ବେଙ୍ଗାଲୁରୁ: କର୍ଣ୍ଣାଟକର ଶିବମୋଗା ଜିଲ୍ଲାରେ ଜଣେ ବଜରଙ୍ଗ ଦଳର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା ଘଟଣାରେ ରାଜ୍ୟବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହୋଇଥିବା ବେଳେ ଆଜି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ କିଛି ଅଭିଯୁକ୍ତ ଘଟଣା ପରେ ଫେରାର ହୋଇଯାଇଥିବାରୁ ସେମାନଙ୍କୁ ଗିରଫ ଦାବିରେ ସର୍ଚ୍ଚ ଅପରେସନ ଜାରି ରହିଥିବା ପୋଲିସ ସୂଚନା ଦେଇଛି ।
ଗତକାଲି ବଜରଙ୍ଗ ଦଳର ହର୍ଷ ନାମକ ଜଣେ ୨୩ ବର୍ଷୀୟ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଇଥିବା ବେଳେ ରାତିରେ ତାଙ୍କ ମୃତଦେହ ଉଦ୍ଧାର ହୋଇଥିଲା । ଘଟଣା ସମ୍ପର୍କରେ ଖବର ପ୍ରସାରିତ ହେବା ପରେ ରାଜ୍ୟବ୍ୟାପୀ ବିଭିନ୍ନ ହିନ୍ଦୁ ସଂଗଠନ ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଉକ୍ତ କାର୍ଯ୍ୟକର୍ତ୍ତାଙ୍କ ମୃତଦେହ ବ୍ୟବଚ୍ଛେଦ ପରେ କଡା ସୁରକ୍ଷା ମଧ୍ୟରେ ତାଙ୍କ ଘରେ ପହଞ୍ଚାଇଥିଲା ପୋଲିସ । ଏହି ସମୟରେ ବିଭିନ୍ନ ହିନ୍ଦୁ ସଂଗଠନର ଶତାଧିକ ସଦସ୍ୟ ମଧ୍ୟ ଏଥିରେ ସାମିଲ ହେବା ସହ ଉତ୍ତେଜନା ପ୍ରକାଶ ପାଇଥିଲା ।
ଏହି ସମୟରେ ସଦସ୍ୟମାନେ ଉତ୍ତେଜିତ ହୋଇପଡି ପଥର ମାଡ କରିବା ସହ କିଛି ଗାଡିରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ । ଏଥିରେ ପ୍ରାୟ ୧୦ଟି ଗାଡି କ୍ଷତିଗ୍ରସ୍ତ ହେବା ସହ କିଛି ଲୋକ ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଥିଲା । ତେବେ ଏହି ଘଟଣାରେ ରାଜନୈତିକ ବୟାନବାଜୀ ଜାରି ରହିଥିବା ବେଳେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଅନ୍ୟମାନେ ମଧ୍ୟ ଖୁବଶୀଘ୍ର ଗିରଫ ହେବା ନେଇ ପ୍ରୟାସ ଜାରି ରହିଥିବା ସ୍ଥାନୀୟ ପୋଲିସ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ