ନୂଆଦିଲ୍ଲୀ: ଦେଶରେ ଆତଙ୍କବାଦ ଠାରୁ ମଧ୍ୟ ଅଧିକ ଗମ୍ଭୀର ରହିଛି ବାମପନ୍ଥୀ ଉଗ୍ରବାଦ ଜନିତ ହଂସାକାଣ୍ଡ ମାମଲା (Left Wing Extremists activities in india)। ବାମପନ୍ଥୀ ଉଗ୍ରବାଦ ସମ୍ପର୍କିତ ହିଂସାରେ ଯେତିକି ପୋଲିସ ଓ ପାରା ମିଲିଟାରୀ ଫୋର୍ସର ଯବାନ ପ୍ରାଣ ହାରଇଛନ୍ତି, ତାହା ଆତଙ୍କୀ ଆକ୍ରମଣରେ ପ୍ରାଣ ହରାଇଥିବା ଯବାନଙ୍କ ସଂଖ୍ୟାର ପ୍ରାୟ ଦୁଇ ଗୁଣ । ଏପରି ରିପୋର୍ଟ ପ୍ରକାଶ କରିଛି ଜାତୀୟ କ୍ରାଇମ ରିପୋର୍ଟ ବ୍ୟୁରୋ (NCRB) । ଗତବର୍ଷ (2021) ଦେଶର ବର୍ଷିକ ଅପରାଧ ସୂଚୀ ‘‘କ୍ରାଇମ ଇନ ଅଣ୍ଡିଆ’’ ରେ ଏହି ତଥ୍ୟ ପ୍ରଦାନ କରିଛି ସଂସ୍ଥା ।
ରିପୋର୍ଟରେ ଦର୍ଶାଯାଇଛି, ଗତବର୍ଷ ଦେଶରେ ଆତଙ୍କୀ ଆକ୍ରମଣରେ ମୋଟ 18 ପୋଲିସ କର୍ମୀଙ୍କ ପ୍ରାଣହାନୀ ଘଟିଛି । କିନ୍ତୁ ବାମପନ୍ଥୀ ଉଗ୍ରବାଦ ଘଟଣା (Left Wing Extremists activities in india) ରେ 40 ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । ସେହିପରି 11 ପୋଲିସ ବର୍ଡର ଫାଏରିଂରେ ପ୍ରାଣ ହାରଇଥିବା ବେଳେ ଭିଡ ହିଂସାରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସେହିପରି ଦୁର୍ଘଟଣାବଶତଃ ନିଜ ସର୍ଭିସ ରାଇଫଲ ଓ ବନ୍ଧୁକରୁ ଗୁଳି ଫୁଟି 7 ଜଣ ପୋଲିସ କର୍ମୀଙ୍କ ପ୍ରାଣ ଯାଇଥିବା ବେଳେ 339 ପୋଲିସ କର୍ମୀ ବିଭିନ୍ନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସରକାରୀ ଭାବେ ପଞ୍ଜୀକୃତ ହୋଇଛି ।
ପୋଲିସ କର୍ମୀଙ୍କ ସମ୍ପର୍କରେ ମିଳିଥିବା ଶବିଶେଷ ସୂଚନା ଅନୁସାରେ, ମୋଟ 727 ପୋଲିସ ଅଧିକାରୀ ଓ କର୍ମଚାରୀ କାର୍ଯ୍ୟରତ ଥିବା ସମୟରେ ଶହୀଦ ହୋଇଛନ୍ତି । ସେମାନଙ୍କ ମଧ୍ୟରେ 233 କନେଷ୍ଟବଳ ପାହ୍ୟାର କର୍ମଚାରୀ ଥିବା ବେଳେ 88 ଜଣ ହେଡ କନେଷ୍ଟବଳ ଓ 37 ଜଣ ଅଧିକାରୀ ସ୍ତରୀୟ ତଥା ଆସିଟାଣ୍ଟ ସବ- ଇନସପେକ୍ଟର, 26 ସବ-ଇନିସପେକ୍ଟର ଓ ଜଣେ ଗେଜେଟେଡ ପୋଲିସ ଅଧିକାରୀ ମଧ୍ୟ ରହିଛନ୍ତି । ସେହିପରି ବିଭିନ୍ନ ଘଟଣାରେ ପ୍ରାୟ ବର୍ଷ 2021 ରେ ଦେଶବ୍ୟାପୀ 1632 ଜଣ ପୋଲିସ ଅଧିକାରୀ ଆହତ ହୋଇଛନ୍ତି ।
ସେହିପରି ପୋଲିସ ଓ ସୁରକ୍ଷା ବଳର ଯବାନଙ୍କ ମୃତ୍ୟୁର ରିପୋର୍ଟର ରାଜ୍ୟଓ୍ବାରୀ ତର୍ଜମା କଲେ, ତାମିଲନାଡୁ ଶୀର୍ଷରେ ରହିଛି । ତାମଲନାଡୁରେ ରାସ୍ତା ଦୁର୍ଘଟଣାରେ 56 ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିବା ବେଳେ ଅପରାଧୀଙ୍କ ଆକ୍ରମଣରେ ଦୁଇ ଅଧିକାରୀ ପ୍ରାଣ ହରାଇଛନ୍ତି । ସେହିପରି ନକ୍ସଲ ହିଂସାରେ ସର୍ବାଧିକ ମୃତ୍ୟୁ ସଂଖ୍ୟା ଛତିଶଗଡରେ ରେକର୍ଡ ହୋଇଛି । ଏଠାରେ 40 ପୋଲିସ କର୍ମୀ ବାମପନ୍ଥୀ ଉଗ୍ରବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବେଳେ ଦୁର୍ଘଟଣାରେ 7 ଜଣ ପୋଲିସ କର୍ମୀ ପ୍ରାଣ ହରାଇଛନ୍ତି । ବିହାରରେ ଭିଡ ହିଂସାରେ ଜଣେ ପୋଲିସ କର୍ମୀ ଓ ରାସ୍ତା ଦୁର୍ଘଟଣାରେ 38 ପୋଲିସ କର୍ମୀଙ୍କ ମୃତ୍ୟୁ ଘଟିଥିବା ରେକର୍ଡ କହୁଛି ।
ଆତଙ୍କବାଦୀ ଆକ୍ରମଣରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ଶୀର୍ଷରେ ରହିଛି ଜମ୍ମୁ ଓ କାଶ୍ମୀର । ଗତବର୍ଷ ଆତଙ୍କୀ ଆକ୍ରମଣରେ ଘାଟିରେ 18 ପୋଲିସ ଓ ପାରା ମିଲିଟାରୀ ବଳର ଯବାନ ଶହୀଦ ହୋଇଛନ୍ତି । ସେହିପରି ରାଜଧାନୀ ଦିଲ୍ଲୀରେ 2 ଜଣ ସଡକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସୂଚନା ରହିଛି ।
ସେହିପରି ଓଡିଶାରେ ଅପରେସନ ବେଳେ ସର୍ବାଧିକ ପୋଲିସ କର୍ମଚାରୀ ଆହତ ହୋଇଥିବା ସୂଚନା ରହିଛି । ରାଜ୍ୟରେ ମୋଟ 188 ପୋଲିସ ଅଧିକାରୀ ଓ କର୍ମଚାରୀ ଅପରାଧୀ ଦମନ ଅପରେସନ ବେଳେ ଆହତ ହୋଇଛନ୍ତି । ସେଥିମଧ୍ୟରୁ 176 ଅପରାଧୀ ଆକ୍ରମଣରେ ଆହତ ହୋଇଥିବା ବେଳେ 12 ଜଣ ଭିଡ ହିଂସାରେ ଆହତ ହୋଇଛନ୍ତି । ଆହତ ତାଲିକାରେ 159 ମାମଲା ସହ କେରଳ ଦ୍ବିତୀୟ ସ୍ଥାନରେ ଓ ତୃତୀୟ ସ୍ଥାନରେ ତାମିଲନାଡୁ ରହିଛି । କେନ୍ଦ୍ର ଶାସିତ ଅଞ୍ଚଳ ବର୍ଗରେ ଆହତ ତାଲିକାରେ 156 ମାମଲା ସହ ଦିଲ୍ଲୀ ଶୀର୍ଷରେ ରହିଛି ।
ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ