ନୂଆଦିଲ୍ଲୀ: ଶତୃକୁ ଘେରିବାକୁ ଶକ୍ତି ବଢାଇବାରେ ଲାଗିଛି ଭାରତୀୟ ସେନା । ତେବେ ବନ୍ଧୁତ୍ବର ସମ୍ପର୍କକୁ ସୁଦୃଢ କରିବା ପାଇଁ ଭାରତକୁ ଏହି କ୍ଷେତ୍ରରେ ସହଯୋଗର ହାତ ବଢାଉଛି ଆମେରିକା । ଏହାରି ମଧ୍ୟରେ ଆମେରିକା ଭାରତୀୟ ନୌସେନାକୁ ନିଜର ଆଡଭାନ୍ସ ଫାଇଟର ଜେଟ F-A/18 ବ୍ଲକ-3 ସୁପର ହର୍ଣ୍ଣେଟ ଦେବାକୁ ପ୍ରସ୍ତାବ ଦେଇଛି ।
ଆମେରିକା କମ୍ପାନୀ ବୋଇଙ୍ଗ ସୋମବାର ଏକ ଭର୍ଚୁଆଲ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଯେ ଆମେରିକାର ନୌସେନା ସହ ମିଶି କମ୍ପାନୀ F-A/18 ସୁପର ହର୍ଣ୍ଣେଟର ଭାରତ ଏୟାରକ୍ରାଫ୍ଟ କ୍ୟାରିୟର ପାଇଁ ସ୍କି-ଜମ୍ପ ପରୀକ୍ଷଣ କରାଯାଇଛି । ଏହି ପରୀକ୍ଷଣ ସଫଳ ରହିଥିବା କମ୍ପାନୀ ପକ୍ଷରୁ କୁହାଯାଇଛି ।
ବୋଇଙ୍ଗ ଡିଫେନ୍ସର ଇଣ୍ଡିଆ ଫାଇଟର ସେଲ୍ସ ମୁଖ୍ୟ ଅଙ୍କୁର କାଙ୍ଗେଲେକରଙ୍କ କହିବା ଅନୁଯାୟୀ ଏହି ପରୀକ୍ଷଣ ଆମେରିକାର ଏ ନୌସେନା ଏୟାର ଷ୍ଟେସନରେ କରାଯାଇଛି । ଏଥିରେ ଭାରତୀୟ ନୌସେନା ବ୍ୟବହାର କରୁଥିବା ସ୍ଟୋବାର ଅର୍ଥାତ ସର୍ଟ ଟେକ ଅଫ ବଟ୍ ଆରେଷ୍ଟେଡ ରିକୋଭରୀ ଟେକ୍ନୋଲୋଜୀର ବ୍ୟବହାର କରାଯାଇଛି । ଏହା ସ୍କି-ଜମ୍ପର ପ୍ରଥମ ପରୀକ୍ଷଣ ଥିଲା, ଯେଉଁଥିରେ F-A/18 ସୁପର ହର୍ଣ୍ଣେଟ ଭାରତୀୟ ନୌସେନାର ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜରେ ଅପରେଟ କରାଯାଇପାରିବ କି ନାହିଁ ଜଣାପଡିବ ।
ଭାରତୀୟ ନୌସେନା ନିଜର ଏୟାରକ୍ରାଫ୍ଟ କ୍ୟାରିୟର ଆଇଏନଏସ ବିକ୍ରମାଦିତ୍ୟ ପାଇଁ ଋଷ ଫାଇଟର ଜେଟ ମିଗ-29 ବ୍ୟବହାର କରୁଛି । କୋଚି ସିପୟାର୍ଡରେ ନିର୍ମାଣାଧିନ ଭାରତୀୟ ନୌସେନାର ଏକ ସ୍ବଦେଶୀ ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ ବିକ୍ରାନ୍ତ ଖୁବ ଶୀଘ୍ର ତିଆରି ହୋଇଯିବ ।
ଏହାରି ମଧ୍ୟରେ ମିଗର 3ଟି ଏୟାରକ୍ରାଫ୍ଟ ଦୁର୍ଘଟଣାଗ୍ରସ୍ତ ହୋଇସାରିଲାଣି । ଗତ ମାସ 26 ତାରିଖରେ ଗୋଆ ନିକଟରେ ଗୋଟିଏ ମିଗ-29 ଆରବ ସାଗରରେ କ୍ରାସ ହୋଇଯାଇଥିଲା । ଏହା ପରେ ମିଗ-29 ଜେଟକୁ ବଦଳାଇବା ନେଇ ଆରମ୍ଭ ହୋଇଯାଇଥିଲା ଚର୍ଚ୍ଚା । ହେଲେ ଭାରତୀୟ ନୌସେନା ଓ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏବେ ପର୍ଯ୍ୟନ୍ତ କୌଣସି ଫାଇଟର ଜେଟର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ।
ବୋଇଙ୍ଗ କମ୍ପାନୀ ଆମେରିକା ନୌସେନା ପାଇଁ ଯୁଦ୍ଧ ବିମାନ ନିର୍ମାଣ କରିଥାଏ । ଆମେରିକାର ଏୟାରକ୍ରାଫ୍ଟ କ୍ୟାରିୟର ଜାହାଜ କେଟାପୁଲ୍ଟ ଟେକ୍ନୋଲୋଜୀର ବ୍ୟବହାର କରୁଥିବା ବେଳେ ଏବେ ଭାରତୀୟ ନୌସେନାର ସ୍କି-ଜମ୍ପ ଟେକ୍ନୋଲୋଜୀ ଜରିଆରେ ହର୍ଣ୍ଣେଟର ପରୀକ୍ଷା କରିଛି । ଏହି ପରୀକ୍ଷଣ କୌଣସି ଏୟାରକ୍ରାଫ୍ଟ କ୍ୟାରିୟରରେ ନୁହେଁ ବରଂ ମାଟିରେ ସ୍କି-ଜମ୍ପ ପ୍ଲାଟଫର୍ମ ତିଆରି କରି କରାଯାଇଛି ।
ବୋଇଙ୍ଗ କମ୍ପାନୀ ଦାବି କରିଛି ଯେ ସୁପର ହର୍ଣ୍ଣେଟ ଭାରତର ଯୁଦ୍ଧ ଜାହାଜ କ୍ଷମତା ବୃଦ୍ଧି କରିବ । ଏହା ବହୁତ କମ ଦାମରେ ମଧ୍ୟ ଉପଲବ୍ଧ ହେବ । କମ୍ପାନୀ ବାୟ ଇଣ୍ଡିଆ ଫର ଇଣ୍ଡିଆ ଅନ୍ତର୍ଗତ ଏହି ପ୍ରୋଗ୍ରାମକୁ ଆଗକୁ ବଢାଇପାରେ ।