ହାଇଦ୍ରାବାଦ: ଜନ୍ମଦିନ ଉତ୍ସବ ବାହାନାରେ ଚାଲିଥିଲା ବାଲ୍ୟ ବିବାହ । 35 ବର୍ଷୀୟ ଯୁବକଙ୍କୁ ବିବାହ କରୁଥିଲେ 12 ବର୍ଷୀୟା ନାବାଳିକା । ବାପାମାଆ ନିଜ ନାବାଳିକା ଝିଅକୁ ଜୋର ଜବରଦସ୍ତ ବାହାଘର କରୁଥିଲେ । ହେଲେ ଝିଅଟି ଏ ବାବଦରେ ନିଜ ସମ୍ପର୍କୀୟ ଏବଂ ଗାଁ ଲୋକଙ୍କୁ ଖବର ଦେବା ପରେ ବିବାହକୁ ଅଧାରୁ ବନ୍ଦ କରିଛି ସମନ୍ବିତ ଶିଶୁ ବିକାଶ ଯୋଜନା(ICDS) । ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲାର ପପିରେଡ୍ଡୀ ଗୁଡା( Papireddy Guda) ଅଞ୍ଚଳରୁ ବାଲ୍ୟ ବିବାହର ଏ ଘଟଣା ସାମ୍ନାକୁ ଆସିଛି ।
ସୂଚନା ଅନୁଯାୟୀ, ସମ୍ପୃକ୍ତ ନାବାଳିକାର ବାପାମାଆ ଯାଯାବର ଭଳି ଜୀବନ ବିତାନ୍ତି । ଜୀବନ ଧାରଣ ପାଇଁ ସେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଘୁରି ବୁଲିଥାନ୍ତି । ଏହି କାରଣ ଯୋଗୁଁ ସେ ନିଜ 12 ବର୍ଷୀୟା ଝିଅର ବିବାହ କରାଇଦେବାକୁ ଚାହୁଁଥିଲେ । ସ୍ଥାନୀୟ ବେଲିଜରଲା ଗ୍ରାମର ଜଣେ 35 ବର୍ଷୀୟ ଯୁବକଙ୍କ ସହ ଝିଅର ବିବାହ ଠିକ୍ ହୋଇଥିଲା । ହେଲେ ନାବାଳିକା ଜଣକ ବିବାହ କରିବାକୁ ଚାହୁଁନଥିଲେ ।
ସେଥିପାଇଁ ସେ ଘର ଛାଡି ନିଜ ସମ୍ପର୍କୀୟଙ୍କ ଘରକୁ ପଳାଇ ଯାଇଥିଲେ । କିନ୍ତୁ ଝିଅ ପଛେ ପଛେ ବାପାମାଆ ସମ୍ପର୍କୀୟଙ୍କ ଘରେ ପହଞ୍ଚି ସେଠାରେ ପାଟିତୁଣ୍ଡ କରିବା ସହ ଝିଅକୁ ଘରକୁ ନେଇଆସିଥିଲେ । ଏହାପରେ ସମ୍ପର୍କୀୟ ICDS କର୍ତ୍ତୃପକ୍ଷଙ୍କୁ ସମସ୍ତ ଘଟଣା ସମ୍ପର୍କରେ ଜଣାଇଥିଲେ । ଅଭିଯୋଗ ଆଧାରରେ ICDS ଅଧିକାରୀ ପୋଲିସ ସହ ନାବାଳିକାର ଘରେ ପହଞ୍ଚିଥିଲା ଏବଂ ତାଙ୍କୁ ଉଦ୍ଧାର କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ