ଅଗରତାଲା: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ଶନିବାର ବିଳମ୍ବିତ ରାତିରେ ଅଗରତାଲା ସହର ବୁଲି କୋଭିଡ-19 ସ୍ଥିତି ପରଖିଛନ୍ତି । ଏହାପୂର୍ବରୁ ସେ ମହାମାରୀର ଦ୍ବିତୀୟ ଲହରରେ ଦୁଇଟି ଜିଲ୍ଲାର ସମୀକ୍ଷା କରିଥିଲେ । ଗସ୍ତରେ ସେ କୋଭିଡ୍ ସୁବିଧା ଯାଞ୍ଚ କରିଥିଲେ । ଏହାସହ କର୍ମଚାରୀ ଏବଂ ଅଧିକାରୀଙ୍କ ସହ କଥାବାର୍ତ୍ତା କରିଥିଲେ। ତାଙ୍କ ସହ ସ୍ବାସ୍ଥ୍ୟ ଅଧିକାରୀମାନେ ମଧ୍ୟ ଯୋଗ ଦେଇଥିଲେ।
ଗଣମାଧ୍ୟମକୁ ସୂଚନା ଦେଇ ସେ କହିଛନ୍ତି ଯେ ଜିଲ୍ଲା ତଥା ଉପ-ବିଭାଗୀୟ ସ୍ତର ପର୍ଯ୍ୟନ୍ତ କୋଭିଡ-19 ଚିକିତ୍ସା ବ୍ୟବସ୍ଥା ବର୍ତ୍ତମାନ ସ୍ପଷ୍ଟ ହୋଇଛି। ଏହା ଜିଲ୍ଲା ମଧ୍ୟରେ କୋଭିଡ-19 ରୋଗୀଙ୍କୁ ଚିକିତ୍ସା ସୁବିଧା ସୁନିଶ୍ଚିତ କରିବ । ଭେଣ୍ଟିଲେଟର ସହିତ କୋଭିଡ ଚିକିତ୍ସା ସୁବିଧା ବର୍ତ୍ତମାନ ପ୍ରତ୍ୟେକ ଜିଲ୍ଲା ଏବଂ ଉପ-ବିଭାଗରେ ଉପଲବ୍ଧ ହେଉଛି। ଡାକ୍ତରଙ୍କ ଅଭାବ ସମ୍ପର୍କରେ ସେ କହିଛନ୍ତି ଯେ ତ୍ରିପୁରା ଜନସେବା ଆୟୋଗ ମାଧ୍ୟମରେ ନିୟମିତ ଦରମା ସ୍କେଲରେ 164 ଡାକ୍ତର ନିଯୁକ୍ତି କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇସାରିଛନ୍ତି ଏବଂ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି ହୋଇସାରିଛି।
164 ଡାକ୍ତରଙ୍କ ନିଯୁକ୍ତିକୁ ଶୁକ୍ରବାର ରାତିରେ ଏକ ଜରୁରୀ ବୈଠକରେ ମନ୍ତ୍ରୀ ପରିଷଦ ଅନୁମୋଦନ କରିଛି। ମୁଖ୍ୟମନ୍ତ୍ରୀ ଧର୍ମନଗର ଜିଲ୍ଲା ଡାକ୍ତରଖାନା ପରିଦର୍ଶନ କରି ଭିତ୍ତିଭୂମି ଯାଞ୍ଚ କରିଥିଲେ। ଡାକ୍ତରଖାନାରେ ଗୋଟିଏ 14 ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର କାର୍ଯ୍ୟ କରୁଛି । 4 ଟି ଭେଣ୍ଟିଲେଟର ରହିଛି । ସେପଟେ, ଉତ୍ତର ତ୍ରିପୁରା ଗସ୍ତରେ ମୁଖ୍ୟମନ୍ତ୍ରୀ ପାନିସାଗର ନାଗର ପଞ୍ଚାୟତର ନୂତନ ନିର୍ମିତ କୋଠାକୁ ଉଦଘାଟନ କରିଛନ୍ତି।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ