ନୂଆଦିଲ୍ଲୀ: କୋଭିଡ ମହାମାରୀ ମଧ୍ୟରେ ଦେଶର ବିଭିନ୍ନ ଭାଗରେ ଡାକ୍ତର ଓ ବିଭିନ୍ନ ସ୍ବାସ୍ଥ୍ଯକର୍ମୀଙ୍କୁ ଆକ୍ରମଣ ଘଟଣା ମଧ୍ୟ ସାମ୍ନାକୁ ଆସିଛି । ଏପରି ଅଘଟଣ ପାଇଁ ତତ୍ପରତା ଦେଖାଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ଡାକ୍ତରଙ୍କ ସମେତ ସମସ୍ତ ବର୍ଗର ସ୍ବାସ୍ଥ୍ୟ କର୍ମୀଙ୍କୁ ସରକାର କୋଭିଡ ଯୋଦ୍ଧା ଭାବେ ଘୋଷଣା କରିଥିଲେ ମଧ୍ୟ ବିଭିନ୍ନ ସମୟରେ ରୋଗୀଙ୍କ ମୃତ୍ୟୁ ହେବା ପରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଛି । ଡାକ୍ତରଙ୍କ ସହ ପାରା ମେଡିକାଲ ଷ୍ଟାଫମାନେ ମଧ୍ୟ ରୋଗୀଙ୍କ ସମ୍ପର୍କୀୟଙ୍କ ଆକ୍ରମଣର ଶିକାର ହୋଇଛନ୍ତି । ତେବେ ଏପରି ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ନେବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବ ଓ ପ୍ରଶାସକମାନଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରଣାଳୟର ସଚିବ ଅଜୟ ବାହାଲା ।
ଏପରି ଘଟଣା କେଉଁ ରାଜ୍ୟରେ କେତେ ସଂଖ୍ୟାରେ ଘଟିଛି ତାର ରିପୋର୍ଟ ମାଗିଛି କେନ୍ଦ୍ର ଗୃହମନ୍ତ୍ରଣାଳୟ । କେନ୍ଦ୍ର ଗୃହ ସଚିବ ଅଜୟ ଭାଲା ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ପ୍ରଶାସକମାନଙ୍କୁ ଏ ସମ୍ପର୍କିତ ସମସ୍ତ ତଥ୍ଯ ଦାଖଲ ସହ ଏପରି ଘଟଣାରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଚିଠିରେ ଲେଖିଛନ୍ତି । ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ଆକ୍ରମଣ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ସହ ସବିଶେଷ ତଥ୍ୟ କେନ୍ଦ୍ରକୁ ଦେବାକୁ ନିର୍ଦ୍ଦେଶ ଦେଇଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।
ଚଳିତ କୋରୋନା ଦ୍ବିତୀୟ ଲହରରେ ଦେଶର ବିଭିନ୍ନ ସ୍ଥାନରେ ସ୍ବାସ୍ଥ୍ୟସେବାରେ ଅବହେଳା ଦର୍ଶାଇବା ସହ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ଉପରେ ରୋଗୀଙ୍କ ଆକ୍ରମଣର ଚିତ୍ର ସାମ୍ନାକୁ ଆସିଥିଲା । ପରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ସ୍ଥାନରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ସଂଘ ମଧ୍ୟ ଦାବି କରିଥିବା ଦେଖିବାକୁ ମିଳିଥିଲା । ତେବେ ଏହାକୁ ଗମ୍ଭୀରତାର ସହ ନେଇଛି କେନ୍ଦ୍ର ସରକାର । ଏସମ୍ପର୍କିତ ଅଘଟଣ ଘଟିଥିଲେ କେନ୍ଦ୍ର ଗୃହମନ୍ତ୍ରଣାଳୟକୁ ତଥ୍ୟ ଦେବାକୁ ନିର୍ଦ୍ଦେଶ ପରେ କିଛି ଠୋସ କାର୍ଯ୍ୟାନୁଷ୍ଠାନ ନିଆଯାଇପାରେ ବୋଲି ଚର୍ଚ୍ଚା ହେଉଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ