ନୂଆଦିଲ୍ଲୀ: ହୋମ ଆଇସୋଲେସନ ନିୟମକୁ ସଂଶୋଧନ କଲେ କେନ୍ଦ୍ର ସରକାର । ଏଣିକି ୭ ଦିନ ପରେ ହୋମ ଆଇସୋଲେସନରେ ରହିବେନି କୋରୋନା ସଂକ୍ରମିତ । ୭ ଦିନ ପରେ ଜଣଙ୍କୁ ବିନା ପରୀକ୍ଷାରେ କୋରୋନା ମୁକ୍ତ କୁହାଯିବ ।
ତେବେ ପୂର୍ବରୁ କୋରୋନା ଆକ୍ରାନ୍ତଙ୍କୁ ୧୦ ରୁ ୧୫ ଦିନ ହୋମ୍ ଆଇସୋଲେସନରେ ରହିବା ଏବଂ ପରେ କୋଭିଡ ଟେଷ୍ଟ ବାଧ୍ୟତାମୂଳକ ରହିଥିଲା । ସେହିପରି ପୂର୍ବରୁ କୋରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସୁଥିବା ସମସ୍ତଙ୍କର ଟେଷ୍ଟିଂ ବାଧ୍ୟତାମୂଳକ ଥିଲା । ହେଲେ ଏବେ ଲକ୍ଷଣହୀନ କଣ୍ଟାକ୍ଟମାନଙ୍କର ଟେଷ୍ଟିଂ ଜରୁରୀ ନୁହେଁ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।
ଯଦି ଜଣେ ବ୍ୟକ୍ତିଙ୍କ ଠାରେ ଲଗାତର ଭାବେ ୩ ଦିନ ଜ୍ୱର କିମ୍ବା ଅନ୍ୟ କୋରୋନା ଲକ୍ଷଣ ଦେଖନଦିଏ ତେବେ ତାଙ୍କୁ ଆଇସୋଲେସନରୁ ମୁକ୍ତ କରାଯାଇ ପାରିବ । ତାଙ୍କୁ ଦ୍ୱିତୀୟ ଥର ଟେଷ୍ଟ ମଧ୍ୟ କରିବାକୁ ପଡ଼ିବନି ।
ସେହିପରି ୬୦ ବର୍ଷରୁ ଅଧିକ ବୟସ୍କ ଓ ବହୁବିଧ ରୋଗରେ ପୀଡ଼ିତ ଥିବା କୋରୋନା ଆକ୍ରାନ୍ତଙ୍କ ପାଇଁ ସର୍ତ୍ତମୂଳକ ହୋମ ଆଇସୋଲେସନ ନିୟମ ରଖାଯାଇଛି । ଏମାନେ ଡାକ୍ତରଙ୍କ ପରାମର୍ଶ କ୍ରମେ ହୋମ୍ ଆଇସୋଲେସନରେ ରହିପାରିବେ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଗାଇଡଲାଇନରେ କୁହାଯାଇଛି ।