ଡେରାଡୁନ: ନିକଟରେ ମୁକ୍ତିଲାଭ କରିଥିବା ଅଭିନେତା ଅଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଅଭିନୀତ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର 'ପୁଷ୍ପା'ର କ୍ରେଜ ଏବେ ଦେଶବ୍ୟାପୀ ଦେଖିବାକୁ ମଳୁଛି । ତେବେ ଏହି ଧାରାରୁ ବାଦ ପଡିନାହିଁ ରାଜନୀତି । ଏହାର ଭିନ୍ନ ଏକ ଛାପ ନିର୍ବାଚନ ମୈଦାନରେ ଦେଖିବାକୁ ମିଳିଛି । ସେ ପୁଣି କେହି ସାଂସଦ କିମ୍ବା ବିଧାୟକ ନୁହଁନ୍ତି ବରଂ ଖୋଦ ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରେ ଚଳଚ୍ଚିତ୍ରର ଚର୍ଚ୍ଚିତ ସଂଳ୍ପାପ ଶୁଣିବାକୁ ମିଳିଛି ।
ଆଜି (ମଙ୍ଗଳବାର) ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଉତ୍ତରାଖଣ୍ଡର ପିଥୋରାଗଡ ଜିଲ୍ଲାର ଗାଙ୍ଗୋଲିହାଟରରେ ଆୟୋଜିତ ଏକ ନିର୍ବାଚନ ରାଲିରେ ଯୋଗ ଦେଇଥିଲେ। ଏହି ସମୟରେ ସେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କୁ ଜବରଦସ୍ତ ପ୍ରଶଂସା କରିବା ପାଇଁ 'ପୁଷ୍ପା' ଚଳଚ୍ଚିତ୍ରର ଏକ ସଂଳାପକୁ ବ୍ୟବହାର କରିଥିଲେ ରାଜନାଥ ।
ରାଜନାଥ କହିଥିଲେ ଆମ ମୁଖ୍ୟମନ୍ତ୍ରୀ ଧାମୀଙ୍କ ନାମକୁ ନେଇ କଂଗ୍ରେସ ଭାବୁଛି ସେ ଫ୍ଲାଓ୍ବାର ବୋଲି । କିନ୍ତୁ ସେ ଫ୍ଲାଓ୍ବାର ଭି ଔର ଫାୟାର ଭି । ପୁଷ୍କର ନା ରୁକେଗା, ନା ଝୁକେଗା । ରାଜନାଥଙ୍କ ଏପରି ସଂଳାପ ଶୁଣି ସେଠାରେ ଉପସ୍ଥିତ ଜନତା ମଧ୍ୟ ବେଶ ଉତ୍ସାହିତ ହୋଇଥିବା ନଜର ଆସିଥିଲା । ରାଜନାଥ କଂଗ୍ରେସକୁ ସମାଲୋଚନା କରି କହିଛନ୍ତି, ଉତ୍ତରାଖଣ୍ଡରେ କଂଗ୍ରେସ ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସ୍ଥିତିରେ ମଧ୍ୟ ନାହିଁ । ତେଣୁ ସେମାନେ ଏପର୍ଯ୍ୟନ୍ତ କୌଣସି ନେତା ଘୋଷଣା କରିନାହାଁନ୍ତି ।
ତେବେ ବିଭିନ୍ନ କ୍ଷେତ୍ରରେ ଚଳଚ୍ଚିତ୍ର ପୁଷ୍ପାର କ୍ରେଜ ଦେଖିବାକୁ ମିଳୁଥିବା ଏଥିରୁ ରାଜନୈତିକ ମୈଦାନ ମଧ୍ୟ ବାଦ ପଡିନାହିଁ । ପ୍ରତିରକ୍ଷା ମନ୍ତ୍ରୀଙ୍କ ମୁହଁରେ ଏହି ସଂଳ୍ପାପ ବର୍ତ୍ତମାନ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ