ଚଣ୍ଡିଗଡ: ବର୍ତ୍ତମାନର ଯୁବପିଢି ଆଧୁନିକତାକୁ ଆପଣାଇଥିବାବେଳେ ଏବେ ବି ଅନ୍ଧବିଶ୍ବାସର ଅନ୍ଧଗଳିରେ ବାଟବଣା ହେଉଛି ମଣିଷ । ପଞ୍ଜାବ ଜଳନ୍ଧର ଅଞ୍ଚଳରୁ ସେଭଳି କିଛି ବିରଳ ଘଟଣା ସାମ୍ନାକୁ ଆସିଛି । ଯେଉଁଠି ଜଣେ ଟ୍ୟୁସନ ଶିକ୍ଷୟିତ୍ରୀ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ ନିଜେ ପଢାଉଥିବା ଜଣେ ନାବାଳକ ଛାତ୍ର ସହ ମିଛ ବିବାହ ରଚିଛନ୍ତି । ନିଜ କୁଣ୍ଡଳୀରେ ମାଙ୍ଗଳିକ ଦୋଷ ଦୂର କରିବାକୁ ଯୁବତୀ ଜଣକ ଏପରି କରିଥିବା ଜଣାପଡିଛି ।
ଜଳନ୍ଧର ଅଞ୍ଚଳରେ ରହୁଥିବା ଜଣେ ଯୁବତୀଙ୍କ ବହୁ ଦିନ ଧରି ବିବାହ ହୋଇ ପାରୁନଥିଲା । ତେବେ ତାଙ୍କ କୁଣ୍ଡଳୀରେ ମାଙ୍ଗଳିକ ଦୋଷ କାରଣରୁ ତାଙ୍କ ବିବାହ ହେଉନଥିବା ଜଣେ ଜ୍ୟୋତିଷ ତାଙ୍କୁ କହିଥିଲେ । ଯୁବତୀଟି ତାଙ୍କୁ ଏହି ମାଙ୍ଗଳିକ ଦୋଷ ଦୂର କରିବାର ଉପାୟ ପଚାରିଥିଲେ । ଉତ୍ତରରେ ଜ୍ୟୋତିଷ ଜଣକୁ ତାଙ୍କୁ କହିଥିଲେ, ଯଦି ସେ କୌଣସି ନାବାଳକ ସହ ପ୍ରତିକାତ୍ମକ ବିବାହ କରି ବିଧବା ହୁଅନ୍ତି, ତେବେ ହିଁ ସେ ଗୃହସ୍ଥ ଜୀବନ ପାଇପାରିବେ ।
ଏହାପରେ ଯୁବତୀଟି ନିଜେ ପଢାଉଥିବା ଜଣେ ନାବାଳକ ଛାତ୍ରକୁ ବିବାହ ପାଇଁ ଚୟନ କରିଥିଲେ । ଏପରିକି ପାଠପଢା ନେଇ ପିଲାଟିକୁ କିଛି ଦିନ ସେ ନିଜ ସାଙ୍ଗରେ ରଖିବାକୁ ଚାହୁଁଥିବା ନାବାଳକର ବାପାମାଆକୁ କହିଥିଲେ । ଯାହାଫଳରେ ନାବାଳକର ଅଭିଭାବକ ମଧ୍ୟ ଏଥିରେ ସହମତି ଜଣାଇଥିଲେ । ତାହାପରେ ଆରମ୍ଭ ହୋଇଥିଲା ଶିକ୍ଷୟିତ୍ରୀଙ୍କ ବାହାଘର ଯୋଜନା । ପ୍ରଥମେ ସେ ନାବାଳକ ସହ ବିବାହ କରିବା ପରେ ନିଜ ଚୁଡି ଭାଙ୍ଗି ବିଧବା ହୋଇଥିଲେ । ତେବେ ପିଲାଟି ନିଜ ଘରେ ପହଞ୍ଚିବା ପରେ ଏହି ଅଦ୍ଭୁତ ଘଟଣା ଉପରୁ ପରଦା ଉଠିଥିଲା । ନାବାଳକଟିର ବାପାମାଆ ଏ ସମ୍ପର୍କରେ ଜାଣିବା ପରେ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି । ଯାହା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ