ହାଇଦ୍ରାବାଦ: ନୂତନ କୃଷି ଆଇନକୁ ନେଇ ଚାଷୀଙ୍କ ରଣହୁଙ୍କାର । ଆନ୍ଦୋଳନରତ ଚାଷୀ ନିଜ ଜିଦରେ ଅଟଳ । ଆଇନ ପ୍ରତ୍ୟାହାର ଦାବିରେ ଆସନ୍ତା 8 ତାରିଖରେ ଭାରତ ବନ୍ଦ ଡାକରା ଦେଇଛନ୍ତି ଚାଷୀ । ଭାରତ ବନ୍ଦ ଡାକରା କୁ ବିଭିନ୍ନ ମହଲରୁ ସମର୍ଥନ ଦିଆଯାଉଥିବାବେଳେ ଏହି କ୍ରମରେ ଯୋଡି ହୋଇଛନ୍ତି ତେଲେଙ୍ଗାନା ସରକାର ।
ଚାଷୀଙ୍କ ଭାରତ ବନ୍ଦ ଡାକରାକୁ ଆକୁଣ୍ଠ ସମର୍ଥନ ଜଣାଇଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ । ଚାଷୀଙ୍କ ଏହି ରଣହୁଙ୍କାରରେ ସାମିଲ ହେବ ଟିଆରଏସ ଦଳ । ଏନେଇ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । କେନ୍ଦ୍ରସରକାର ବିରୋଧରେ ଏହି ଆନ୍ଦୋଳନରେ ଟିଆରଏସ ସାମିଲ ହେବ ବୋଲି ସେ ଜଣାଇଛନ୍ତି । କେସିଆର କହିଛନ୍ତି କି, ପୂର୍ବରୁ ମଧ୍ୟ ଏହି ଆଇନ ବିରୋଧରେ ଆମେ ସଂସଦରେ ପ୍ରତିବାଦ କରିଥିଲୁ । ଏହି ଆଇନକୁ କେନ୍ଦ୍ରସରକାର ପ୍ରତ୍ୟାହାର ନକରିବା ଯାଏଁ ସଂଗ୍ରାମ ଜାରି ରଖିବା ଉଚିତ୍ । ତେବେ ଭାରତ ବନ୍ଦ ସଫଳ କରାଇବାରେ ଟିଆରଏସ ସମସ୍ତ ଚେଷ୍ଟା କରିବେ ବୋଲି ସେ କହିଛନ୍ତି । ଏହାସହ ଚାଷୀଙ୍କୁ ସମର୍ଥନ କରିବାକୁ ମୁଖ୍ୟମନ୍ତ୍ରୀ ତେଲେଙ୍ଗାନାର ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ