କୋରାପୁଟ: ମୁଣ୍ଡରେ କ୍ଲିପ, ବେକରେ ରଙ୍ଗ ବେରଙ୍ଗ ପୋତି ଓ ରୁପା ମାଳି, ହାତରେ ଚୁଡ଼ି, ଶରୀରରେ ହାତବୁଣା କେରେଙ୍ଗ ପୋଷାକ । ପୂରା ପାରମ୍ପରିକ ବେଶଭୂଷା । ଏ ହେଉଛି ଏମାନଙ୍କ ଦୈନନ୍ଦିନ ଜୀବନ ଚର୍ଯ୍ୟା । ଆମେ କହୁଛୁ କୋରାପୁଟ ଗାଦବା ସମ୍ପ୍ରଦାୟ ବା ଗାଦବା ସମୁଦାୟ ମହିଳାଙ୍କ କଥା । ଆଜି ଏମାନଙ୍କ କଥା ଏଥିପାଇଁ ଚର୍ଚ୍ଚାରେ । କାରଣ ଗାଦବା ସମ୍ପ୍ରଦାୟର ସ୍ବତନ୍ତ୍ର ବସ୍ତ୍ରକୁ ଦେଖିବ ଦୁନିଆ । ପଲ୍ଲୀରେ ଧ୍ୟାନ ଆକର୍ଷଣ କରୁଥିବା ଏହି ଆଦିବାସୀଙ୍କ ହାତ ତିଆରି ଦୁର୍ଲଭ ବସ୍ତ୍ର କଥା ଜାଣିବେ ଦେଶବାସୀ । ରାଜଧାନୀ ନୂଆଦିଲ୍ଲୀରେ ପ୍ରଦର୍ଶିତ ହେବ 'କେରେଙ୍ଗ ବସ୍ତ୍ର' ।
ରାଇପଡ଼ାରୁ ରାଜଧାନୀ, ଦେଶ ଦେଖିବ କେରେଙ୍ଗ ବସ୍ତ୍ର:
କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକ ରାଇପଡ଼ାର ଗାଦବା ସମ୍ପ୍ରଦାୟ । ଆଉ ଏହି ସମୁଦାୟର ଦୁଇଜଣ ଆଦିବାସୀ ମହିଳା ସେବତୀ ଶିଶା ଓ ମଣି କିରସାନି ବାହାରି ପଡିଛନ୍ତି ନୂଆଦିଲ୍ଲୀ ଅଭିମୁଖେ । ଚଳିତ ମାସ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଯାଉଛି 'ଜାତୀୟ ସ୍ତରୀୟ ଇଣ୍ଟାକ ଉତ୍ସବ' । ଏହି ଜାତୀୟ ସ୍ତରୀୟ ପ୍ରଦର୍ଶନୀରେ ସାମିଲ ହେବେ ସେବତୀ ଶିଶା ଓ ମଣି କିରସାନି । ଦିଲ୍ଲୀ ଦରବାରରେ ଚମକିବ କୋରାପୁଟ ଗାଦବା ସମ୍ପ୍ରଦାୟର 'କେରେଙ୍ଗ ବସ୍ତ୍ର' । ଲୁପ୍ତପ୍ରାୟ ଏହି ବସ୍ତ୍ରର ପ୍ରଚାର ପ୍ରସାର ପାଇଁ ଜାରି ରହିଛି ଉଦ୍ୟମ ।
ସହଜରେ ମିଳେନି କେରେଙ୍ଗ ଶାଢୀ:
କାହିଁକି ଯାଉଛନ୍ତି ନୂଆଦିଲ୍ଲୀ, ସେ ନେଇ ଇଟିଭି ଭାରତକୁ ପ୍ରତିକ୍ରିୟା ଦେଇ ସେବତୀ ଶିଶା କହିଛନ୍ତି, "ଆମେ ଆମର କେରେଙ୍ଗ ବସ୍ତ୍ର ଦେଖାଇବା ପାଇଁ ଦିଲ୍ଲୀ ଯାଉଛୁ ଆଜ୍ଞା । ସମସ୍ତେ ଶାଢ଼ୀ ପିନ୍ଧୁଛନ୍ତି । ସାଧାରଣ ଶାଢ଼ୀ ସବୁଠି ମିଳେ । ହେଲେ କେରେଙ୍ଗ ଶାଢୀ ସହଜରେ ମିଳେ ନାହିଁ ।"
ସେବତୀ ଶିଶାଙ୍କ କହିବା କଥା, " ଆମେ ଏହି ଶାଢ଼ୀ ହାତରେ ବୁଣିଥାଉ । ବନ ସୂତା, ଖାଲା ସୂତା, ରଙ୍ଗ ସୂତା ଏବଂ ନେଲି ସୂତାରେ କେରେଙ୍ଗ ଶାଢ଼ୀ ବୁଣୁ । ଗୋଟିଏ ଶାଢ଼ୀ ତିଆରିବାକୁ ଦୁଇ ସପ୍ତାହ ଅର୍ଥାତ ୧୫ ଦିନ ସମୟ ଲାଗେ । "
ଇନଟାକ ଉତ୍ସବରେ କେରେଙ୍ଗ ବସ୍ତ୍ର:
ନୂଆଦିଲ୍ଲୀର ଲୋଧି ରୋଡରେ ଚଳିତ ଜାନୁଆରୀ ୨୮ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ଏହି ପ୍ରଦର୍ଶନୀ । ଦେଶ ଦେଖିବ କେରେଙ୍ଗ ବସ୍ତ୍ର । ପ୍ରଦର୍ଶିତ ହେବ ଗାଦବା ସାମ୍ପ୍ରଦାୟର ଏହି ପାରମ୍ପରିକ ଏବଂ ଅର୍ଗାନିକ ‘କେରେଙ୍ଗ ବସ୍ତ୍ର’ । ଲୁପ୍ତପ୍ରାୟ ଏହି ବସ୍ତ୍ରର ପ୍ରଚାର ପ୍ରସାର ହୋଇପାରିବ । ପୂର୍ବରୁ ଇନଟାକ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବୟନ ବିଭାଗର ସହଯୋଗରେ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରାଯାଇ ପାରିଛି ।
କିପରି ପ୍ରସ୍ତୁତ ହୁଏ କେରେଙ୍ଗ ବସ୍ତ୍ର ?
ସାଧାରଣତଃ ଅନ୍ୟ ବସ୍ତ୍ରଠାରୁ କେରେଙ୍ଗ ବସ୍ତ୍ର ସ୍ବତନ୍ତ୍ର । କେରଙ୍ଗ ଗଛରୁ ସୂତା ତିଆରି ହୋଇ ବୁଣାଯାଏ ଶାଢ଼ୀ । ଏହାସହ ସିଉନା ଗଛରୁ ମଧ୍ୟ ସୂତା ବାହାର କରାଯାଏ । ସେହିପରି ଜାଫ୍ରା ଗଛରୁ ରଙ୍ଗ ବାହାର କରାଯାଇ, ସୂତାକୁ ପ୍ରାକୃତିକ ରଙ୍ଗ ଦିଆଯାଏ । ସୂତା ପ୍ରସ୍ତୁତି ସରିବା ପରେ ତନ୍ତରେ ପୋଷାକ ବୁଣନ୍ତି ଗାଦବା ସଂପ୍ରଦାୟ ମହିଳା । କୋରାପୁଟ ଜିଲ୍ଲାର ପଟ୍ଟାଙ୍ଗି, ନନ୍ଦପୁର ଓ ଲମତାପୁଟ ବ୍ଲକରେ ରହୁଥିବା ଗାଦବା ଜନଜାତି ଏହି ବସ୍ତ୍ର ବୁଣିଥାନ୍ତି । ଜଙ୍ଗଲରୁ କେରେଙ୍ଗ ଗଛର ଛାଲି ସଂଗ୍ରହ କରି ସେଥିରୁ ବସ୍ତ୍ର ତିଆରି କରନ୍ତି ।
ଶୀଘ୍ର ନଷ୍ଟ ହୁଏନି କେରେଙ୍ଗ ବସ୍ତ୍ର:
କେରଙ୍ଗ ଗଛର ତନ୍ତୁରୁ ସୂତା ବାହାର କରି ସ୍ବତନ୍ତ୍ର ତନ୍ତରେ ବୁଣା ଯାଉଥିବା ଏହି ବସ୍ତ୍ର ଶତାଧିକ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ ରୁହେ । ପିଢି ପରେ ପିଢି ଏହାକୁ ବ୍ୟବହାର କରିପାରିବେ ବୋଲି କହିଛନ୍ତି ଇନଟାକ କୋରାପୁଟ ଚାପ୍ଟରର ଆବାହକ ପ୍ରଫୁଲ୍ଲ ମହାପାତ୍ର ।
କେରେଙ୍ଗ ବସ୍ତ୍ରକୁ ମିଳିବ ନୂଆ ପରିଚୟ :
ଇନଟାକ, ଜିଲ୍ଲା ପ୍ରଶାସନ ତଥା ରାଜ୍ୟ ସରକାରଙ୍କ ବୟନ ବିଭାଗର ସହଯୋଗରେ ଗାଦବା ଜନଜାତିର ଲୁପ୍ତପ୍ରାୟ କେରେଙ୍ଗ ବସ୍ତ୍ରର ପୁନରୁଦ୍ଧାର କରି ନୂତନ ଭାବେ ବସ୍ତ୍ର ବୁଣା ଆରମ୍ଭ କରାଯାଇପାରିଛି । ଲମତାପୁଟର ରାଇପଡା ଗ୍ରାମର ମହିଳା ଓ ପୁରୁଷ ବୁଣାକାର ନୂତନ ଭାବେ ବସ୍ତ୍ର ବୁଣିବା ଆରମ୍ଭ କରିଥିବା ବେଳେ ଏଥିପାଇଁ ସହଯୋଗ କରୁଛି ଇନଟାକ ।
କେରେଙ୍ଗକୁ ପ୍ରସାର ପାଇଁ ମିଳୁଛି ସହାୟତା:
ଗତ କିଛି ବର୍ଷ ହେବ ଗାଦବା ସମ୍ପ୍ରଦାୟ ପାଖରେ ଏହି ପାରମ୍ପରିକ ବସ୍ତ୍ର ଓ ଏହାକୁ ବୁଣିବା ପାଇଁ ବ୍ୟବହାର କରାଯାଉଥିବା ତନ୍ତର ବ୍ୟବହାର ଚିନ୍ତାଜନକ ଭାବେ କମି ଯାଇଛି । ଏଥିପାଇଁ ରାଇପଡାର ମହିଳା ବୁଣାକାରଙ୍କୁ ସହାୟତା ପ୍ରଦାନ କରାଯାଇ ଏହି ବିରଳ ଐତିହ୍ୟକୁ ସୁରକ୍ଷା ପ୍ରଦାନ କରାଯାଇଛି । ଏହି ଯୋଜନାରେ ଜଙ୍ଗଲରେ କେରେଙ୍ଗ ବୃକ୍ଷର ସୁରକ୍ଷା ତଥା ପୁନଃ ପ୍ରସାର ନିମନ୍ତେ ପ୍ରୟାସ କରାଯିବା ସହ ତନ୍ତର ମରାମତି କରିବା ସହ କେରେଙ୍ଗ ସୂତାର ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ବର୍ତ୍ତମାନ ଜଙ୍ଗଲ ଏବଂ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ କେରେଙ୍ଗ, ସିିଉନା ଏବଂ ଜାଫ୍ରା ଗଛ ଲଗାଯାଉଛି ।
ଆଗକୁ ଅନ୍ୟାନ୍ୟ ବସ୍ତ୍ରର ପୁନରୁଦ୍ଧାର ପାଇଁ ବାଟ ଫିଟିବ:
ଓଡ଼ିଶା ମାଟିରେ ଇଣ୍ଟାକ ଦ୍ଵାରା ଏପରି ଏକ ଯୋଜନା ପ୍ରଥମ ଥର ପାଇଁ କରାଯାଇଛି । ଏହାର ସଫଳତା ପରେ ରାଜ୍ୟରେ ଅନ୍ୟାନ୍ୟ ଲୁପ୍ତ ପ୍ରାୟ କଳାକୁ ଜୀବନ ଦେବା ପାଇଁ ବାଟ ଖୋଲିଯିବାର ସମ୍ଭାବନା ଉଜ୍ଜ୍ବଳ ରହିଛି । ବର୍ତ୍ତମାନ ରାଜ୍ୟ ସରକାର ଏହି ବସ୍ତ୍ରର ପୁନରୁଦ୍ଧାର କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଓ ଭବିଷ୍ୟତରେ ବନ ବିଭାଗ, ଆଦିବାସୀ ସମନ୍ୱୟ ବିଭାଗ ତଥା ବୟନ ଶିଳ୍ପ ବିଭାଗର ମିଳିତ ପ୍ରୟାସରେ ଏହା ଏକ ନୂତନ ଦିଗ ପାଇବ ବୋଲି ଆଶା କରାଯାଉଛି ।
ଇନଟାକ କୋରାପୁଟ ଚାପ୍ଟରର ଆବାହକ ଡଃ ପ୍ରଫୁଲ୍ଲ ମହାପାତ୍ର କହିଛନ୍ତି, ‘ଆଦିବାସୀ ଗାଦବାଙ୍କ ଗର୍ବ ହେଲା କେରେଙ୍ଗ ବସ୍ତ୍ର । କେରେଙ୍ଗ ବସ୍ତ୍ର ସେମାନେ ଆଗରୁ ବହୁ ପରିମାଣରେ ବୁଣୁଥିଲେ । ସେମାନଙ୍କ ଝିଅମାନେ ବିବାହ କରିବାକୁ ହେଲେ ଏହି ବସ୍ତ୍ର ବୁଣିବା ଶିଖିଥିବା ଆବଶ୍ୟକ । ବାସ୍ ସେ ପରମ୍ପରା ଏବେ ଆଉ ନାହିଁ । ବିବାହ ବେଳେ ମା’ ତା ଝିଅକୁ କେରେଙ୍ଗ ବସ୍ତ୍ର ଦେଉଛି । ସେ ତାଙ୍କ ଝିଅଙ୍କୁ ଦିଅନ୍ତି ଏହିପରି ଭାବେ ଏହି ବସ୍ତ୍ର 4ରୁ 6 ପିଢି ପର୍ଯ୍ୟନ୍ତ ଯାଇପାରିବ ।’
କିପରି ତିଆରି ହୁଏ କେରେଙ୍ଗ ବସ୍ତ୍ର, ଦେଖିବେ ଓ ଶିଖିବେ ଲୋକେ :
ସେ ଆହୁରି କହିଛନ୍ତି, ‘ଏହା ମରିବାକୁ ବସିଥିଲା କୋରାପୁଟ ଇନଟାକ ଚାପ୍ଟର ଓ ଓଡ଼ିଶା ଇନଟାକ ଚାପ୍ଟର ମିଳିତ ଭାବେ ଏହାକୁ ପୁଣି ଥରେ ପୁନରୁଦ୍ଧାର କରିବାକୁ ଲାଗିଥିଲୁ । ଆମେ ଜାଣିନଥିଲୁ ଆମେ ପାରିବୁ କି ନାହିଁ । ଏଥିପାଇଁ ସହଯୋଗ ମିଳିଛି । ଦିଲ୍ଲୀ ବର୍ତ୍ତମାନ ୨ ଜଣ ମହିଳା ଯାଉଛନ୍ତି । ସେମାନେ ତନ୍ତ ନେଇକି ଯାଉଛନ୍ତି । କିପରି ବୁଣନ୍ତି ତାହା ଦେଖାଇବେ । ଏଥିସହ ପୂର୍ବରୁ ମଧ୍ୟ ଯାହା ବୁଣା ହୋଇଛି । ତାହା ସେମାନଙ୍କ ପାଖରେ ଅଛି । ସେ ସବୁ ମଧ୍ୟ ପ୍ରଦର୍ଶିତ ହେବ । ସେଠାରେ ଏମାନଙ୍କୁ ଗାଇଡ କରିବେ ଶାନ୍ତାକାର । ଲୋକଙ୍କୁ ବୁଝାଇବେ ।
ଡଙ୍ଗରିଆଙ୍କ କପଡ଼ାଗୁନ୍ଦା ଭଳି ଗାଦବା ସଂପ୍ରଦାୟର କେରେଙ୍ଗ ବସ୍ତ୍ରର ରହିଛି ନିଆରା ପରମ୍ପରା । କପଡ଼ାଗୁନ୍ଦା ବଜାରରେ ବିକ୍ରି ହେଉଥିବା ବେଳେ, କେରେଙ୍ଗ ବସ୍ତ୍ରର ପ୍ରସାର ପ୍ରସାର ସ୍ତରରେ ରହିଛି । ଏହି ପାରମ୍ପରିକ ପୋଷାକର ଉତ୍ପାଦନ ବଢ଼ାଇବା ସହ ଚାହିଦା ବୃଦ୍ଧି ଉପରେ ଗୁରୁତ୍ବ ଦିଆଯାଉଛି । ଏହି କ୍ରମରେ ରାଜଧାନୀ ଦିଲ୍ଲୀରେ ପ୍ରଦର୍ଶିତ ହେବା ସହ ଭବିଷ୍ୟତରେ ବଜାର ସୃଷ୍ଟି ପାଇଁ ବାଟ ଫିଟିବାର ସମ୍ଭାବନା ସୃଷ୍ଟି ହୋଇଛି ।
କୋରାପୁଟରୁ ସି ଏଚ. ଶାନ୍ତାକାର ଇଟିଭି ଭାରତ