ଲକ୍ଷ୍ନୌ: ପୁଣି ଲଜ୍ୟା । ଶିକ୍ଷିକ ବ୍ୟକ୍ତିଙ୍କ ଅଶିକ୍ଷିତ କାମ । ମୋବାଇଲ ଫୋନ ଲୋଭ ଦେଖାଇ ପ୍ରାୟ 50ଜଣ ନାବାଳିକାଙ୍କୁ ଦୁର୍ବ୍ୟବହାର କରିବା ସହିତ ସେମାନଙ୍କ ଭିଡିଓ ବିକ୍ରି କରୁଥିବା ଘଟଣା ସାମ୍ନାକୁ ଆସିଛି । ଏପରି ନିନ୍ଦନୀୟ ଘଟଣା ଘଟିଛି ଉତ୍ତରପ୍ରଦେଶର କାନପୁର ଅଞ୍ଚଳରେ ।
ସୂଚନାଅନୁସାରେ, ରାମ ଭବନ ସିଂହ ନାମକ ଜଣେ ବ୍ୟକ୍ତି ଛୋଟ ଛୋଟ ପିଲାମାନଙ୍କୁ ମୋବାଇଲ ଫୋନରେ ଗେମ ଖେଳିବା ପାଇଁ ଲୋଭ ଦେଖାଇଥିଲେ । ପିଲାମାନେ ତାଙ୍କ କଥାରେ ପ୍ରଲୋଭିତ ହୋଇ ତାଙ୍କ ଘରକୁ ଆସୁଥିଲେ । ସେମାନଙ୍କ ସରଳତାର ଫାଇଦା ଉଠାଇ ରାମ ଭବନ ସେମାନଙ୍କୁ ଯୌନ ଶୋଷଣ କରିବା ସହ ତାଙ୍କର ଅଶ୍ଳିଳ ଭିଡିଓ ତିଆରି କରି ବିକ୍ରି କରୁଥିଲେ । ରାମ ଭବନ ଜଣେ ସରକାରୀ କର୍ମଚାରୀ ବୋଲି ଜଣାପଡିଛି । ପ୍ରାୟ 50ଜଣ ଶିଶୁଙ୍କ ସହ ରାମ ସିଂହ ଏପରି କରିଥିବା କହିଛନ୍ତି ସିବିଆଇର ଜଣେ ଅଧିକାରୀ ।
ଘଟଣା ସାମ୍ନାକୁ ଆସିବା ପରେ ସିବିଆଇ ସିଂଙ୍କ ଘରେ ଚଢାଉ କରି ନଗଦ ଆଠ ଲକ୍ଷ ଟଙ୍କା, ଦୁଇଟି କ୍ୟାମେରା, ଭିଡିଓ ତିଆରି ଉପକରଣ,ଲାପଟପ ଜବତ କରିବା ସହ ରାମ ଭବନଙ୍କୁ ଗିରଫ କରିଛି । ପୀଡିତାମାନେ ତାଙ୍କ ସମ୍ପର୍କୀୟ କିମ୍ବା ଚିତ୍ରକୋଟା ଏବଂ ହାମିପୁର ଅଞ୍ଚଳର ହୋଇଥିବା ନେଇ କହିଛନ୍ତି ଅନୁସନ୍ଧାନକାରୀ ଦଳ । ଘଟଣାରେ ରାମ ଭବନ ବିରୋଧରେ ଦୃଢ ମାମଲା ପାଇଁ ପୀଡିତାମାନଙ୍କ ବିବୃତ୍ତି ରେକର୍ଡ କରିବାକୁ ପିଲାମାନଙ୍କୁ ଖୋଜା ଚାଲିଛି । ନଭେମ୍ବର 24ରେ ସ୍ଥାନୀୟ ଅଦାଲତରେ ମାମଲାର ଶୁଣାଣି ପାଇଁ ରାମ ଭବନଙ୍କୁ ରିମାଣ୍ଡରେ ନିଆ ଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ