ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ଅନରକିଲିଂ । ଗୋଣ୍ଡା ଜିଲ୍ଲାରେ ଜଣେ ଯୁବତୀ ଓ ତାଙ୍କ ପ୍ରେମିକଙ୍କୁ ତାଙ୍କର ବାପା ଓ ଭାଈ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟାକାଣ୍ଡ ଘଟାଇବା ପରେ ଯୁବକଙ୍କ ମୃତଦେହ ସ୍ଥାନୀୟ ଏକ ଆଖୁ କ୍ଷେତରେ ଫିଙ୍ଗି ଦିଆଯାଇଥିବା ବେଳେ ଯୁବତୀଙ୍କ ମୃତଦେହକୁ 20 କି.ମି ଦୂର ଅଯୋଧ୍ୟା ନିକଟବର୍ତ୍ତୀ ସାରୁ ନଦୀ କୂଳରେ ପରିବାର ସଦସ୍ୟ ଦାହ କରିଦେଇଥିବା ଜଣାପଡିଛି । ଏହି ହତ୍ୟାକାଣ୍ଡ ସମ୍ପର୍କରେ ଜଣାପଡିବା ପରେ ପୋଲିସ ସମ୍ପୃକ୍ତ ଯୁବତୀଙ୍କ ବାପା ଓ ଭାଇକୁ ଗିରଫ କରି ଜେରା କରୁଛି । ଏହି ହତ୍ୟାକାଣ୍ଡରେ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାମିଲଥିବା କିମ୍ବା ଜାଣିଥିଲେ ସୁଦ୍ଧା ଲୁଚାଇଥିବା ପୋଲିସ ସନ୍ଦେହ କରୁଛି ।
ପୋଲିସ ତଦନ୍ତ ଅନୁସାରେ, ଏହି ହତ୍ୟାକାଣ୍ଡଟି ଗୋଣ୍ଡା ଜିଲ୍ଲାର ଧାନପୁର ପୋଲିସ ଷ୍ଟେସନ ଅଧୀନରେ ଥିବା ମହାନାନ ଗାଁରେ ଘଟିଛି । ସ୍ଥାନୀୟ ପୋଲିସ ଅଧୀକ୍ଷକ ଅଙ୍କିତ ମିତ୍ତଲ କହିଛନ୍ତି, ମହାନାନ ଗାଁର ବାସିନ୍ଦା 19 ବର୍ଷୀୟ ସତୀଶ ନାମକ ଜଣେ ଯୁବକ କେଉଁଆଡେ ନିଖୋଜ ହୋଇଯାଇଥିବା ତାର ପରିବାର ସଦସ୍ୟ ପୋଲିସରେ ଅଭିଯୋଗ କରିଥିଲେ । ଅଭିଯୋଗରେ ତାର ପ୍ରେମ ସମ୍ପର୍କ ନେଇ ମଧ୍ୟ ପରିବାର ପକ୍ଷରୁ ଉଲ୍ଲେଖ କରାଯାଇଥିଲା । ସେହି ଆଧାରରେ ଯୁବତୀଙ୍କ ପରିବାର ସଦସ୍ୟଙ୍କୁ ଏ ସମ୍ପର୍କରେ ପଚାରିଥିଲା ପୋଲିସ । ତେବେ ଏହା ପରେ ହତ୍ୟାକାଣ୍ଡ ସମ୍ପର୍କରେ ସୂଚନା ମିଳିଥିଲା । କେବଳ ସତୀଶ ନୁହେଁ ବରଂ ସମ୍ପୃକ୍ତ ଯୁବତୀଙ୍କୁ ମଧ୍ୟ ତାର ପରିବାର ସଦସ୍ୟ ହତ୍ୟା କରିଥିବା ଜଣାପଡିଥିଲା । ପୋଲିସ ଯୁବକଙ୍କ ମୃତଦେହ ଜବତ କରିବା ସହ ଯୁବତୀଙ୍କର ମୃତଦେହର ଅବଶେଷ ଜବତ କରିଛି ।
ଅଭିଯୁକ୍ତମାନଙ୍କୁ ପ୍ରାଥମିକ ଜେରା ପରେ ହତ୍ୟାକାଣ୍ଡର ପୁରା କାହାଣୀ ପୋଲିସ ହାତରେ ଲାଗିଛି । ସତୀଶର ଯୁବତୀଙ୍କ ସହ ଦୁଇ ବର୍ଷ ହେବ ପ୍ରେମ ସମ୍ପର୍କ ଥିଲା । କିନ୍ତୁ ଯୁବତୀଙ୍କ ପରିବାର ଏହାକୁ ତୀବ୍ର ବିରୋଧ କରୁଥିଲେ । ରବିବାର ସନ୍ଧ୍ୟାରେ ଯୁବତୀଜଣଙ୍କ ସତୀଶଙ୍କୁ ତାଙ୍କୁ ଘରକୁ ଡାକିଥିଲେ । ସତୀଶ ମଧ୍ୟ ସଂଧ୍ୟାରେ ତାଙ୍କ ଘରେ ପହଞ୍ଚିଥିଲେ । ହେଲେ ଏ ସମ୍ପର୍କରେ ପରିବାର ଲୋକେ ଜାଣିପାରି ଉଭୟଙ୍କୁ କାବୁ କରିଥିଲେ । ଉଭୟଙ୍କୁ ଯୁବତୀଙ୍କ ବାପା ଓ ଭାଇ ପିଟିପିଟି ହତ୍ଯା କରିଥିଲେ ।
ଏହା ମଧ୍ୟ ପଢନ୍ତୁ:-ମାହାଙ୍ଗା ନାବାଳିକା ମୃତ୍ୟୁ ଘଟଣା: ଶରତ ନାୟକ ଓ ପିଇଟି ଶିକ୍ଷକ ଗିରଫ
ହତ୍ୟାକାଣ୍ଡ ଘଟାଇବା ପରେ ଯୁବକଙ୍କ ମୃତଦେହ ସ୍ଥାନୀୟ ଏକ ଆଖୁ କ୍ଷେତରେ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ ବାପ-ପୁଅ । ସେହିପରି ଯୁବତୀଙ୍କ ମୃତଦେହକୁ 20 କି.ମି ଦୂର ଅଯୋଧ୍ୟାର ସାରୁ ନଦୀ କୂଳରେ ଦାହ କରିଦେଇ ଫେରିଆସିଥିଲେ ଏହି ଅଭିଯୁକ୍ତମାନେ । ଏବେ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ ଦୁଇଟି ମୃତଦେହର ଅବଶେଷ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 2 ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଜାରି ରଖିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ