ନୂଆଦିଲ୍ଲୀ: ରାଜ୍ୟରେ ହେବାକୁ ଥିବା ଓବିସି ସର୍ଭେକୁ ନେଇ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପ୍ରେସମିଟ୍ କରି ପଛୁଆଙ୍କୁ ସାମ୍ବିଧାନିକ ଅଧିକାର ମିଳିବା ଦରକାର ବୋଲି କହିଲେ କେନ୍ଦ୍ରମନ୍ତ୍ରୀ । ତେବେ ପଛୁଆ ବର୍ଗ କିଏ ତାହାର ତାଲିକା ସରକାରଙ୍କ ପାଖରେ ପୂର୍ବରୁ ରହିଛି । ତେଣୁ ଏହାକୁ ଶୀଘ୍ର ଲାଗୁ କରିବାକୁ ସେ କହିଛନ୍ତି ।
ଏହାସହ ରାଜନୀତିରୁ ଉର୍ଦ୍ଧ୍ବକୁ ଉଠି ସରକାର ଏନେଇ କାର୍ଯ୍ୟ କରନ୍ତୁ । ଓଡିଶାରେ ପଛୁଆ ବର୍ଗ ଲୋକଙ୍କୁ ସାମ୍ବିଧାନିକ ଅଧିକାର ଦିଆଯାଉ । ନବୀନ ସରକାର ଏହାର ଶ୍ରେୟ ପଛେ ନିଅନ୍ତୁ କିନ୍ତୁ ଲାଗୁ କରନ୍ତୁ ବୋଲି ସେ କହିଛନ୍ତି ।
ସରକାର ଓବିସି କମିଶନ ଗଠନ କରି ଏହାର ସର୍ଭେ କରିବାକୁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ମେ ଆରମ୍ଭରୁ ସର୍ଭେ ଆରମ୍ଭ ହୋଇ 20 ତାରିଖରେ ଶେଷ ହେବ । ଜୁନ୍ ପହିଲାରେ ପଛୁଆ ବର୍ଗଙ୍କ ପ୍ରଥମ ଚିଠା ତାଲିକା ପ୍ରକାଶ ପାଇବ ବୋଲି ସରକାର କହୁଛନ୍ତି । ତେବେ ସରକାରଙ୍କ ପାଖରେ ତଥ୍ୟ ଆଗରୁ ରହିଛି, ଏହା କିଛି ନୂଆ ନୁହେଁ ବୋଲି ଧର୍ମେନ୍ଦ୍ର କହିଛନ୍ତି ।