ନୂଆଦିଲ୍ଲୀ: ତାଲିବାନ କବଜାରେ ଥିବା ଆଫଗାନିସ୍ତାନ ସଙ୍କଟ ଉପରେ ବଡ ବୟାନ ଦେଇଛନ୍ତି ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର । ପଡୋଶୀ ପାକିସ୍ତାନର ନାଁ ନନେଇ ଟାର୍ଗେଟ କରିଛନ୍ତି ବୈଦେଶିକମନ୍ତ୍ରୀ ।
UNSC ବୈଠକରେ ଜୟଶଙ୍କର କହିଛନ୍ତି, କିଛି ଦେଶ ଆତଙ୍କବାଦୀଙ୍କୁ ସହଯୋଗ କରୁଛନ୍ତି । ଏହାକୁ ରୋକିବାକୁ ପଡିବ । ଆତଙ୍କବାଦକୁ ଚାରିଆଡୁ କଡା ନିନ୍ଦା କରାଯିବା ଦରକାର । ଆତଙ୍କବାଦର ମହିମାଣ୍ଡନ ହେବା ଉଚିତ ନୁହେଁ । ଆଫଗାନିସ୍ତାନର ସ୍ଥିତି ପରେ ଚିନ୍ତା ପ୍ରକଟ କରି ଆତଙ୍କବାଦ ବିରୋଧରେ ବିଶ୍ବକୁ ଏକଜୁଟ ହେବା ଦରକାର ବୋଲି କହିଛନ୍ତି ଜୟଶଙ୍କର ।
ଆତଙ୍କବାଦ ବିରୋଧୀ ଲଢେଇରେ ଭାରତ ସମ୍ପୂର୍ଣ୍ଣ ସହଯୋଗ ଦେବାକୁ ପ୍ରସ୍ତୁତ । କୋରୋନାର ଉଦାହରଣ ଦେଇ ଜୟଶଙ୍କର କହିଛନ୍ତି, ଯାହା କୋରୋନା ପାଇଁ ସତ୍ୟ ତାହା ଆତଙ୍କବାଦ ପାଇଁ ମଧ୍ୟ ସତ । ଯେତେଯାଏଁ ସମସ୍ତେ ସୁରକ୍ଷିତ ନହେବେ, ସେଯାଏଁ କେହି ସୁରକ୍ଷିତ ବଞ୍ଚିପାରିବେ ନାହିଁ । ଆଫଗାନିସ୍ତାନ ହେଉ କି ଭାରତ, ଲସ୍କର, ଜୈଶ ଭଳି ଆତଙ୍କବାଦୀ ସଂଗଠନ ସର୍ବଦା ଏଠାରେ ସକ୍ରିୟଥିବା କହିଛନ୍ତି ଜୟଶଙ୍କର ।
ISIS ପ୍ରସଙ୍ଗ ଉଠାଇ ଜୟଶଙ୍କର କହିଛନ୍ତି, ଆଇଏସଆଇଏସର ଆର୍ଥିକ ଢାଞ୍ଚା ମଜବୁତ ହେଉଛି । ଆତଙ୍କୀକୁ ଜୀବନ ନେବା ପ୍ରତିବଦଳରେ ବିଟ୍ କଏନ ଦିଆଯାଉଛି । ଯୁବକଙ୍କୁ ଅନଲାଇନ ଏଜେଣ୍ଡା ଚଳାଇ ପଥଭ୍ରଷ୍ଟ କରାଯାଉଛି ବୋଲି କହିଛନ୍ତି ବୈଦେଶିକମନ୍ତ୍ରୀ ଜୟଶଙ୍କର ।