ନୂଆଦିଲ୍ଲୀ: ମ୍ୟାକ୍ସି ପିନ୍ଧିବାକୁ ନେଇ କମେଣ୍ଟ କରିବା ନିଷ୍ଠୁରତା ନୁହେଁ । ଏପରି କହି ମହିଳାଙ୍କ ଯୌତୁକ ନିର୍ଯାତନା ଆବେଦନକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ । ମହିଳା ଜଣକ ଗତ ୨୦୧୩ ମସିହାରେ ଶାଶୁ ଓ ୨ ଜଣ ଦେଢଶୂର (ଜଣେ ଦେଢଶୂର ନ୍ୟାୟିକ ଅଧିକାରୀ)ଙ୍କ ନାମରେ ଏହି ଅଭିଯୋଗ ଆଣିଥିଲେ । ତେବେ ମ୍ୟାକ୍ସି ପିନ୍ଧିବା ଉପରେ ଟିପ୍ପଣୀ ଦେବା କୌଣସି ନିଷ୍ଠୁରତା ନୁହେଁ ବୋଲି ମାମଲାର ଶୁଣାଣି ସମୟରେ କହିଛନ୍ତି ସୁପ୍ରିମକୋର୍ଟ । ମହିଳାଙ୍କ ଅନେକ ଅଭିଯୋଗର କୌଣସି ଆଧାର ନଥିବା ବେଳେ ଏହା ଉଦ୍ଦେଶ୍ୟମୂଳକ ଭାବେ ପ୍ରତିଶୋଧ ନେବା ଲାଗି ଅଣାଯାଇଥିବା କହିଛନ୍ତି ସୁପ୍ରିମକୋର୍ଟ ।
ମହିଳା ଜଣକ ଆବେଦନ ପତ୍ରରେ ଅଭିଯୋଗ କରିଥିଲେ ଯେ ସେ ମ୍ୟାକ୍ସି ପିନ୍ଧିବା ବେଳେ ତାଙ୍କ ଶାଶୁ ଯେଉଁଭଳି ଭାବରେ କମେଣ୍ଟ କରନ୍ତି, ତାହା ଆଇପିସି ଧାରା ୪୯୮ଏ ଅନୁଯାୟୀ ସମ୍ପୂର୍ଣ୍ଣ ଭାବେ ନିଷ୍ଠୁରତା । ଜଷ୍ଟିସ ଅନିରୁଦ୍ଧ ବୋଷ, ସଞ୍ଜୟ କୁମାର ଏବଂ ଏସଭିଏନ ଭଟ୍ଟୀଙ୍କୁ ନେଇ ଗଠିତ ୩ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଅଭିଯୋଗକାରୀଙ୍କ ଉଦ୍ଦେଶ୍ୟ କଣ ତାହା ସ୍ପଷ୍ଟ ଭାବେ ଜଣାପଡୁନାହିଁ । ଆବେଦନକାରୀ ମହିଳା ସ୍ପଷ୍ଟ ଭାବରେ ନିଜ ଶାଶୁଙ୍କଠାରୁ ପ୍ରତିଶୋଧ ନେବାକୁ ଚାହୁଁଛନ୍ତି । ଏପରି କମେଣ୍ଟକୁ ସେ ଅସଙ୍ଗତି ବୋଲି ଦର୍ଶାଇଛନ୍ତି ।
ଏହା ବି ପଢନ୍ତୁ- ଯୌତୁକରେ କାର ଦେବା ପାଇଁ ଅସମର୍ଥ ହେବାରୁ ସ୍ତ୍ରୀକୁ ତଲାକ ଦେଲା ସ୍ବାମୀ, ଥାନାରେ ଏତଲା
ମହିଳା ଜଣକ ଶାଶୁ ଓ ୨ ଜଣ ଦେଢଶୂରଙ୍କ ବିରୋଧରେ ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଏହାପରେ ଅଭିଯୁକ୍ତମାନେ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହି ମାମଲାରେ ମଧ୍ୟପ୍ରଦେଶ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ଆବେଦନକାରୀ ଅଭିଷେକ (ମହିଳାଙ୍କ ସ୍ବାମୀ) ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ତେବେ ସୁପ୍ରିମକୋର୍ଟଙ୍କ ୩ ଜଣିଆ ଖଣ୍ଡପୀଠ ତାଙ୍କ ଆବେଦନକୁ ଗ୍ରହଣ କରିବା ସହ ମହିଳାଙ୍କ ଏଫଆଇଆରକୁ ଖାରଜ କରିଛନ୍ତି । ଅଗଷ୍ଟ ୩୧ରେ ଦିଆଯାଇଥିବା ରାୟରେ କୋର୍ଟ କହିଛନ୍ତି, " ଏପରି ପରିସ୍ଥିତିରେ ଆବେଦନକାରୀ (ମହିଳାଙ୍କ ସ୍ବାମୀ)ଙ୍କ ବିରୋଧରେ ଅପରାଧିକ ପ୍ରକ୍ରିୟାକୁ ଅନୁମତି ଦେବା ଦ୍ବାରା ଅନ୍ୟାୟ ହୋଇଥିବା ସ୍ପଷ୍ଟ ଦର୍ଶାଉଛି । ଏଠାରେ ମଧ୍ୟପ୍ରଦେଶ ହାଇକୋର୍ଟ CrPC ଧାରା 482 ଆଧାରରେ ମହିଳାଙ୍କ FIRକୁ ଖାରଜ କରିବାର ଆବଶ୍ୟକତା ଥିଲା ।"
ସର୍ବୋଚ୍ଚ ଅଦାଲତ ମହିଳାଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଉପରେ ଆଶ୍ଚର୍ଯ୍ୟଭାବ ପ୍ରକଟ କରିଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି, "ମହିଳା ଜଣକ ୨୦୧୩ ମସିହାରେ ଏହି ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି, ଯେତେବେଳେ ତାଙ୍କ ସ୍ବାମୀ ଛାଡ଼ପତ୍ର ଆବେଦନ କରିଥିଲେ । ସେ ଶାଶୁ ଘରେ ମାତ୍ର ୨ ବର୍ଷ ରହିଥିବା ବେଳେ ୨୦୦୯ ମସିହାରୁ ନିଜ ପିତାମାତାଙ୍କ ସହିତ ରହୁଛନ୍ତି । ଅଭିଯୋଗ ଅନୁସାରେ ମହିଳାଙ୍କ ସହ ଏହି ଘଟଣା ୨୦୦୭ରୁ ୨୦୧୩ ମସିହା ମଧ୍ୟରେ ଘଟିଛି । ୨୦୦୯ ମସିହା ପରେ ମହିଳା କୌଣସି ଅଭିଯୋଗ ଆଣିନାହାନ୍ତି । ଦେଢଶୂରଙ୍କ ବିରୋଧରେ ସେପରି କୌଣସି ଅଭିଯୋଗ ନାହିଁ । କେବଳ ମ୍ୟାକ୍ସି ପିନ୍ଧିବାକୁ ନେଇ ଶାଶୁଙ୍କ ବିରୋଧରେ ଅଭିଯୋଗ ରହିଛି । ଯାହାକି କୌଣସି ପ୍ରକାର ନିଷ୍ଠୁରତା ନୁହେଁ । ସେ ଉଦ୍ଦେଶ୍ୟମୂଳକ ଭାବେ ଏପରି ଅଭିଯୋଗ ଆଣିଥିବା ସ୍ପଷ୍ଟ ପ୍ରତୀୟମାନ ହେଉଛି ।"
ମହିଳା ଜଣକ ଜଣେ ଦେଢଶୂରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ଯେ ବିବାହ ସମୟରେ ସେ ଏକ କାର ସହିତ ୨.୫ ଲକ୍ଷ ଟଙ୍କା ଦାବି କରିଥିଲେ । ଏହି ଅଭିଯୋଗ ଉପରେ ବେଞ୍ଚ କହିଛି, "ଯଦି ଦେଢଶୂରଙ୍କୁ ଯୌତୁକ ଆବଶ୍ୟକ ଥିଲା ତେବେ ସେ ନିଜ ବିବାହ ସମୟରେ ଦାବି ନ କରି ଭାଇର ବିବାହ ସମୟରେ କାହିଁକି ଯୌତୁକ ଦାବି କରିବେ । ଏହି ଅଭିଯୋଗର କୌଣସି ଆଧାର ନାହିଁ । ଉଦ୍ଦେଶ୍ୟମୂଳକ ଭାବେ ପ୍ରତିଶୋଧ ନେବା ଲାଗି ଅଭିଯୋଗ ଅଣାଯାଇଛି ।"
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ