ମୁମ୍ବାଇ: ମହାରାଷ୍ଟ୍ର ପୁଣେରେ ଏକ ପ୍ରଶିକ୍ଷଣ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି(Trainee Aircraft Crashes in Pune) । ଏଥିରେ ବିମାନ ଉଡାଉଥିବା ମହିଳା ପାଇଲଟ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । କାର୍ଭର ଆଭିଏସନର (Carver Aviation) ଏହି ବିମାନଟି ପ୍ରଶିକ୍ଷଣ ଉଦ୍ଦେଶ୍ୟରେ ଉଡାଣ ଭରିଥିଲା ମାତ୍ର ପୂର୍ବାହ୍ନ ୧୧.୩୦ ରେ କୌଣସି କାରଣବଶତଃ ଦୁର୍ଘଟଣାଗ୍ରସ୍ତ ହୋଇ ଏୟାର ଷ୍ଟ୍ରିଫ ନିକଟବର୍ତ୍ତୀ ଏକ କ୍ଷେତରେ ଖସି ପଡିଥିଲା । ଦୁର୍ଘଟଣାର କାରଣ ସମ୍ପର୍କରେ ସ୍ପଷ୍ଟ ଭାବେ କିଛି ଜଣାପଡି ନଥିବାବେଳେ ପାଓ୍ବାର ଲସ କାରଣରୁ ଏପରି ହୋଇଥିବା ପ୍ରାଥମିକ ଭାବେ ଜଣାପଡିଛି ।
ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାଗ୍ରସ୍ତ ବିମାନଟି ଏକକ ପାଇଲଟ୍ ବିଶିଷ୍ଟ ସୋଲୋ ବିମାନ ଥିଲା । ଏଥିରେ ଜଣେ ମହିଳା ପାଇଲଟ ବିମାନ ଉଡାଉଥିଲେ । ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯିବା ପରେ ଏକ କ୍ଷେତରେ ଖସି ପଡିଥିଲା ବିମାନ । ତେବେ ଆହତ ହୋଇଥିବା ମହିଳା ପାଇଲଟ ୨୨ ବର୍ଷୀୟା ଭାବିକା ରାଥୋଡ ବୋଲି ସ୍ପଷ୍ଟ ହୋଇଛି । ତାଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କାରଯାଇଥିବାବେଳେ, ସ୍ବାସ୍ଥ୍ୟବସ୍ଥା ନେଇ ଅଧିକ ସୂଚନା ମିଳି ପାରିନାହିଁ । ସଂପୂର୍ଣ୍ଣ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ।
ଚଳିତବର୍ଷ ଜାନୁଆରୀ ମାସରେ ବିହାର ଗୟାରେ ମଧ୍ୟ ସାମାନ ଘଟଣା ଘଟିଥିଲା । ସେଠାରେ ଥିବା ଭାରତୀୟ ସେନା ପ୍ରିଶକ୍ଷଣ କ୍ୟାମ୍ପରୁ ଉଡାଣ ଭରିଥବା ଏକ ପ୍ରଶିକ୍ଷଣ ବିମାନ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ବିମାନରେ ଥିବା ସେନାର ଦୁଇ ପାଇଲଟ୍ ସୁରକ୍ଷିତ ଭାବେ ଅବତରଣ କରିବାରେ ସକ୍ଷମ ହୋଇଥିଲେ ।