ବେଙ୍ଗାଲୁରୁ: ଲାଉଡସ୍ପିକର ପ୍ରସଙ୍ଗରେ ବିବାଦୀୟ ମନ୍ତବ୍ୟ ଦେଇ ବିବାଦରେ କର୍ଣ୍ଣାଟକର ଶ୍ରୀରାମ ସେନା ମୁଖ୍ୟ ପ୍ରମୋଦ ମୁତାଲିକ । ସର୍ବସାଧାରଣ ସ୍ଥାନରେ ଲାଉଡସ୍ପିକର ମାମଲାରେ ସର୍ବୋଚ୍ଚ କୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶକୁ ଯେଉଁମାନେ ପାଳନ କରୁନାହାନ୍ତି, ସେ କ୍ଷମତାରେ ଥିଲେ ସେମାନଙ୍କ ଉପରେ ଗୁଳି ଚଳାଇଥାନ୍ତେ ବୋଲି କହିଛନ୍ତି ପ୍ରମୋଦ । ଆଜି ହୁବଳିରେ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ ଅବସରରେ ପ୍ରମୋଦ ଏପରି ବିବାଦୀୟ ମନ୍ତବ୍ୟ ଦେଇଥିବା ଦେଖିବାକୁ ମିଳିଛି ।
ବର୍ତ୍ତମାନର ସରକାରଙ୍କୁ ଟାର୍ଗେଟ କରି ପ୍ରମୋଦ କହିଥିଲେ , ‘‘ଯଦି ସରକାର ଚଳାଇବାକୁ ତମେ ଅକ୍ଷମ, ତେବେ କ୍ଷମତା ମତେ ଦିଅ । କିପରି ସରକାର ଚଳାଇବାକୁ ହୁଏ ତାହା ଶିଖାଇଦେବି’’ । ସେ କ୍ଷମତାରେ ଥିଲେ ଯେଉଁମାନେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟକୁ ପାଳନ କରୁନାହାନ୍ତି, ସେମାନଙ୍କୁ ଗୁଳି ଚଳାଇଥାନ୍ତେ ବୋଲି ମଧ୍ୟ କହିବାକୁ ପଛାଇନଥିଲେ । ତେବେ ଏପରି ବିବାଦୀୟ ତଥା ହିଂସାସୃଷ୍ଟିକାରୀ ମନ୍ତବ୍ୟ ପ୍ରକାଶ ପାଇବା ପରେ ବିିଭିନ୍ନ ଆଡୁ ତାଙ୍କୁ ସମାଲୋଚନା କରାଯାଇଛି । କିଛି ସ୍ଥାନରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ମଧ୍ୟ ଦାବି ଉଠିଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ