ଲକ୍ଷ୍ନୌ: ତେଜୁଛି ଉତ୍ତରପ୍ରଦେଶ ଲଖିମପୁର ହିଂସା ଆନ୍ଦୋଳନ । ବଢୁଛି ପୋଲିସର କାର୍ଯ୍ୟାନୁଷ୍ଠାନ । ଜଣଙ୍କ ପରେ ଜଣେ ତଦନ୍ତ ପରିସରଭୁକ୍ତ ହେବାରେ ଲାଗିଛନ୍ତି । ସୁପ୍ରିମକୋର୍ଟଙ୍କ ଭତ୍ସନା ପରେ ଘଟଣାର ଜୋରଦାର ତଦନ୍ତ ଚାଲିଛି । କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଆଶିଷ ମିଶ୍ରାଙ୍କ ଗିରଫ ପରେ ଘଟଣାରେ ଆଉ ଦୁଇଜଣଙ୍କ ଅଟକ ରଖାଯାଇଛି ।
ପୂର୍ବତନ କଂଗ୍ରେସ ସାଂସଦ ସ୍ବର୍ଗତ ଅଖିଳେଶ ଦାସଙ୍କ ପୁତୁରା ଅଙ୍କିତ ଦାସ ଡ୍ରାଇଭରକୁ ଅଟକ ରଖିଛି ପୋଲିସ । ଡ୍ରାଇଭର ଜଣଙ୍କ ଆଶିଷ ମିଶ୍ରାଙ୍କ ଏୟୟୁଭି ଗାଡି ପଛରେ ଗାଡି ଚଳାଉଥିବା ଜଣାପଡିଛି । ଡ୍ରାଇଭର ଜଣଙ୍କ ଅଙ୍କିତ ଦାସଙ୍କୁ ଘଟଣାସ୍ଥଳରୁ ଖସିଯିବାରେ ସାହାଯ୍ୟ କରିଥିବା ଅଭିଯୋଗ ହୋଇଛି । ଅଟକ ଥିବା ଅନ୍ୟଜଣେ ଅଭିଯୁକ୍ତଙ୍କ ନାମ ପୋଲିସ ପ୍ରକାଶ କରିନାହିଁ । ଅଟକ ଦୁଇଜଣଙ୍କୁ ପଚରାଉଚରା କରାଯାଉଛି ।
ଅଟକ ଅଙ୍କିତ ଦାସଙ୍କ ମାମୁଁ ଅଖିଳେଶ ଦାସ ଜଣେ କଂଗ୍ରେସ ସାଂସଦ ତଥା ବିଏସପିର ଜାତୀୟ ସାଧାରଣ ସମ୍ପାଦକ ଥିଲେ । 2017ରେ ତାଙ୍କର ଦେହାନ୍ତ ହୋଇଥିଲା । ଅଙ୍କିତ ଆଶିଷ ମିଶ୍ର ଏବଂ ତାଙ୍କ ପିତାଙ୍କ ଘନିଷ୍ଠ ସହଯୋଗୀ ବୋଲି କୁହାଯାଉଛି । ଜଣେ ଅଧିକାରୀ କହିଛନ୍ତି ଯେ ଲଖିମପୁର ଖେରୀରେ ହିଂସା ହେବାର ଗୋଟିଏ ଦିନ ପରେ ଭିଡିଓ ଭାଇରାଲ ହେବା ପରେ ଅଙ୍କିତ ଦାସଙ୍କ ନାମ ପଦାକୁ ଆସିଥିଲା । ଭିଡିଓରେ ଜଣେ ପୋଲିସ କର୍ମଚାରୀ ମଧ୍ୟ ନଜର ଆସିଛନ୍ତି ଯିଏ ମାଇକ୍ରୋଫୋନ୍ ଧରି ଆହତ ବ୍ୟକ୍ତିଙ୍କୁ ଘଟଣା ବିଷୟରେ ପଚାରୁଛନ୍ତି । ଗାଡିଟି ଅଙ୍କିତ ଦାସଙ୍କର ଥିଲା ବୋଲି ବ୍ୟକ୍ତି ଜଣଙ୍କ କହିଥିଲେ ।
@IANS