ହାଇଦ୍ରାବାଦ: ରାଜନୀତି, ବିରୋଧ ଓ ଚର୍ଚ୍ଚା ମଧ୍ୟରେ ଆସନ୍ତାକାଲି (ରବିବାର) ବହୁଚର୍ଚ୍ଚିତ ନୂତନ ସଂସଦ ଭବନ ଲୋକାର୍ପିତ ହେବାକୁ ଯାଉଛି । ହେଲେ ସର୍ବବୃହତ ଗଣତନ୍ତ୍ର ଭାରତର ସର୍ବବୃହତ ପଞ୍ଚାୟତ ଭାବେ ନୂଆ ପରିଚୟ ପାଇବାକୁ ଯାଉଥିବା ଏହି ଭବ୍ୟ ଅଟ୍ଟାଳିକାର ଐତିହ୍ୟ ସମ୍ପନ୍ନ କାରୁକାର୍ଯ୍ୟ ଏବେ ସମସ୍ତଙ୍କ ଜିଜ୍ଞାସା ବଢାଇଛି । ଭାରତର ବିବିଧତା ଓ ଭାସ୍କର୍ଯ୍ୟ କଳା ମଧ୍ୟ ଏହି ସୌଧର ନିର୍ମାଣରେ ପ୍ରତିଫଳିତ ହୋଇଛି । କାରଣ ଏଥିରେ ବ୍ୟବହୃତ ହୋଇଥିବା ବିଭିନ୍ନ ସାମଗ୍ରୀ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ଅଣାଯାଇଛି । ଆସନ୍ତାକାଲି ମଧ୍ଯାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାର ଲୋକାର୍ପଣ କରିବା ପରେ ଭାରତୀୟ ଗଣତନ୍ତ୍ରରେ ଏହି ଭବ୍ୟ ଅଟ୍ଟାଳିକା ଏକ ନୂଆ ଫର୍ଦ୍ଦ ଭାବେ ଯୋଡିହେବ । ଆସନ୍ତୁ ନଜର ପକାଇବା ଏହାର କିଛି ଭବ୍ୟ କାରୁକାର୍ଯ୍ୟ ଉପରେ ।
ନାଗପୁରରୁ ଆସିଛି ସାଗୁଆନ କାଠ:-
ଏବେ ଏହି ଅଟ୍ଟାଳିକାର ଏକାଧିକ ଫଟୋ, ଭିଡିଓ ସାମ୍ନାକୁ ଆସିବା ପରେ ଏହାର ଆଭ୍ୟନ୍ତରୀଣ କାରୁକାର୍ଯ୍ୟ ସମସ୍ତଙ୍କୁ ବିମୋହିତ କରିବାରେ ଲାଗିଛି । ଏହି ଆଭ୍ୟନ୍ତରୀଣ ଡିଜାଇନ ପ୍ରସ୍ତୁତିରେ ବ୍ୟବହୃତ ହୋଇଥିବା ବିଭିନ୍ନ ସାମଗ୍ରୀ ଦେଶର କୋଣ ଅନୁକୋଣରୁ ଅଣାଯାଇଛି । ପ୍ରଥମତଃ ଏଥିରେ ସଦସ୍ୟଙ୍କ ପାଇଁ ବସିବା ପାଇଁ ଉଦ୍ଦିଷ୍ଟ ଆସନ ସମ୍ପୂର୍ଣ୍ଣ ସାଗୁଆନ କାଠରେ ନିର୍ମିତ ହୋଇଛି । ଏହି ସାଗୁଆନ କାଠ ମହାରାଷ୍ଟ୍ରର ନାଗପୁରରୁ ଅଣାେଯାଇଛି । ବିଶେଷ ଭାବେ ଉଭୟ ଗୃହରେ ମୋଟ 1280 ସଦସ୍ଯଙ୍କ ଏକକାଳୀନ ଭାବେ ଉପସ୍ଥିତ ହେବା ପାଇଁ ଆସନ ବ୍ୟବସ୍ଥା କରାଯାଇଛି ।ଏହି ସମସ୍ତ ଆସନ ବା ଚୈୟାର ଓ ଡେସ୍କ ସାଗୁଆନ କାଠରେ ନିର୍ମିତ ହୋଇଛି ।
ରାଜସ୍ଥାନରୁ ଆସିଛି ପଥର:-
ସେହିପରି ଏହାର ଅନ୍ୟତମ ଆକର୍ଷଣ ହେଉଛି ଏହାର ପ୍ରସ୍ତର ଖୋଦିତ କାରୁକାର୍ଯ୍ୟ ସମ୍ପନ୍ନ କାନ୍ଥ । ଏଥିରେ ସାଧାରଣ ପ୍ରସ୍ତର ନୁହେଁ ବରଂ, ବିଶେଷ ଧରଣର ନାଲି ଓ ଧଳା ବାଲୁକା ପଥର ବ୍ଯବହାର କରାଯାଇଛି । ଯାହା ବିଶେଷ ଭାବେ ରାଜସ୍ଥାନର ସରମାଥୁରା ଅଣାଯାଇଛି । ରାଜସ୍ଥାନରୁ ଅଣାଯାଇଥିବା ପଥରରେ ଖୋଦନ କାରୁକାର୍ଯ୍ୟ ନୂତନ ସଂସଦ ଭବନ ଭାରତର ବିବିଧ ସଂସ୍କୃତି ପ୍ରତିଫଳିତ କରୁଛି । ଏହି ପଥରରେ ଐତିହାସିକ ଲାଲକିଲ୍ଲାର କିଛି ଅଂଶ ମଧ୍ୟ ନିର୍ମାଣ କରାଯାଇଥିଲା ।
ମିର୍ଜାପୁରରୁ ଆସିଛି କାର୍ପେଟ:-
ଉଭୟ ସଦନର ଅନ୍ୟତମ ଆକର୍ଷଣ ସାଜିଛି, ଏହାର ଚଟାଣରେ ବିଛାଯାଇଥିବା କାର୍ପେଟ ବା ଗାଲିଚା । ଉତ୍ତର ପ୍ରଦେଶର ମିର୍ଜାପୁରରୁ କାର୍ପେଟ ଓ ଏଥିରେ ବ୍ୟବହାର କରାଯାଇଥିବା ସାମଗ୍ରୀ ଅଣାଯାଇଛି । କାନ୍ଥ ଓ ଛାତର ଡିଜାଇନକୁ ମ୍ୟାଚ କରିବା ପରି ଗାଲିଚା ଚଟାଣର ଶୋଭାକୁ ଦ୍ବିଗୁଣିତ କରୁଛି । ସେହିପରି ଉତ୍ତର-ପୂର୍ବ ରାଜ୍ୟ ତ୍ରିପୁରାରୁ ବାଉଁଣ ଅଣାଯାଇ, ସେଥିରେ ମଧ୍ୟ ବଭିନ୍ନ ପ୍ରକାର ଆଭ୍ୟନ୍ତରୀଣ କାରୁକାର୍ଯ୍ୟ କରାଯାଇଛି ।
ରାଜସ୍ଥାନରୁ ପଥର ଓ ମାର୍ବଲ :-
ସେହିପରି ଏହାର କାନ୍ଥ ଓ ଚଟାଣ କେବଳ ଗୋଟିଏ ପ୍ରକାରର ପଥରରେ ନିର୍ମାଣ କରାଯାଇ ନାହିଁ । ଏକାଧିକ ପ୍ରକା ବିଶେଷ ଧରଣର ପଥର ଏଥିରେ ବ୍ୟବହୃତ ହୋଇଛି । ରାଜସ୍ଥାନ ଉଦୟପୁରରୁ କେଶରୀୟା ଗ୍ରୀନ ଷ୍ଟୋନ (ସବୁଜ ରଙ୍ଗର ପଥର) ଅଣାଯାଇଛି । ଆଜମେରରୁ ନାଲି ଗ୍ରେନାଇଟ । ରାଜସ୍ଥାନ ଆମ୍ବାଜୀରୁ ଧଳା ମାର୍ବଲ ଅଣାଯାଇଛି । ଯଦି ଏହା ଦେଖାଯାଏ, ତେବେ କହିବା ଭୁଲ ହେବ ନାହିଁ ଯେ, ଗଣତନ୍ତ୍ରରେ ଏହି ଭବ୍ୟ ମନ୍ଦିରରେ ଭାରତର ବିବିଧତା ଭରା ଭାସ୍କର୍ଯ୍ୟ କଳା ସ୍ଥାନ ପାଇଛି । ଏକ ଭାରତ ଶ୍ରେଷ୍ଠ ଭାରତର ମନ୍ତ୍ର ଏଥିରେ ପ୍ରତିଫଳିତ ହେବାର କୌଣସି ଅବସର ଯେପରି ଛଡାଯାଇ ନାହିଁ । ଏହି ଅଟ୍ଟାଳିକାରେ ଥିବା ପଥର 'ଜାଲି' (ଲାଟାଇସ୍) କାର୍ଯ୍ୟ ରାଜସ୍ଥାନର ରାଜନଗର ଏବଂ ଉତ୍ତର ପ୍ରଦେଶର ନୋଏଡାରୁ ଅଣାଯାଇଛି ।
ଡାମନ-ଡ୍ୟୁ ରୁ ଆସିଛି ଇସ୍ପାତ ସାମଗ୍ରୀ:-
କେବଳ ପ୍ରସ୍ତର କାରୁକାର୍ଯ୍ୟ ନୁହେଁ ବରଂ ଏଥିରେ ବ୍ୟବହାର ହୋଇଥିବା ଷ୍ଟିଲ ବା ଇସ୍ପାତ ମଧ୍ୟ ଭାରତର ବିବିଧତା ବହନ କରୁଛି । ଲୋକସଭା ତଥା ରାଜ୍ୟସଭା ଗୃହରେ ଛାତ ସିଲିଂ ପାଇଁ ବ୍ୟବହୃତ ହୋଇଥିବା ଇସ୍ପାତ ସାମଗ୍ରୀ କେନ୍ଦ୍ର ଶାସିତ ଅଞ୍ଚଳ ଡାମନ ଓ ଡ୍ଯୁ ରୁ ଅଣାଯାଇଛି । ସେହିପରି ଏହି ଭବ୍ୟ ଅଟ୍ଟାଳିକାରେ ଗଠନ ଢାଞ୍ଚା ବ୍ୟତୀତ ବ୍ୟବହାର ହୋଇଥିବା ସୌଖୀନ ଆସବାବପତ୍ର ମୁମ୍ବାଇରେ ତିଆରି କରାଯାଇଛି ।
ଇନ୍ଦୋରର ସ୍ବତନ୍ତ୍ର ପଥରରେ ହୋଇଛି ଅଶୋକ ଚକ୍ର:-
ଦେଶର ଜାତୀୟ ସଙ୍କେତ ଅଶୋକ ସ୍ତମ୍ଭ ପାଇଁ ଅବଶ୍ୟକ ସାମଗ୍ରୀ ମହାରାଷ୍ଟ୍ରର ଔରଙ୍ଗାବାଦ ଏବଂ ରାଜସ୍ଥାନର ଜୟପୁରରୁ ଅଣାଯାଇଛି । ଉଭୟ ଗୃହରେ ବାଚସ୍ପତି ଓ ଉପରାଷ୍ଟ୍ରପତି ଆସନ ପଛପାର୍ଶ୍ବ କାନ୍ଥରେ ରହିଛି ଦୁଇଟି ବିଶାଳ ଅଶୋକ ଚକ୍ର । ଏହାର ନିର୍ମାଣରେ ଲାଗିଥିବା ପଥର ମଧ୍ୟ ପ୍ରଦେଶର ଇନ୍ଦୋରରୁ ଯାଇଛି । ସେହିପରି ନିର୍ମାଣରେ ବ୍ୟବହୃତ ବିଶେଷ ଧରଣର ଫ୍ଲାଏ ପାଉଁଶ ଇଟା ହରିୟାଣା ଏବଂ ଉତ୍ତର ପ୍ରଦେଶରୁ ବିଭିନ୍ନ ସ୍ଥାନରୁ ଅଣାଯାଇଛି । ପିତ୍ତଳ କାର୍ଯ୍ୟ ଏବଂ ପ୍ରି-କାଷ୍ଟ ଟ୍ରେଞ୍ଚ ଗୁଜୁରାଟର ଅହମ୍ମଦାବାଦରୁ ଅଣାଯାଇଛି ।
ଟାଟା ପ୍ରୋଜେକ୍ଟ ଲିମିଟେଡ୍ ଦ୍ୱାରା ନିର୍ମିତ ନୂତନ ସଂସଦ ଭବନରେ ଭାରତର ଗଣତାନ୍ତ୍ରିକ ଐତିହ୍ୟ, ସାଂସଦମାନଙ୍କ ପାଇଁ ଏକ ଲାଉଞ୍ଜ, ଲାଇବ୍ରେରୀ, ଏକାଧିକ କମିଟି କୋଠରୀ, ଡାଇନିଂ ଏରିଆ ଏବଂ ପର୍ଯ୍ୟାପ୍ତ ପାର୍କିଂ ଏରିଆ ବ୍ୟବସ୍ଥିତ ହୋଇଛି । ତ୍ରିକୋଣୀୟ ଆକୃତିର ଚାରି ମହଲା ବିଶିଷ୍ଟ ଏହି ବିଶାଳ ଓ ଭବ୍ୟ ଅଟ୍ଟାଳିକାର ମୋଟ କ୍ଷେତ୍ରଫଳ 64,500 ବର୍ଗ ମିଟରର ରହିଛି । ଏହି ବିଲଡିଂରେ ତିନୋଟି ମୁଖ୍ୟ ଫାଟକ ରହିଛି ଓ ଯାହାର ନାମକରଣ ମଧ୍ୟ ପାରମ୍ପରିକ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର, ଏବଂ କର୍ମ ଦ୍ୱାରଭାବେ କରାଯାଉଇଛି । ଏଥିରେ ବିଶିଷ୍ଟ ବ୍ୟକ୍ତି, ସାଂସଦ ଏବଂ ପରିଦର୍ଶକମାନଙ୍କ ପାଇଁ ଅଲଗା ପ୍ରବେଶ ପଥ ରହିବ ।
ଲୋକସଭାରେ ହୋଇପାରିବ ମିଳିତ ଅଧିବେଶନ:-
ଏହି ନୂତନ ସଂସଦ ଭବନରେ ନିମ୍ନ ସଦନ ଲୋକସଭାରେ 888 ସଦସ୍ୟ ଓ ଉଚ୍ଚ ସଦନ ରାଜ୍ୟସଭାରେ 300 ସଦସ୍ୟ ବସିପାରିବେ । ସଂସଦୀୟ ପରମ୍ପରା ଅନୁସାରେ ମିଳିତ ଅଧିବେଶନ ସମୟରେ ଲୋକସଭା ଗୃହକୁ ବ୍ୟବହାର କରାଯାଇପାରିବ । ଏଥିରେ ଏକକାଳୀନ 1,280 ସାଂସଦଙ୍କ ବସିବା ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି ।
2026 ରେ ବଢିପାରେ ସଂସଦୀୟ କ୍ଷେତ୍ର ସଂଖ୍ୟା :-
ଉଲ୍ଲେଖନୀୟ କଥା ହେଉଛି, 1971 ଜନଗଣନାରୁ ସାମ୍ନାକୁ ଆସିଥିବା ତଥ୍ୟ ଆଧାରରେ ଲୋକସଭା ଆସନ ସଂଖ୍ୟା 545 କୁ ବୃଦ୍ଧି କରାଯାଇଥିଲା । ହେଲେ 2026 ରେ ଲୋକସଂଖ୍ୟା ଆଧାରରେ ଦେଶର ସଂସଦୀୟ ଆସନ ମଧ୍ୟ ବୃଦ୍ଧି ପାଇବାରେ । ତେଣୁ ଏହି ବିଶାଳ ସଂସଦ ଭବନର ଆବଶ୍ୟକତା ନିକଟ ଭବିଷ୍ଯତରେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ସେହି ଦୃଷ୍ଟିରୁ ଏହି ଭବ୍ୟ ନୂତନ ସଂସଦ ଭବନ ନୂଆ ଭାରତର ରୂପରେଖ ପ୍ରସ୍ତୁତ କରିବ ।
ଲୋକାର୍ପଣ ପାଇଁ ପ୍ରସ୍ତୁତି ଶେଷ:-
ଆସନ୍ତାକାଲି (ରବିବାର) ଏହାର ଲୋକାର୍ପଣ କରିବା ପାଇଁ ସମସ୍ତ ଆୟୋଜନ ଶେଷ ହୋଇସାରିଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲୋକସଭାରେ ସ୍ଥାପିତ ହେବାକୁ ଥିବା ସେଙ୍ଗୋଲ ବା ରାଜଦଣ୍ଡକୁ ତାମିଲନାଡୁର ମଠାଧିଶଙ୍କ ଠାରୁ ଗ୍ରହଣ କରିଛନ୍ତି । ନିମନ୍ତ୍ରିତ ଅତିଥି, ସାଧୁସନ୍ଥ, ବିଶିଷ୍ଟ ବ୍ୟକ୍ତି ବିଶେଷ, ରାଜନୈତିକ ଦଳର ପ୍ରତିନିଧି ଦିଲ୍ଲୀ ପହଞ୍ଚିବା ଆରମ୍ଭ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ