ମୁମ୍ବାଇ: କଥାରେ ଅଛି ଦୃଢ ଇଚ୍ଛା ଶକ୍ତି ଥିଲେ ସବୁ ସମ୍ଭବ । ବୟସ ମାତ୍ର ଦୁଇ ବର୍ଷ ୧୦ ମାସ । ତଥାପି ମହାରାଷ୍ଟ୍ର ଦାହାନୁ ଅଞ୍ଚଳର କୁନି ଝିଅଟିଏ ଯାହା କରିଛନ୍ତି ତାହା କୌଣସି ଚମତ୍କାର ଠାରୁ କମ୍ ନୁହେଁ । ୧୭ କିଲୋମିଟର ପାହାଡିଆ ରାସ୍ତାରେ ସଫଳତାର ସହ ୧୧ ଘଣ୍ଟାର ଯାତ୍ରା କରି ଚର୍ଚ୍ଚାରେ କୁନିଝିଅ କେଶବୀ । ଜୁଲାଇ ୩୧ରେ ଦାହାନୁଠାରୁ ଭୀମଶଙ୍କର ଜ୍ୟୋର୍ତିଲିଙ୍ଗ (Dahanu to Bhimashankar Jyotirlinga) ପର୍ଯ୍ୟନ୍ତ ଚାଲିଚାଲି ଯିବାକୁ ଗଡପ୍ରେମୀ ଟ୍ରେକର୍ସ ନାମରେ ଏକ ଗ୍ରୁପ ବାହାରିଥିଲା । ଏହି ଟ୍ରେକ୍ ଗ୍ରୁପରେ ମୋଟ ୬୨ ଜଣ ରହିଥିଲେ ଓ ସର୍ବକନିଷ୍ଠ ଥିଲା କେଶବୀ । ତେବେ ସବୁଠୁ କୌତୁହଳର କଥା ହେଉଛି ବିନା କାହାରି ସହଯୋଗରେ ସେ ଜ୍ୟୋର୍ତିଲିଙ୍ଗ ଦୁର୍ଗରେ ଚଢିପାରିଥିଲା ।
ଘଟଣାକ୍ରମ...
ଭଡକୁନ ଖେତିପଡା ଅଞ୍ଚଳର ଆନନ୍ଦ ମାଛି(Anand Machhi) । ନିଜ ସ୍ତ୍ରୀ ଓ ଭଉଣୀ ସହ ଏକ ଟ୍ରେକିଂ କାର୍ଯ୍ୟକ୍ରମରେ ଭାଗ ନେବାକୁ ସ୍ଥିର କରିଥିଲେ । ହେଲେ ଏହି ଟ୍ରକିଂରେ କୁନି ଝିଅ କେଶବୀ ସେମାନଙ୍କ ସହ ଯିବା ପାଇଁ ଜିଦ ଧରିଥିଲା । କେଶବୀର ଜିଦ ଦେଖି ତାକୁ ସାଙ୍ଗରେ ନେଇଥିଲେ ସମ୍ପର୍କୀୟ ଆନନ୍ଦ । ଯାତ୍ରା ଆରମ୍ଭରୁ ସମସ୍ତଙ୍କୁ ସନ୍ଦହେ ଥିଲା ଯେ କୁନି ଝିଅଟି ଟ୍ରେକିଂ କରିପାରିବ ନାହିଁ ।
ହେଲେ ନିଜ କଅଁଳ ପାଦରେ ପାହାଡିଆ ରାସ୍ତାରେ ନ ଥକି ଗନ୍ତବ୍ୟସ୍ଥଳ ଅଭିମୁଖେ ଆଗେଇ ଚାଲିଥିଲା କେଶବୀ । ବଣ ଜଙ୍ଗଲ ଘେରା ପାହାଡର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରି ଦାହାନୁ ଠାରୁ ଭୀମ ଶଙ୍କର ଜ୍ୟୋତିଲିଙ୍ଗ ପର୍ଯ୍ୟନ୍ତ ଚାଲିଥିଲା । ଯାହା ଅନ୍ୟ ପର୍ଯ୍ୟଟକ ଓ ପ୍ରତିଯୋଗୀଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ଟ୍ରକିଂରେ ଭାଗ ନେଇଥିବା ପ୍ରତିଯୋଗୀ ମଧ୍ୟ କୁନି ଝିଅକୁ ଉତ୍ସାହିତ କରୁଥିଲେ । ଶେଷରେ ନିଜ ଲକ୍ଷ୍ୟ ସ୍ଥଳରେ ପହଞ୍ଚିଥିଲା କେଶବୀ । ତେବେ, ଗତ ୩୧ ଜୁଲାଇରେ ଆୟୋଜିତ ହୋଇଥିବା ଏକ ଟ୍ରାକିଂ କାର୍ଯ୍ୟକ୍ରମରେ ୬୨ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ସବୁଠାରୁ କୁନି ପ୍ରତିଯୋଗୀ ଥିଲା କେଶବୀ ।