୍ରମ ମାନ ପ୍ରସ୍ତୁତ କରୁଛି । ତେବେ ବୈଷୟିକ ଜ୍ଞାନ କୌଶଳକୁ ଉପଯୋଗ କରି, ଆହୁରି ପ୍ରଭାବଶାଳୀ କରିବା ପାଇଁ ଉଭୟ ଟିଭିକୁ ମିଶ୍ରଣ କରି ସଂସଦ ଟିଭି ନାମରେ ନୂଆରୂପରେ ସରକାର ଏହାକୁ ଆଜି ଠାରୁ ଶୁଭାରମ୍ଭ କରିବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ