ହାଇଦ୍ରାବାଦ: ଆଉ ନାହାନ୍ତି ସୁର ସାମ୍ରାଜ୍ଞୀ । ଅନେକ ଦିନ ଧରି ଜୀବନ ସହ ସଂଘର୍ଷ କରିବା ପରେ ଶେଷରେ ହାରି ଯାଇଛନ୍ତି ସେ । ଆଜି ଲିଭିଯାଇଛି ତାଙ୍କ ଜୀବନ ଦୀପ । ୯୨ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ଆଜି(ରବିବାର) ସକାଳ ୮ଟା ୧୨ ମିନିଟ୍ ସମୟରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ୨୯ ଦିନ ଧରି ଭେଣ୍ଟିଲେଟରରେ ଥିଲେ ଲତା । ସମସ୍ତଙ୍କୁ ଅଲବିଦା କହି ସାରା ଦେଶକୁ ସ୍ତବ୍ଧ କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ସମସ୍ତଙ୍କ ପ୍ରିୟ କୋକିଳ କଣ୍ଠୀ ତଥା ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକର । କୋରୋନାରେ ପୀଡ଼ିତ ହେବା ପରେ ସେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ।
ସେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥାରେ ସୁଧାର ମଧ୍ୟ ଆସୁଥିଲା । ଲତାଙ୍କୁ ଚଳିତ ଫେବୃଆରୀ ୫ ତାରିଖରେ ପୁଣି ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାରୁ ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ଏବଂ ତାଙ୍କ ଟିମ୍ ତାଙ୍କ ସ୍ବାସ୍ଥ୍ୟର ନିରନ୍ତର ଯତ୍ନ ନେଉଥିଲେ । ଏହି କିମ୍ବଦନ୍ତୀ ଗାୟିକାଙ୍କୁ ଜାନୁଆରୀ 8 ରେ ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅନେକ ଦିନ ଚିକିତ୍ସା ହେବାପରେ ତାଙ୍କ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଆସିଥିଲା । ତାଙ୍କୁ ଭେଣ୍ଟିଲେଟରରୁ ବାହାର କରିଦିଆଯାଇଥିଲେ ବି ହସ୍ପିଟାଲରେ ତାଙ୍କୁ ଅବଜରଭେସନରେ ରଖାଯାଇଥିଲା ।
କିନ୍ତୁ ଶନିବାର ପୁଣି ଖବର ଆସିଥିଲା ଲତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି । ତେଣୁ ପୁନର୍ବାର ତାଙ୍କୁ ଭେଣ୍ଟିଲେଟରକୁ ସ୍ଥାନାନ୍ତର କରାଯାଇଥିଲା । କୋରୋନା ଏବଂ ନିମୋନିଆରେ ସଂକ୍ରମିତ ହେବା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ୯୨ ବର୍ଷରେ ଲତା ପହଞ୍ଚିଥିବାରୁ ଅନେକ ସମୟରେ ତାଙ୍କୁ ବାର୍ଦ୍ଧକ୍ୟ ଜନିତ ସମସ୍ୟା ମଧ୍ୟ ଲାଗି ରହୁଥିଲା । ଏହାପୂର୍ବରୁ, ଭେଟେରାନ ଗାୟିକା ନିଶ୍ବାସ ପ୍ରଶ୍ବାସରେ ପୀଡିତ ହେବା ପରେ ନଭେମ୍ବର 2019 ରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ