ପାଟନା: ଆରଜେଡି ବିଧାୟକ ଭାଇ ବିରେନ୍ଦ୍ରଙ୍କ ହିନ୍ଦୁ-ମୁସଲିମ ବିବାହ ବୟାନ ପରେ ଉତ୍ତେଜିତ ମନ୍ତବ୍ୟ ରଖିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେ । ଅଶ୍ବିନୀ କହିଛନ୍ତି, କେହି ହିନ୍ଦୁ ଯୁବତୀଙ୍କୁ ଅସମ୍ମାନ କଲେ ସେମାନଙ୍କର ହାତ କାଟି ଦିଆଯିବ । ବିହାର ଆରଜେଡି ବିଧାୟକ ଭାଇ ବିରେନ୍ଦ୍ର ଏହି ପ୍ରସଙ୍ଗ ନେଇ ଭାରତୀୟ ଜନତା ପାର୍ଟିକୁ ସମାଲଚନା କରିଥିଲେ । ବିଜେପି ଏପରି କରି ସମାଜରେ ଭେଦଭାବ ସୃଷ୍ଟି କରୁଛି ଓ ନିଜେ ବିଜେପିର ବରିଷ୍ଠ ନେତାମାନଙ୍କ ଝିଅମାନେ ମୁସଲମାନ ସମ୍ପ୍ରଦାୟରେ ବିବାହ କରିଛନ୍ତି । ଆରଜେଡି ବିଧାୟକ ନିଜର ମତ ପ୍ରମାଣ କରିବାକୁ ଯାଇ ବିଜେପିର ଦିଗଜ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ମୁରଲୀ ମନୋହର ଯୋଶୀଙ୍କ ପରିବାରର ଉଦାହରଣ ଦେଇଥିଲେ । ଯାହାକୁ ନେଇ ରାଜନୈତିକ ବୟାନବାଜୀ ଆରମ୍ଭ ହୋଇଛି ।
ଏହା ପରେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ଚୌବେଙ୍କର କଡା ଚିପ୍ପଣୀ ଆସିଛି । ଏକ ପ୍ରେସମିଟରେ ଚୌବେ କହିଛନ୍ତି, ହିନ୍ଦୁ ଯୁବତୀ କିମ୍ବା ମହିଳାଙ୍କ ଅସମ୍ମାନ ବରଦାସ୍ତ କରାଯିବ ନାହିଁ । ଏପରି କରୁଥିବା ବ୍ୟକ୍ତିଙ୍କ ହାତ କାଟି ଦିଆଯିବ । ସାଧାରଣତଃ ହିନ୍ଦୁ ସମ୍ପ୍ରଦାୟ ବା ସନାତନ ଧର୍ମର ଝିଅମାନେ ଭାରତର ଝିଅ । ସେମାନଙ୍କ ସହ ସମ୍ମାନ ସହ ଖେଳିବାକୁ ସାହସ କରୁଥିବା ଲୋକଙ୍କ ହାତ କାଟିଦେବାକୁ ସେ ଧମକ ଦେଇଥିଲେ । ଯଦି ଆରଜେଡି ନେତାମାନେ ସେମାନଙ୍କ ଝଅଙ୍କୁ ମୁସଲମାନମାନଙ୍କ ସହିତ ବିବାହ କରିବା ପାଇଁ ଚିନ୍ତା କରୁଥାଆନ୍ତି, ତେବେ ସେମାନେ ଏହା କରିପାରନ୍ତି । ହେଲେ ଭାରତ ହିନ୍ଦୁ ରାଷ୍ଟ୍ର ଥିଲା ଓ ହିନ୍ଦୁ ରାଷ୍ଟ୍ର ରହିବ ବୋଲି ଅଶ୍ବିନୀ ଚୌବେ କହିଥିଲେ ।
ଆରଜେଡିର ବିଧାୟକ ଭାଇ ବିରେନ୍ଦ୍ରଙ୍କ ମନ୍ତବ୍ୟ ପରେ ଚୌବେଙ୍କ ଏହି ଉତ୍ତେଜିତ ମନ୍ତବ୍ୟ ଆସିଛି । ଆରଜେଡିର ବିଧାୟକ ଭାଇ ବିରେନ୍ଦ୍ର କହିଥିଲେ, ବିଜେପି ନେତାମାନେ ସେମାନଙ୍କ ଝିଅମାନଙ୍କୁ ବିବାହ କରାଇବା ପରିବର୍ତ୍ତେ ମୁସଲମାନମାନଙ୍କଠାରୁ ରକ୍ଷା କରିବା ଉଚିତ୍ । ବିଜେପି ନେତାମାନେ ସେମାନଙ୍କ ଝିଅମାନଙ୍କ ବିବାହ ମୁସଲିମ ସମ୍ପ୍ରଦାୟରେ କରୁଛନ୍ତି, ହେଲେ ସମାଜରେ ଧର୍ମୀୟ ଭେଦଭାବ ସୃଷ୍ଟି କରୁଛନ୍ତି । ଏପରି ମନ୍ତବ୍ୟ ପରେ ବିଜେପି ଏମଏଲସି ସନ୍ତୋଷ ସିଂ ମଧ୍ୟ କଡା ଟିପ୍ପଣି ରଖିଛନ୍ତି । କହିଛନ୍ତି ଆରଜେଡି ନେତାମାନେ ମାନସିକ ସ୍ତରରେ ବିକାରଗ୍ରସ୍ତ ହୋଇସାରିଛନ୍ତି । ସେଥିପାଇଁ ସେମାନେ ଏପରି କହୁଛନ୍ତି । ହିନ୍ଦୁ ମହିଳା ଏବଂ ଭଉଣୀମାନଙ୍କୁ ଖରାପ ଉଦ୍ଦେଶ୍ୟରେ ଦେଖୁଥିବା ଯୁବକଙ୍କର ଆଙ୍ଗୁଠି କାଟି ଦିଆଯିବା ନେଇ ସେ ମଧ୍ୟ ଚୌବେଙ୍କ ମନ୍ତବ୍ୟ ସହ ସ୍ବର ମିଳାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ