ପାଟଣା: ସାରାଦେଶ ଏବେ ମହାମାରୀ କୋରୋନା ସହ ଜୁଝୁଛି । ସଂକ୍ରମଣ ମାମଲା ବଢିବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ସେହି ଅନୁପାତରେ ବଢିବାରେ ଲାଗିଛି । ଯାହାକୁ ନେଇ ସମସ୍ତେ ଭୟଭୀତ ଓ ଆତଙ୍କିତ । କିନ୍ତୁ ଏଠାର ଜଣେ ନବଜାତ ଶିଶୁ 5 ଦିନରେ ମହାମାରୀ କୋରୋନାକୁ ମାତ୍ ଦେଇଛି । ଦୁନିଆରେ ଆସିବା ମାତ୍ରେ ନବଜାତ କୋରୋନା ସଂକ୍ରମିତ ହୋଇଥିଲା। ମାତ୍ର କେବଳ ପାଞ୍ଚ ଦିନରେ ହିଁ କୋରୋନାକୁ ହରାଇ ଲୋକଙ୍କ ମୁହଁରେ ହସ ଫୁଟାଇଛି ଏହି ଶିଶୁଟି ।
ସୂଚନାମୁତାବିକ, ପାଟନାରେ ଜଣେ କୋରୋନା ସଂକ୍ରମିତ ମହିଳା 8 ମାସରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ମାତ୍ର ନବଜାତ ମଧ୍ୟ କୋରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଏହାପରେ ମାତ୍ର ୫ ଦିନରେ ନବଜାତ ଶିଶୁର କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା। ଏବଂ ସେ ତାଙ୍କ ନାନୀଙ୍କ ପାଖରେ ଅଛନ୍ତି । ମାତ୍ର ଶିଶୁଟିର ମାଆ ବର୍ତ୍ତମାନ ମଧ୍ୟ ପଜିଟିଭ ଅଛନ୍ତି। ପାଟନାର ଏମ୍ସ ହସ୍ପିଟାଲରେ ତାଙ୍କର ଚିକିତ୍ସା କରାଯାଉଛି ।
ତେବେ ମୁଗଲସରାୟ ଅଞ୍ଚଳର ଆନନ୍ଦ ଶର୍ମାଙ୍କ ପତ୍ନୀ ସଂଗୀତା ଶର୍ମା ଗର୍ଭବତୀ ଥିଲେ। ଏବଂ ସେ ତାଙ୍କ ବାପ ଘର ପାଟନାରେ ଥିଲେ । କିନ୍ତୁ ପାଟଣାରେ ଥିବା ସମୟରେ ସେ କୋରୋନାରେ ଆକ୍ରାନ୍ତ ହୋଇଥିଲେ ବୋଲି ଜଣାପଡିଥିଲା। ତାଙ୍କ ପ୍ରଥମେ ସେଠାରେ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମାତ୍ର ସ୍ୱାସ୍ଥ୍ୟ ଅବସ୍ଥା ବିଗିଡିବାରୁ ଏମ୍ସରେ ପରେ ଭର୍ତ୍ତି କରାଯାଇଥିଲା। ତାଙ୍କ ଅବସ୍ଥା ଦେଖି ସମୟ ପୂର୍ବରୁ ତାଙ୍କର ପ୍ରସବ କରାଯିବା ସହ ନବଜାତ ଜନ୍ମ ପରେ ସେ ମଧ୍ୟ କୋରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଏହାପରେ ଡାକ୍ତରଙ୍କ ସମେତ ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ନବଜାତକୁ କୋଭିଡ କେୟାର ସେଣ୍ଟରରେ ଭର୍ତ୍ତି କରାଯାଇଥିଲା। ୫ ଦିନରେ ଶିଶୁର ରିପୋର୍ଟ ନେଗେଟିଭ ଆସିବା ପରେ ଡାକ୍ତରମାନେ, ତାଙ୍କ ପରିବାର ସଦସ୍ୟଙ୍କୁ ଶିଶୁ ହସ୍ତାନ୍ତର କରିଥିଲେ।