ହାଇଦ୍ରାବାଦ: ଋଷିଆର ଆକ୍ରମଣରେ ଛାରଖାର୍ ହୋଇଯାଇଛି ୟୁକ୍ରେନ । ସବୁଠି ଧ୍ବଂସର ବିଭୀଷିକା । ଘନ ଘନ ବୋମା ଓ ଗୁଳିଗୋଳା ବର୍ଷା ଭିତରେ ୟୁକ୍ରେନ-ଋଷିଆ ମହାସମର ଇତିମଧ୍ୟରେ ୩୬ ଦିନରେ ପହଞ୍ଚିଛି । ଯୁଦ୍ଧ ଦିନକୁ ଦିନ ଲମ୍ବି ଚାଲିଛି ପଛେ କିନ୍ତୁ ଏଥିରେ ବିରାମ ଲାଗୁନାହିଁ । ଯେଉଁଭଳି ଭାବେ ଯୁଦ୍ଧ ଲାଗି ରହିଛି ଏହା କୁହାଯାଇପାରିବ ଯେ, ୟୁକ୍ରେନରେ ଋଷିଆ ସେନାଙ୍କୁ ଏପରି କଡା ମୁକାବିଲାର ସାମ୍ନା କରିବାକୁ ପଡିବ ବୋଲି ରାଷ୍ଟ୍ରପତି ଭ୍ଲାଦମିର ପୁଟିନ କେବେ ଚିନ୍ତା କରିନଥିବେ । ଏପରିକି ୟୁକ୍ରେନର ଯୁଦ୍ଧ ସଙ୍କଟ ସମୟରେ ତାହାକୁ ସାରା ବିଶ୍ବରୁ ଯେ ଏତେମାତ୍ରାରେ ସମର୍ଥନ ମିଳିବ ତାହା ମଧ୍ୟ ଋଷ୍ ଶାସକ ବୋଧହୁଏ କେବେ ଭାବି ନଥିବେ । ତେବେ ଏହା ଋଷିଆ ପାଇଁ ପ୍ରଥମ ଘଟଣା ନୁହେଁ, ଯେତେବେଳେ ତାକୁ ଏପରି ସ୍ଥିତିର ସାମ୍ନା କରିବାକୁ ପଡୁଛି । ଅତୀତରେ ମଧ୍ୟ ଶକ୍ତିଶାଳୀ ଋଷିଆ ପରାଜୟ ବରଣ କରିସାରିଛି ।
୧୯୭୯ ମସିହାରେ ସୋଭିଏତ୍ ଗୁଇନ୍ଦା ସଂସ୍ଥା KGB ଆଫଗାନିସ୍ତାନ ଓ ପାଶ୍ଚତ୍ୟ ରାଷ୍ଟ୍ର ବିଶେଷକରି ଆମେରିକା ମଧ୍ୟରେ ବଢୁଥିବା ସମ୍ପର୍କ ନେଇ ସୋଭିଏତ ସରକାରଙ୍କୁ ସୂଚନା ଦେଇଥିଲା । ସେତେବେଳେ ଏହାକୁ ଋଷିଆ ଏକ ବଡ ବିପଦ ବୋଲି ଭାବି ନେଇଥିଲା ଏବଂ ଆଫଗାନ ସୀମାନ୍ତରେ ଥିବା ସୋଭିଏତ ସଂଘର ସୁରକ୍ଷା ପ୍ରତି ବିପଦ ଥିବା ଚିନ୍ତା କରି ଆଫଗାନିସ୍ତାନ ଉପରେ ଆକ୍ରମଣ କରିବାକୁ ଯୋଜନା ପ୍ରସ୍ତୁତ କରିଥିଲା । ହେଲେ ମସ୍କୋ ପାଇଁ ଯେ ଏହାର ପରିଣାମ କ'ଣ ହେବ ସେ ଦିଗରେ ଧ୍ୟାନ ଦେଇନଥିଲା । ଆଉ ଏହି ହାମଲା ଋଷିଆକୁ ପରାଜିତ କରିବାକୁ ସୋଭିଏତ ଶତ୍ରୁମାନଙ୍କୁ ଏକ ସୁଯୋଗ ଦେଇଥିଲା । ଏହାପରେ ଆମେରିକା ଓ ପାକିସ୍ତାନ ଶତ୍ରୁ ହାତରୁ ପରାଜିତ ଶକ୍ତିଶାଳୀ ରାଷ୍ଟ୍ର ଋଷିଆକୁ ଅପମାନିତ କରିବାକୁ ତାହା ବିରୁଦ୍ଧରେ ଏକ ପ୍ରକ୍ସି ୱାରର ଯୋଜନା ବନାଇଥିଲେ । ଏଥିପାଇଁ ଆମେରିକା ଗୁଇନ୍ଦା ସଂସ୍ଥା CIA ଏବଂ ପାକ୍ ଗୁପ୍ତଚର ଏଜେନ୍ସି ଆଇଏସଆଇ ଗୋପନୀୟ ଭାବେ ଆଫଗାନିସ୍ତାନକୁ କେବଳ ଅସ୍ତ୍ରଶସ୍ତ୍ର ପଠାଇ ନଥିଲେ ବରଂ ସେସବୁକୁ କିପରି ଚଲାଇବେ ସେନେଇ ମଧ୍ୟ ତାଲିମ ଦେଇଥିଲେ । ଆଫଗାନ ସେନାଙ୍କୁ ସହାୟତା ପାଇଁ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ଥିବା ବର୍ଡରଗୁଡିକୁ ମାଧ୍ୟମ କରାଯାଇଥିଲା ଏବଂ ଏହାର ଶରଣାର୍ଥୀଙ୍କୁ ଅନୁମତି ଦିଆଯିବା ସହ ସମସ୍ତ ସୁବିଧା ସୁଯୋଗ ପ୍ରଦାନ କରାଗଲା ।
ମହମ୍ମଦ ୟୁସୁଫ ଏବଂ ମାର୍କ ଏଡକିନ (Mohammad Yousaf and Mark Adkin) ନିଜ ପୁସ୍ତକ ଆଫଗାନସ୍ତାନ: ଦ ବିୟର ଟ୍ରାପ(Afghanistan: The Bear Trap)ରେ କିପରି ପାକିସ୍ତାନ ଏବଂ ଆମେରିକା ମିଳିତ ଭାବେ ଆଫଗାନିସ୍ତାନରେ ସୋଭିଏତ ସଂଘ ବିରୁଦ୍ଧରେ ଗରିଲା ଯୁଦ୍ଧକୁ ସମର୍ଥନ କରିଥିଲେ ତାହାର ଖୁଲାସା କରିଥିଲେ । ପାକିସ୍ତାନୀମାନେ ଧାର୍ମିକ ଏବଂ ଜାତୀୟତା ଆଧାରରେ ଆଫଗାନବାସୀଙ୍କୁ ସହଯୋଗ କରିଥିଲେ ଏବଂ ଆମେରିକା ସୋଭିଏତ ସଂଘକୁ ଦୁର୍ବଳ କରି ବିଶ୍ବରେ ନିଜ ଦବଦବା ବିସ୍ତାର କରିବା ପ୍ରୟାସରେ ଲାଗି ପଡିଥିଲା ।
ଏହି ଦୁଇ ରାଷ୍ଟ୍ରର ଗୋଟିଏ ମାତ୍ର ଲକ୍ଷ୍ୟ ଥିଲା, ଋଷିଆକୁ ହରାଇବା । ପରବର୍ତ୍ତୀ ମୁହୂର୍ତ୍ତରେ ତାହା ହିଁ ଘଟିଲା । ସୋଭିଏତ ସଂଘ ଲମ୍ବା ସମୟରେ ଯାଏଁ ଆଫଗାନିସ୍ତାନରେ ତିଷ୍ଠି ପାରିନଥିଲା ଏବଂ 1988-89 ମସିହାରେ ବାଧ୍ୟ ହୋଇ ଆଫଗାନରୁ ନିଜ ସେନା ପ୍ରତ୍ୟାହାର କରିଥିଲା । ହେଲେ କାଳକ୍ରମେ ଆମେରିକାକୁ ମଧ୍ୟ ଆଫଗାନିସ୍ତାନ ଛାଡିବାକୁ ପଡିଥିଲା । ୨୦ ବର୍ଷର ଯୁଦ୍ଧ ପରେ ୨୦୨୧ରେ ରାତିଅଧିଆ ଏହି ସୁପରପାୱାର ଦେଶ ଆଫଗାନିସ୍ତାନ ଖାଲି କରିଥିଲା ।
ଏହିସବୁ ଘଟଣାକୁ ବିଚାର କଲେ ମନେହେଉଛି, ଯେପରି ଋଷିଆ ନିଜର ପୂର୍ବ ଭୁଲ୍ ଗୁଡିକରୁ କିଛି ଶିଖି ପାରିନାହିଁ । ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧ ପରେ ଆମେରିକାର କ'ଣ ଅନୁଭବ ରହିଲା ସେଥିପ୍ରତି ମଧ୍ୟ ଧ୍ୟାନ ଦେଇନାହିଁ । ଆଫାଗାନିସ୍ତାନରେ ଯୁଦ୍ଧ ପାଇଁ ହିଁ USSRକୁ ଭାରି ମୂଲ୍ୟ ଦେବାକୁ ପଡିଥିଲା । USSR ଖଣ୍ଡ ବିଖଣ୍ଡିତ ହୋଇ ୧୫ ଛୋଟ ଛୋଟ ରାଷ୍ଟ୍ରରେ ପରିଣତ ହୋଇଥିଲା । ଯାହାମଧ୍ୟରୁ ଋଷିଆ ସହ ଲଢୁଥିବା ୟୁକ୍ରେନ ଅନ୍ୟତମ ।
ଆଫଗାନିସ୍ତାନରେ ପରାଜୟର ସ୍ବାଦ ଚାଖିବା ପରେ ଏବେ ପୁଣିଥରେ ଋଷିଆ ସେହି ପରାଜୟର ଦ୍ବାରଦେଶରେ ଦଣ୍ଡାୟମାନ ହୋଇଛି । ସେ ୟୁକ୍ରେନକୁ ନିଜର ଶତ୍ରୁ ଭାବି ଆକ୍ରମଣ କରୁଛି । ହେଲେ ଏହି ଯୁଦ୍ଧ ନିଷ୍ପତ୍ତି ଏବେ ପୁଟିନଙ୍କ ପାଇଁ ଦିନକୁ ଦିନ ମହଙ୍ଗା ହେଉଛି । କାରଣ ଯେଉଁଭଳି ଭାବେ ଯୁଦ୍ଧ ଲମ୍ବି ଲମ୍ବି ଚାଲିଛି ଏହା ଋଷ ସରକାରଙ୍କ ପାଇଁ କ୍ଷମତାଠୁ ଅଧିକ ଖାଦ୍ୟ ପାଟିରେ ପୁରାଇବା ଭଳି ହୋଇଛି । ଋଷିଆ ଓ ୟୁକ୍ରେନ ମହାସମରର କାରଣ ହେଉଛି, ୟୁରୋପୀୟ ସଂଘ ସହ ୟୁକ୍ରେନର ବଢୁଥିବା ସମ୍ପର୍କ ଏବଂ ନାଟୋ ରାଷ୍ଟ୍ର ସହ ସାମିଲ ହେବାର ଅଭିଳାଷା । ଯାହା ପୁଟିନଙ୍କ ଚିନ୍ତା ବଢାଇ ଥିଲା । ତେଣୁ ୟୁକ୍ରେନକୁ ଭୟଭୀତ କରି ନାଟୋରେ ସାମିଲ ନ କରାଇ ଦେବା ପାଇଁ ସେ ଯୁଦ୍ଧ ଡାକରା ଦେଇଥିଲେ ଏବଂ କିଛି ଦିନ ମଧ୍ୟରେ ହିଁ ସେ ନିଜ ଉଦ୍ଦେଶ୍ୟରେ ସଫଳ ହେବେ ବୋଲି ଚିନ୍ତା କରିଥିଲେ ।
କିଛି ଗଣମାଧ୍ୟମ ରିପୋର୍ଟରେ ଏହାମଧ୍ୟ କୁହାଯାଇଛି କି, ପୁଟିନ ୩ ଦିନ ଭିତରେ ହିଁ ଯୁଦ୍ଧ ସାରିବାକୁ ଯୋଜନା କରିଥିଲେ । ହେଲେ ଏବେ ଯେଉଁଭଳି ଭାବେ ଋଷ୍ ସେନା ନିହତ ହେଉଛନ୍ତି ଏବଂ ବିନାଶ ଘଟୁଛି, ଏଥିରୁ ପୁଟିନଙ୍କ ଅନୁମାନ ପୁରାପୁରି ଭୁଲ୍ ପ୍ରମାଣିତ ହୋଇଛି । ୟୁକ୍ରେନରେ ସାଧାରଣ ଲୋକଙ୍କ ମୃତ୍ୟୁ ଏବଂ ବିନାଶଲୀଳା ଯଦିଓ ୟୁକ୍ରେନକୁ ଛାରଖାର କରିଦେଇଛି, ହେଲେ ଏହିସବୁ ଘଟଣା ୟୁକ୍ରେନକୁ ପ୍ରତ୍ୟେକ ଦିନ ଅଧିକରୁ ଅଧିକ ମଜବୁତ କରୁଛି ।
୧୯୭୯ ଏବଂ ୨୦୨୨ରେ ଋଷିଆର ଦୁଇ କାରନାମା ମଧ୍ୟରେ ଯେଉଁଭଳି ସମାନତା ରହିଛି, ଏଥିରୁ ୟୁକ୍ରେନ ସଂଘର୍ଷରେ ଋଷିଆର ଭାଗ୍ୟ କ'ଣ ହେବା ତାହା ଅନୁମାନ ଲଗାଇବା ମୁସ୍କିଲ ହେବନାହିଁ । ଆଫଗାନ ଯୁଦ୍ଧ ଯେଉଁଭଳି ଭାବେ ସୋଭିଏତ ସଂଘର ପ୍ରତିଷ୍ଠାକୁ ନଷ୍ଟଭ୍ରଷ୍ଟ କରିଦେଇଛି ସେହିଭଳି ଭାବେ ୟୁକ୍ରେନରେ ଆକ୍ରମଣ ପୁଟିନ ସରକାରଙ୍କୁ ବିପଦରେ ପକାଇପାରେ । ଗତ ୩୦ ମାର୍ଚ୍ଚରେ ତୁର୍କୀ ଠାରେ ଋଷିଆ ଏବଂ ୟୁକ୍ରେନ ମଧ୍ୟରେ ଆଲୋଚନା ହୋଇଥିଲା । ଆଲୋଚନାରେ ଋଷିଆ ୟୁକ୍ରେନରେ ନିଜର ସାମରିକ କାର୍ଯ୍ୟକଳାପ ହ୍ରାସ କରିବା ପାଇଁ ସହମତି ପ୍ରକାଶ କରିଛି । ଏଥିରୁ ସ୍ପଷ୍ଟ ହେଉଛି କି ଏହି ଆକ୍ରମଣ ତାଙ୍କୁ ମହଙ୍ଗା ପଡିଥିବାର ପୁଟିନ ମଧ୍ୟ ଭାବିବା ଆରମ୍ଭ କରିଛନ୍ତି । ଏପରିସ୍ଥଳେ ୟୁକ୍ରେନ ଛାଡି ଦେବା ପାଇଁ ଋଷିଆ ପାଇଁ ଏକମାତ୍ର ବିକଳ୍ପ ହୋଇଛି । ସେହିପରି ଯୁଦ୍ଧ ପରେ ୟୁକ୍ରେନ ବିଶ୍ବରେ ଏକ ମଜବୁତ ଓ ଶକ୍ତିଶାଳୀ ରାଷ୍ଟ୍ର ରୂପେ ଆଗକୁ ଆସିଛି ଏବଂ ଭବିଷ୍ୟତରେ ଋଷ ପାଇଁ ଏକ ବଡ ଚ୍ୟାଲେଞ୍ଜ ହେବାକୁ ଯାଉଛି ।
ୟୁକ୍ରେନ ଏବେ ପୂର୍ବପେକ୍ଷା ଅଧିକ ସୁଦୃଢ ଓ ଶକ୍ତିଶାଳୀ ହୋଇଛି । ଅତୀତରେ ଭାରତ, ପାକିସ୍ତାନ ଓ ଅନ୍ୟ ରାଷ୍ଟ୍ରରୁ ଆଫଗାନକୁ ମିଳୁଥିବା ସହଯୋଗ ଭଳି ୟୁକ୍ରେନ ଶରଣାର୍ଥୀଙ୍କୁ ମଧ୍ୟ ସମାନ ସହାନୁଭୂତି ଓ ସମର୍ଥନ ମିଳୁଛି । ଦିନକୁ ଦିନ ଯେତିକି ଯେତିକ ଶରଣାର୍ଥୀଙ୍କ ସଂଖ୍ୟା ବଢିବ ସେତିକି ଋଷିଆ ବିରୁଦ୍ଧରେ ସ୍ବର ଅଧିକ ତୀବ୍ର ଏବଂ ବ୍ୟାପକ ହେବ । ସେହିପରି ୟୁକ୍ରେନ ସେନା ନିଜର ବେସ୍କୁ ମଜବୁତ କରିବେ ଏବଂ ଭବିଷ୍ୟତରେ ଯେକୌଣସି ଶକ୍ତିଶାଳୀ ସେନାର ମୁହାଁମୁହିଁ ହେବାକୁ ସକ୍ଷମ ହେବେ । ଋଷିଆ ୟୁକ୍ରେନର କିଛି ଅଂଶରେ ପୂର୍ବରୁ ଯେଉଁ ଆକ୍ରମଣ ଆରମ୍ଭ କରିଥିଲା ତାହା ଏବେ ମସ୍କୋ ପାଇଁ ମୁଣ୍ଡବିନ୍ଧାର କାରଣ ହେବାକୁ ଯାଉଛି । କାରଣ ଇତିମଧ୍ୟରେ ପୁଟିନଙ୍କ ପ୍ରତି ଋଷିଆବାସୀଙ୍କ ମନରେ ବି ଆକ୍ରୋଶ ସୃଷ୍ଟି ହୋଇଛି । ଦେଶରେ ଅଧିକାଂଶ ଋଷ ଭାଷାଭାଷୀ ପୁଟିନଙ୍କ ବିରୋଧି ହୋଇଯାଇଛନ୍ତି । ଋଷିଆର ଅତ୍ୟଚାର ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ଆମେରିକା ଏବଂ ଏହାର ୟୁରୋପୀୟ ସହଯୋଗୀମାନଙ୍କ ପାଇଁ ଋଷ ବିରୁଦ୍ଧରେ ପ୍ରମୁଖ ମୁଦ୍ଦା ହେବାକୁ ଯାଉଛି । ଏପରିକି ନିଜ ଦେଶରେ ମଧ୍ୟ ପୁଟିନଙ୍କୁ ଶତ୍ରୁ ଭାବେ ଦେଖାଯାଉଛି । ଦିନକୁ ଦିନ ତାଙ୍କ ପ୍ରତି ଲୋକଙ୍କ ଘୃଣାଭାବ ଅଧିକ ହେବାରେ ଲାଗିଛି ।
ଏହି ଯୁଦ୍ଧର ଆଉ ମଧ୍ୟ ଏକ ଶିକ୍ଷା ମିଳିଛି ଯେ, ଏଣିକି ଯେକୌଣସି ଶକ୍ତିଶାଳୀ ରାଷ୍ଟ୍ର କୌଣସି ଛୋଟ ରାଷ୍ଟ୍ର ଉପରେ ହାମ୍ଲା କରି ସହଜରେ ନିସ୍ତାର ପାଇଯିବ ବୋଲି କେବେ ଚିନ୍ତା କରିବ ନାହିଁ ।