ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବାଜି ସାରିଛି ନିର୍ବାଚନୀ ବିଗୁଲ । ଫେବୃୟାରୀ ୧୦ରୁ ୭ଟି ପର୍ଯ୍ୟାୟରେ ୟୁପିରେ ପଡିବ ଭୋଟ୍ । ଏନେଇ କମ୍ପିଲାଣି ପ୍ରଚାର ମୈଦାନ । ଭୋଟରଙ୍କୁ ମନାଇବାକୁ ମଇଦାନକୁ ଓହ୍ଲାଇଲେଣି ବିଭିନ୍ନ ଦଳ । ଏହି ପରିପ୍ରେକ୍ଷୀରେ ନିର୍ବାଚନୀ ରଣକ୍ଷେତ୍ରରେ ଦୁଇ ମୁଖ୍ୟ ପ୍ରତିଦ୍ବନ୍ଦୀ ଅଖିଳେଶ ଯାଦବଙ୍କ ସମାଜବାଦୀ ପାର୍ଟି ଏବଂ ମାୟାବତୀଙ୍କ ବିଏସପିକୁ କଡା ଟକ୍କର ଦେବାକୁ ଜୋରଦାର୍ କ୍ୟାମ୍ପେନ ଆରମ୍ଭ କରିଛି ବିଜେପି ।
୨୦୧୭ ନିର୍ବାଚନର ବିଜୟ ଦୋହରାଇବା ଲକ୍ଷ୍ୟରେ ଭୋଟରଙ୍କ ଘରେ ପହଞ୍ଚିବେ ଯୋଗୀ ସରକାର । ଭାଜପା ଆଜିଠୁ ଉତ୍ତର ପ୍ରଦେଶରେ ଡୋର-ଟୁ-ଡୋର୍ କ୍ୟାମ୍ପେନ ଆରମ୍ଭ କରିବ(BJP to launch door-to-door campaign from today) । ଏନେଇ ଉତ୍ତରପ୍ରଦେଶ ବିଜେପି ମୁଖ୍ୟ ସ୍ବତନ୍ତ୍ର ଦେବ ସିଂହ(BJP’s UP unit chief Swatantra Dev Singh) କହିଛନ୍ତି, ଜନ ବିଶ୍ବାସ ଯାତ୍ରା(Jan Vishwas Yatras) ମାଧ୍ୟମରେ ରାଜ୍ୟର ପ୍ରତିଟି ବିଧାନସଭା କ୍ଷେତ୍ରକୁ ବିଜେପି ସରକାରର ଉପଲବ୍ଧି ସମ୍ପର୍କରେ ଅବଗତ କରିବା ପରେ ଦଳ ମଙ୍ଗଳବାର ଠାରୁ ଘର ଘର ପ୍ରଚାର ଅଭିଯାନ( door-to-door campaign ) ଆରମ୍ଭ କରିବ । ଏହି ଅଭିଯାନ ଅଧିନରେ ଦଳୀୟ ନେତା ଏବଂ କାର୍ଯ୍ୟକର୍ତ୍ତା କୋଭିଡ ନିୟମାବଳୀ ଅନୁପାଳନ କରି ଲୋକଙ୍କ ଘରେ ପହଞ୍ଚିବେ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦ୍ବାରା କୃଷକ, ମହିଳା ଏବଂ ଯୁବବର୍ଗଙ୍କ ସ୍ବାର୍ଥ୍ୟ ପାଇଁ କରାଯାଇଥିବା କଲ୍ୟାଣକାରୀ ଯୋଜନାର ସମ୍ପର୍କରେ ସୂଚନା ଦେବେ ।
ସରକାରୀ ଯୋଜନାରେ ଉପକୃତ ରାଜ୍ୟର ୩.୫୦ କୋଟିରୁ ଊର୍ଦ୍ଧ୍ବ ଲାଭାର୍ଥୀ ଏହି ଡୋର୍ ଟୁ ଡୋର୍ କ୍ଯାମ୍ପେନର ଅଂଶ ହେବେ । ଦଳ ରାଜ୍ୟର ୯୨,୮୨୧ ମତଦାନ କେନ୍ଦ୍ର ଅଧିନରେ ଆସୁଥିବା ପ୍ରତିଟି ଘରକୁ ଯିବାକୁ ଟାର୍ଗେଟ ରଖିଛି । ଏଥିସହ ନିଜର ପ୍ରଚାର ଅଭିଯାନକୁ ବ୍ୟାପକ କରିବା ପାଇଁ ଭାଜପା ମକର ସଂକ୍ରାନ୍ତି ପରେ ବଡ ପରଦା ସହ ଏଲଇଡି ରଥ(LED Raths) ଲଞ୍ଚ କରିବ । ଏହି ରଥ ଉତ୍ତରପ୍ରଦେଶର ସବୁ ବିଧାନସଭା କ୍ଷେତ୍ରରେ ପହଞ୍ଚିବ ଏବଂ ଯୋଗୀ ସରକାରଙ୍କ ସମସ୍ତ କଲ୍ୟାଣକାରୀ ଯୋଜନା ବାବଦରେ ଅବଗତ କରିବ । ସମସ୍ତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଏହି ଅଭିଯାନର ଅଂଶ ହେବେ ବୋଲି ୟୁପି ବିଜେପି ମୁଖ୍ୟ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ସମେତ ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ କମିଶନ ତାରିଖ ଘୋଷଣା କରିଛନ୍ତି । କୋରୋନା ସଙ୍କଟ ମଧ୍ୟରେ ପାଞ୍ଚଟି ରାଜ୍ୟରେ ବିଧାନସଭା ଲଢେଇ ହେବ । ଫେବୃୟାରୀ ୧୦ ତାରିଖରୁ ଭୋଟ୍ ଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ଏବଂ ମାର୍ଚ୍ଚ ୧୦ ତାରିଖରେ ଫଳାଫଳ ଆସିବ ।