ନୂଆଦିଲ୍ଲୀ: ମହଙ୍ଗା ପଡିଲା ରେଳ ଧାରଣାରେ ରିଲ୍ସ କରିବା। ରେଳ ଧାରଣା ଉପରେ ଭିଡିଓ କରୁଥିବା ସମୟରେ ପଛପଟୁ ଧକ୍କା ଦେଲା ଟ୍ରେନ । ଚାଲିଗଲା 3ଜଣଙ୍କ ଜୀବନ(Three People Died After Being Hit by Train) । 3ଜଣଙ୍କ ମଧ୍ୟରେ ଜଣେ ମହିଳା ଏବଂ 2ଜଣ ପୁରୁଷ ରହିଥିବା ସୂଚନା । ଏଭଳି ଭୟଙ୍କର ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି ଗାଜିୟାବାଦର ମସୁରୀ ଅଞ୍ଚଳରୁ । 3ଜଣ ରେଳ ଧାରଣାରେ ଠିଆ ହୋଇ ଭିଡିଓ କରୁଥିବା ସମୟରେ ଟ୍ରେନ ଦେଖିନପାରିବା କାରଣରୁ ଦୁର୍ଘଟଣା ଘଟିଥିବା କୁହାଯାଇଛି ।
ମସୁରୀ ଷ୍ଟେସନ ଅଧିକାରୀଙ୍କ କହିବା ଅନୁସାରେ, ଗାଜିଆବାଦର ମୁସୁରି ରେଳ ଷ୍ଟେସନ ଟ୍ରାକରେ 3ଜଣ ଠିଆ ହୋଇ ଭିଡିଓ କରିଥିଲେ । ଏହି ସମୟରେ ସେମାନେ ଏତେ ବିଭୋର ରହିଥିଲେ ଯେ, ପଛପଟୁ ଟ୍ରେନ ଆସିବା ମଧ୍ୟ ଜାଣିପାରିନଥିଲେ । ଫଳରେ ଦୃତ ବେଗରେ ଆସୁଥିବା ଟ୍ରେନଟି ପଛପଟୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ହିଁ 3ଜଣଙ୍କର ମୃତ୍ୟୁ ହୋଇଥିଲା । ଖବରପାଇ ପୋଲିସ 3ଜଣଙ୍କର ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଏହା ମଧ୍ୟ ପଢନ୍ତୁ: International Tea Day: ମୁଣ୍ଡବିନ୍ଧା ହେଉଛି କି ? ପିଅନ୍ତୁ ଏହି ଚା'
ଘଟଣାସ୍ଥଳରୁ ମୃତକଙ୍କ ମୋବାଇଲ୍ ଫୋନ୍ ମଧ୍ୟ ପୋଲିସ ଜବତ କରିଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ରେଳ ଧାରଣାରେ ଭିଡିଓ କରୁଥିବା ସମୟରେ ହିଁ ଏହି ଦୁର୍ଘଟଣା ଘଟିଥିବା କିଛି ପ୍ରତ୍ୟକ୍ଷଦର୍ଶୀ ପୋଲିସକୁ ଖବର ଦେଇଛନ୍ତି । କିଛି ଲୋକେ ଦାବି କରିଛନ୍ତି ଯେ, ଏମାନେ ସୋସିଆଲ ମିଡିଆ ପାଇଁ ଭିଡିଓ କରୁଥିଲେ ।
ପ୍ରକାଶଯୋଗ୍ୟ ଯେ, ଅତୀତରେ ମଧ୍ୟ ଏଭଳି ଅନେକ ମାମଲା ସାମ୍ନାକୁ ଆସିଛି । ଯେଉଁଥିରେ ଲୋକମାନେ ବେଳେ ବେଳେ ଭିଡିଓ ତିଆରି କରିବା ସହ ସେଲଫି ନେବା ବେଳେ ଦୁର୍ଘଟଣାର ଶୀକାର ହୋଇ ପ୍ରାଣ ହରାଇଛନ୍ତି । ରେଳ ବିଭାଗ ପକ୍ଷରୁ ଏନେଇ ବାରମ୍ବାର ସତର୍କ କରାଯାଉଥିଲେ ସୁଦ୍ଧା ଯୁବପୀଢି ସୁଧୁରୁ ନାହାନ୍ତି । ଫଳରେ ଦୁର୍ଘଟଣା କମିବାର ନାଁ ନେଉନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ