ବେଙ୍ଗାଲୁରୁ: କର୍ଣ୍ଣାଟକର ମହୀଶୂରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ମିଲ୍କ ଟ୍ୟାଙ୍କର ଓ କାର ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ କାରରେ ଥିବା ଦୁଇ ଯୁବତୀଙ୍କ ମୃତ୍ୟୁ ହୋଇଛି । ମୃତ ଦୁଇ ଯୁବତୀ ସଫ୍ଟଓ୍ବେର ଇଞ୍ଜିନିୟର ହୋଇଥିବା ପ୍ରାଥମିକ ଭାବେ ତଦନ୍ତରୁ ଜଣାପଡିଛି । ମୃତକ ଦୁଇ ଯୁବତୀଙ୍କ ବୟସ 24 ବର୍ଷ । ଜଣଙ୍କ ନାମ ଜୀବିତା ଓ ଅନ୍ୟ ଜଣେ ଯୁବତୀଙ୍କ ନାମ ପ୍ରସନ୍ନା ହୋଇଥିବା ସ୍ଥାନୀୟ ପୋଲିସ ସ୍ପଷ୍ଟ କରିଛି ।

ପ୍ରତ୍ୟକ୍ଷଦର୍ଶୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ଯୁବତୀ ଦୁଇ ଜଣ ଯାଉଥିବା କାରର ଟାୟାରଟି ଫାଟି ଯିବାରୁ କାରଟି ଭାରସାମ୍ୟ ହରାଇ ଟ୍ୟାଙ୍କରକୁ ସାମ୍ନା ପଟୁ ଧକ୍କା ଦେଇଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ଚୂନା ହୋଇଯାଇଛି । ପୋଲିସ ପହଞ୍ଚି କାର ଭିତରୁ ଦୁଇ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଇଛି ।


ଘଟଣା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ସ୍ଥାନୀୟ ପୋଲିସ । ଟ୍ଯାଙ୍କରକୁ ମଧ୍ୟ ଜବତ କରାଯାଇଛି । ପ୍ରାଥମିକ ତଦନ୍ତରୁ ଉକ୍ତ କାରଟି ଏକ ଅନଲାଇନ ସଂସ୍ଥାରୁ ଭଡା ସୂତ୍ରରେ ଆଣାଯାଇଥିବା ପୋଲିସ କହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ