ବେଙ୍ଗାଲୁରୁ: ମୟୂର ଶିକାର ଓ ଖାଇବା ଅଭିଯୋଗରେ 3 ଓଡିଆଙ୍କୁ ଗିରଫ କଲା କର୍ଣ୍ଣାଟକ ବନବିଭାଗ । କର୍ଣ୍ଣାଟକର ତୁମାକୁର ଜିଲ୍ଲାରେ ବନ୍ୟପ୍ରାଣୀ ଶିକାର ନେଇ ଚଢାଉ ବେଳେ ଏହି 3 ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତମାନେ ଓଡିଶାର ହୋଇଥିବା ବେଳେ ସେମାନେ କର୍ଣ୍ଣାଟକର ମରନାୟକାନପଲ୍ୟା ଅଞ୍ଚଳରେ ଏକ ଇଟାଭାଟିରେ କାମ କରୁଥିଲେ । ଘଟଣାର ତଦନ୍ତ ଜାରି ରହିଛି ।
ଏହାମଧ୍ୟ ପଢନ୍ତୁ..ସକ୍ରିୟା ସାପ ବିଷ ରାକେଟ୍ ! ସାପ ଚାଲାଣ ବେଳେ ଧରା ପଡ଼ିଲେ ୨ ଅଭିଯୁକ୍ତ
କର୍ଣ୍ଣାଟକର ତୁମାକୁର ଜିଲ୍ଲାରେ ମୟୂର ଶିକାର ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ 3 ଓଡିଆ ଗିରଫ । ସୂଚନାଅନୁଯାୟୀ, କର୍ଣ୍ଣାଟକର ତୁମାକୁର ଜିଲ୍ଲାରେ ମୟୂର ଶିକାର ନେଇ କୌଣସି ବିଶେଷ ସୁତ୍ରକୁ ଖବର ପାଇ ବନବିଭାଗର ଏକ ଟିମ ଏହି ଅଞ୍ଚଳରେ ଚଢାଉ କରିଥିଲେ । ଚଢାଉ ବେଳେ 3 ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ 1.5 କେଜି ମୟୂର ମାଂସ, 2ଟି ମୟୂର ଗୋଡ, କିଛି ରନ୍ଧା ମାଂସ, ମୟୂର ଧରିବା ପାଇଁ ଜାଲ, ରୋଲ ଓ ମାଂସ ରନ୍ଧା ହେଉଥିବା ପାତ୍ର ଜବତ କରିଛି । ବନ ବିଭାଗର ସୂଚନା ଅନୁଯାୟୀ, ଗିରଫ ହୋଇଥିବା 3 ଅଭିଯୁକ୍ତ ବିଟ୍ଟିଙ୍ଗ ନାୟକ, ବୈଶକଦାଭୁ ଓ ଦୁବା କପାଟ ଓ ଏ ସମସ୍ତ ଅଭିଯୁକ୍ତଙ୍କ ଘର ଓଡିଶାରେ ହୋଇଥିବା ସୂଚନା । ସେମାନେ କର୍ଣ୍ଣାଟକର ମରନାୟକାନପଲ୍ୟା ଅଞ୍ଚଳରେ ଏକ ଇଟାଭାଟିରେ କାମ କରୁଥିଲେ । ତେବେ ଦୀର୍ଘ ଦିନ ଧରି ସେମାନେ ମୟୂର ଶିକାର କରି ସେମାନଙ୍କୁ ମାରି ଖାଉଥିବା ପୋଲିସ ଜାଣିବାକୁ ପାଇଛି ।
ଏହାମଧ୍ୟ ପଢନ୍ତୁ..ବସରେ ଯାତ୍ରୀ ବଦଳରେ ଗୋ ଚାଲାଣ
ତେବେ ବନବିଭାଗ ପକ୍ଷରୁ ଏନେଇ ତଦନ୍ତ ଜାରି ରହିଛି । ବନ୍ୟପ୍ରାଣୀ ସୁରକ୍ଷା ଆଇନ ଆଧାରରେ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇଛି । ତେବେ ଜବତ ହୋଇଥିବା ମାଂସର ଯାଞ୍ଚ ପାଇଁ ଫରେନସିକ ଲାବୋରେଟୋରିକୁ ପଠାଯିବା ନେଇ ସୂଚନା ଦେଇଛନ୍ତି ବନବିଭାଗ ।
ତେବେ କର୍ଣ୍ଣାଟକର ତୁମାକୁର ଅଞ୍ଚଳରୁ ବନ୍ୟପ୍ରାଣୀ ଶିକାର ଘଟଣା ଖୁବ କମ ଦେଖିବାକୁ ମିଳିଥାଏ । ଯେଉଁଥିପାଇଁ ଗତ 4 ରୁ 5 ବର୍ଷ ହେଲା ଏହି ଅଞ୍ଚଳରେ ମୟୂର ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି । କିଛି ଦିନ ତଳେ ବାଘ ନଖରେ ଲକେଟ ଘଟଣା ସାମ୍ନାକୁ ଆସିବା ପରେ ବନବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ଜୋରଦାର ରହିଥିଲା । ତେବେ ମୟୂର ଶିକାର ଓ ସେମାନଙ୍କୁ ଖାଇବା ଘଟଣାରେ ଆଉ 3 ଜଣଙ୍କୁ ଗିରଫ କରିଛି ବନ ବିଭାଗ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ