ହାଇଦ୍ରାବାଦ: ଦେଶରେ ଆକାଶ ଛୁଆଁ ଟମାଟୋ ଦର । ବର୍ଦ୍ଧିତ ଟମାଟୋ ଦରକୁ ନେଇ ମାତିଲେଣି ଟମାଟୋ ଚୋର । ପ୍ରତିଦିନ ଟମାଟୋ ସହ ଜଡ଼ିତ ନୂଆନୂଆ ଖବର ସାମ୍ନାକୁ ଆସୁଥିବା ବେଳେ ତେଲେଙ୍ଗାନର ନିଜାମବାଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ବିଳମ୍ବିତ ରାତିରେ ଏକ ଘରେ କଳାକନା ବୁଲାଇବାକୁ କିଛି ଚୋର ପଶିଥିଲେ । ସୁନା ଗହଣା ସାଙ୍ଗକୁ ଘରେ ଟମାଟୋ ଥିବା ଦେଖି ବୋହିନେଲେ ଚୋର ।
ସୂଚନା ଅନୁଯାୟୀ, ସୋମବାର ରାତିରେ ନିଜାମବାଦ ଜିଲ୍ଲାର ବୋଡାନ ସହର ସ୍ଥିତ ଗୁଡ୍ସ କଲୋନୀରେ ମ୍ୟୁନିସିପାଲଟି କର୍ମଚାରୀ ରାଫିଙ୍କ ଘରେ ବାହାରପଟୁ ତାଲା ପଡ଼ିଥିବା ଦେଖି କିଛି ପଶିଥିଲେ । ରାଫିଙ୍କ ପରିବାର ସନ୍ଧ୍ୟାରେ ଘର ତାଲା ପକାଇ ସିଦ୍ଧିପେଟ ସ୍ଥିତ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ । ସେ ସକାଳେ ଆସି ଦେଖନ୍ତି ତ, ଘରର ତାଲା ଭଙ୍ଗା ଯାଇଛି । ସେ ଭିତରକୁ ଯାଇ ଦେଖିବା ବେଳେ ଘରେ ଚୋର କଳାକନା ବୁଲାଇଦେଇଥିବା ଦେଖିବାକୁ ପାଇଥିଲେ । ଲକରରେ ୧.୨୮ ନଗଦ ଟଙ୍କା, ୧୨ ଭରି ସୁନା ଅଳଙ୍କାର ନେଇଯାଇଥିଲେ ।
ଏହା ମଧ୍ୟ ପଢ଼ନ୍ତୁ: ଟମାଟୋ ଚାଷୀଙ୍କୁ ହତ୍ୟା, ବର୍ଦ୍ଧିତ ଦର ନେଲା ଜୀବନ!
ଖାଲି ସେତିକି ନୁହେଁ, ଫ୍ରିଜରେ ରଖାଯାଇଥିବା ଟମାଟୋ ମଧ୍ୟ ଗାୟବ ହୋଇଯାଇଛି । ଏହି ଘଟଣା ନେଇ ମଙ୍ଗଳବାର ରାଫି ପୋଲିସ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମାମଲା ରୁଜୁ କରି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଚୋରମାନେ ସୁନା ସାଙ୍ଗରେ ଟମାଟୋ ମଧ୍ୟ ନେଇଯିବା ଜାଣି ସ୍ଥାନୀୟ ଲୋକେ ଆଶ୍ଚର୍ଯ୍ୟ ହୋଇଥିଲେ । ଏସମ୍ପର୍କରେ ସେମାନେ କହିଛନ୍ତି, ଚୋରମାନେ ହୁଏତ ଭାବି ଥାଇ ପାରନ୍ତି ଯେ, ଆଜିକାଲି ଟମାଟୋ ସୁନା ଅଳଙ୍କାର ଭଳି ମୂଲ୍ୟବାନ ଅଟେ । ତେଣୁ ଟମାଟୋ ମଧ୍ୟ ଚୋରି କରି ନେଇଛନ୍ତି ।
ପ୍ରକାଶଥାଉକି, ଆନ୍ଧ୍ରପ୍ରଦେଶର ଅନ୍ନୋମେୟା ଜିଲ୍ଲାରେ ଟମାଟୋକୁ ନେଇ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି । ଏକ ଟମାଟୋ ଚାଷୀଙ୍କୁ ହତ୍ୟା କରାଯିବା ଖବର ଏବେ ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ବଡିମଲ୍ଲାଦିନେ ଗାଁର ଟମାଟୋ ଚାଷୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ମଙ୍ଗଳବାର ରାତିରେ ଗାଁ ନିକଟକୁ ଯାଉଥିବାବେଳେ ହଠାତ୍ କିଛି ଦୁର୍ବୃତ୍ତ ଉକ୍ତ ଚାଷୀଙ୍କୁ ରାସ୍ତାରେ ଅଟକାଇ ଧମକ ଚମକ ଦେଇଥିଲେ । ଖାଲି ସେତିକି ନୁହେଁ, ଦୁର୍ବୃତ୍ତ ମାନେ ରାଜଶେଖରଙ୍କୁ ଆକ୍ରମଣ କରିବାକୁ ମଧ୍ୟ ପଛାଇ ନଥିଲେ । ଏକ ଗାମୁଛା ସାହାଯ୍ୟରେ ତାଙ୍କ ତଣ୍ଟି ଚିପି ହତ୍ୟା କରାଯାଇଥିବା ଜଣାପଡିଛି ।