କୋଭିଡ ମହାମାରୀ ଯୋଗୁଁ ଦେଶରେ ସବୁ ପ୍ରକାର ସ୍ୱାସ୍ଥ୍ୟ ସଂଙ୍କଟ ଦେଖାଦେଇଛି । ଏ ପରିପ୍ରେକ୍ଷୀରେ ଡାକ୍ତରମାନେ ଟିବି ରୋଗୀମାନଙ୍କୁ ଅଧିକ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । କାରଣ କୋଭିଡ-୧୯ ଭୂତାଣୁ ସିଧାସଳଖ ଫୁସଫୁସକୁ ପ୍ରଭାବିତ କରିଥାଏ । ଟିବିରେ ପୀଡିତ ଲୋକଙ୍କର ସହ-ରୁଗଣତା ଥାଏ । ସେମାନଙ୍କର ଫୁସଫୁସ କ୍ଷତିଗ୍ରସ୍ତ ହୋଇଥାଏ । ତେଣୁ କୋଭିଡ ଦ୍ୱାରା ସେମାନେ ଅଧିକ ପ୍ରଭାବିତ ହେବା ଆଶଙ୍କା ରହେ ବୋଲି ଡାକ୍ତରମାନେ କହିଛନ୍ତି । ଟିବି ଓ କୋଭିଡର ଲକ୍ଷଣ ପ୍ରାୟ ସମାନ । କଫ ଓ ଜ୍ୱର ଏହାର ଉଦାହରଣ ବୋଲି ଡାକ୍ତରମାନେ କହିଛନ୍ତି । ଲକ୍ଷଣରେ ସମାନତା ଯୋଗୁଁ ଟିବି ରୋଗୀଙ୍କଠାରେ କୋଭିଡ ଚିହ୍ନଟ ନେଇ ସଂଶୟ ଉପୁଜିଥାଏ ।
ଟିବି ରୋଗୀଙ୍କୁ କୋଭିଡ ହେଲେ ସାମାଜିକ ଭାବେ ସେମାନେ ସମସ୍ୟାର ସମ୍ମୁଖୀନ ହୁଅନ୍ତି ବୋଲି ବି ଡାକ୍ତରମାନେ କହିଛନ୍ତି । ଟିବି ଓ କୋଭିଡ ସାଧାରଣତଃ ଫୁସଫୁସକୁ ପ୍ରଭାବିତ କରିଥାଏ । କୋଭିଡ ଓ ଟିବି ମଧ୍ୟରେ ସିଧାସଳଖ ସଂପର୍କ ନାହିଁ । କିନ୍ତୁ ଟିବି ରୋଗୀମାନେ କୋଭିଡର ତୀବ୍ରତା ସାମ୍ନା କରିବା ଆଶଙ୍କା ଅଧିକ ବୋଲି ଡାକ୍ତରମାନେ କହିଛନ୍ତି । ବିଶେଷ କରି ଢାଞ୍ଚାଗତ କ୍ଷତିର ସମ୍ମୁଖୀନ ହୋଇଥିବା ଟିବି ରୋଗୀମାନଙ୍କଠାରେ କୋଭିଡର ତୀବ୍ରତା ଅନୁଭୂତ ହୁଏ ବୋଲି ଗୁରୁଗ୍ରାମର ନାରାୟଣ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଶିବା କଲ୍ୟାଣ ବିଶ୍ୱାଳ କହିଛନ୍ତି । କୋଭିଡ ମହାମାରୀର ସିଧାସଳଖ ପ୍ରଭାବ ଯୋଗୁଁ ୨୦୨୦ ରୁ ୨୦୨୫ ମଧ୍ୟରେ ଟିବିରେ ଅତିରିକ୍ତ ୧ ଦଶମିକ ୪ ମିଲିଅନ ମୃତ୍ୟୁ ହୋଇପାରେ ବୋଲି ବିଶ୍ୱସ୍ୱାସ୍ଥ୍ୟ ସଂଙ୍ଗଠନ ଅନୁମାନ କରିଥିବା ଡାକ୍ତର କଲ୍ୟାଣ ବିଶ୍ୱାଳ ସୂଚନା ଦେଇଛନ୍ତି।
ଉଭୟ ଟିବି ଓ କୋଭିଡ ରୋଗକୁ ଗମ୍ଭୀରତାର ସହ ନିଆଯିବା ଉପରେ ଗୁରୁତ୍ୱାରୋପ କରିଛନ୍ତି ଡାକ୍ତର ବିଶ୍ୱାଳ । ଟିବି ବିଶ୍ୱର ମରଣାନ୍ତକ ସଂକ୍ରାମକ ରୋଗ ମଧ୍ୟରୁ ଅନ୍ୟତମ । ପ୍ରତିଦିନ ପାଖାପାଖି ୪ ହଜାର ଲୋକ ଏହି ରୋଗ ଯୋଗୁଁ ମୃତ୍ୟୁମୁଖରେ ପଡୁଛନ୍ତି । ୨୮ ହଜାର ଲୋକ ପ୍ରତିଦିନ ଟିବିରେ ପୀଡିତ ହୁଅନ୍ତି । ଟିବି କିନ୍ତୁ ପ୍ରତିକାରମୂଳକ ଓ ଆରୋଗ୍ୟ ଯୋଗ୍ୟ ରୋଗ । ବିଶ୍ୱ ସ୍ୱାସ୍ଥ୍ୟ ସଂଙ୍ଗଠନର ହିସାବ ଅନୁସାରେ, ବିଶ୍ୱରେ ୧୦ ମିଲିଅନରୁ ଅଧିକ ଟିବି ମାମଲା ରହିଛି । ବିଶ୍ୱର ୬ଟି ଦେଶରେ ହିଁ ଟିବିର ୬୦ ପ୍ରତିଶତ ମାମଲା ରହିଛି । ଭାରତରେ ଟିବି ରୋଗୀଙ୍କ ସଂଖ୍ୟା ସର୍ବାଧିକ । ଏହାପରେ ଚୀନ, ନାଇଜେରିଆ, ପାକିସ୍ତାନ ରହିଛି । ଡ୍ରଗ୍ ରେସିଟାଣ୍ଟ ବା ଔଷଧ ପ୍ରତିହତକାରୀ ଟିବି ଔଷଧରେ ଭଲ ହେବା କଷ୍ଟକର ବୋଲି ଉଜ୍ଜ୍ୱଳା ସାଇଗନସ୍ ଗ୍ରୁପ୍ ଅଫ ହସ୍ପିଟାଲର ପ୍ରତିଷ୍ଠାତା ଓ ନିର୍ଦ୍ଦେଶକ ସୁଚିନ ବଜାଜ କହିଛନ୍ତି ।
ଏକ ସଂକ୍ରାମକ ବ୍ୟାକଟେରିଆ ଯୋଗୁଁ ଟିବି ହୋଇଥାଏ , ଯାହା କି ଫୁସଫୁସର କ୍ଷତି କରିଥାଏ । ସଂକ୍ରମଣ ଶରୀରର ଅନ୍ୟଭାଗକୁ ମଧ୍ୟ ପ୍ରଭାବିତ କରେ । ବ୍ରେନ ଓ ସ୍ପାଇନ୍କୁ ମଧ୍ୟ ଟିବି ପ୍ରଭାବିତ କରେ । ସଂକ୍ରମିତ ରୋଗୀର କଫ ଓ ଛିଙ୍କରୁ ବାହାରୁ ଥିବା କଣିକା ବାୟୁରେ ବ୍ୟାପିଥାଏ । ଏଥିଯୋଗୁଁ ରୋଗ ଗୋଟିଏ ବ୍ୟକ୍ତିରୁ ଆଉ ଜଣେ ବ୍ୟକ୍ତିଙ୍କୁ ବ୍ୟାପେ ।
ଏଚଆଇଭି ସଂକ୍ରମିତ ବା ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକେ ଯଦି ଟିବି ବ୍ୟାକଟେରିଆରେ ସଂକ୍ରମିତ ହୁଅନ୍ତି, ତାହା ହେଲେ ଏହା ସେମାନଙ୍କ ଲାଗି ଗୁରୁତର ସ୍ଥିତି ସୃଷ୍ଟି କରିବ ବୋଲି ଗୁରୁଗ୍ରାମର କଲମ୍ବିଆ ଏସିଆ ହସ୍ପିଟାଲର ସିନିଅର କନସଲଣ୍ଟାଟ ପୀୟୂଷ ଗୋଏଲ କହିଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ହିଁ ଟିବିକୁ ସମୂଳେ ବିନାଶ କରିବା ଉପରେ ଡାକ୍ତରମାନେ ଗୁରୁତ୍ୱାରୋପ କରିଛନ୍ତି । ରୋଗ ଶୀଘ୍ର ଚିହ୍ନଟ ହେଲେ ଏହାର ଉପଚାର ଓ ଚିକିତ୍ସା କରିବା ସହଜ ।
କିନ୍ତୁ ଗତବର୍ଷକ ମଧ୍ୟରେ କୋଭିଡ-୧୯ ଯୋଗୁଁ ଟିବି ସ୍କ୍ରିନିଂ ପ୍ରକ୍ରିୟାରେ ସମସ୍ୟା ସୃଷ୍ଟି ହୋଇଛି । ଭାରତରେ ଦଶମ ଓ ପଂଚଦଶ ସପ୍ତାହ ମଧ୍ୟରେ ଟିବି ନୋଟିଫିକେସନ ୭୦ ପ୍ରତିଶତ ହ୍ରାସ ପାଇଥିବା ଜଣାପଡିଛି । ଟିବି ସାରାବିଶ୍ୱରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି । ତେଣୁ ଏଥର ବିଶ୍ୱ ଟିବି ଦିବସର ଥିମ୍ ଯଥାର୍ଥ ଭାବେ ‘ଦି କ୍ଲକ୍ ଇଜ୍ ଟିକିଂ’ ରଖାଯାଇଥିଲା। ସମୟ ଥାଉ ଥାଉ ଟିବିର ସଠିକ ଉପଚାର କରିବା ଜରୁରୀ ।