ଲକ୍ଷ୍ନୌ: ଆଗକୁ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ । ପ୍ରଚାର ଏବଂ ରାଲିରେ କମ୍ପୁଛି ୟୁପି । ଭୋଟରଙ୍କୁ ମନାଇବାକୁ ମାଳ ମାଳ ପ୍ରତିଶ୍ରୁତି ବର୍ଷା କରୁଛନ୍ତି ରାଜନୈତିକ ଦଳ । ଏହି ପରିପ୍ରେକ୍ଷୀରେ ଆଜି(ଶୁକ୍ରବାର) ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚାଷୀଙ୍କୁ ବଡ ଭେଟି ଦେଇଛନ୍ତି । ରାଜ୍ୟରେ କୃଷକଙ୍କ ପାଇଁ 50 ପ୍ରତିଶତ ବିଦ୍ୟୁତ ଶୁଳ୍କ ହ୍ରାସ ଘୋଷଣା କରିଛନ୍ତି ଯୋଗୀ ସରକାର(UP CM Yogi Adityanath) । ଯେଉଁଥିରେ ରାଜ୍ୟର ଗ୍ରାମାଞ୍ଚଳ ଏବଂ ଅର୍ଦ୍ଧ ଗ୍ରାମାଞ୍ଚଳର ପ୍ରାୟ 13 ଲକ୍ଷ ଉପଭୋକ୍ତା ଉପକୃତ ହେବେ ।
ବିଦ୍ୟୁତ୍ ଟାରିଫ୍ ହ୍ରାସ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଘୋଷଣା କରାଯାଇଛି । କୃଷକଙ୍କ ସୁବିଧା ଏବଂ ସମୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀ ଘରୋଇ ନଳକୂଳର ବିଦ୍ୟୁତ ଦର 50 ପ୍ରତିଶତ ହ୍ରାସ କରିବାକୁ ନିର୍ଣ୍ଣୟ ନେଇଛନ୍ତି । ଯଦ୍ବାରା କୃଷକଙ୍କୁ ବିଦ୍ୟୁତ ନିୟାମକ ଆୟୋଗ ଦ୍ବାରା ନିର୍ଦ୍ଧାରିତ ବିଲ୍ର ଅଧା ଦେୟ ଦେବାକୁ ହେବ ।
ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ମଧ୍ୟ ବିଦ୍ୟୁତ ଶୁଳ୍କ ହ୍ରାସ ନେଇ ଘୋଷଣା କରିଥିଲେ । ବିଧାନସଭା ନିର୍ବାଚନରେ ସମାଜବାଦୀ ପାର୍ଟି କ୍ଷମତାକୁ ଆସିଲେ ଘରୋଇ ଉପଭୋକ୍ତାଙ୍କୁ ୩୦୦ ୟୁନିଟ୍ ଯାଏଁ ମିଳିବ ମାଗଣା ବିଜୁଳି । ଏଥିସହ କୃଷକଙ୍କୁ ମଧ୍ୟ ଜଳସେଚନ ପାଇଁ ନିଶୁଃଳ୍କ ବିଜୁଳି ପ୍ରଦାନ କରାଯିବ ବୋଲି କହିଥିଲେ ଯାଦବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ