ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନରେ ମହିଳାଙ୍କ ଉପରେ ଜଣେ ପୁରୁଷ ଯାତ୍ରୀ ପରିସ୍ରା କରିବା ଘଟଣାରେ ଟାଟା ଗ୍ରୁପ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ପ୍ରତିକ୍ରିୟା ରଖିଛନ୍ତି । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ଅଶୋଭନୀୟ ଘଟଣା ତାଙ୍କୁ ବ୍ୟକ୍ତିଗତ ଭାବେ ଦୁଃଖିତ କରିଛି । ଏହି ମାମଲାରେ ଏୟାର ଇଣ୍ଡିଆ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି । ପରିସ୍ଥିତି ନିୟନ୍ତ୍ରଣ ଏବଂ ତୁରନ୍ତ ପଦକ୍ଷେପ ନେବାରେ ଆମେ ସଫଳ ହୋଇପାରିଲୁ ନାହିଁ ବୋଲି ଏନ୍ ଚନ୍ଦ୍ରଶେଖରନ କହିଛନ୍ତି ।
ବିମାନ ଯାତ୍ରୀଙ୍କ ଅଶୋଭନୀୟ ବ୍ୟବହାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ DGCA ତାଗିତ୍ କରିଛି । ଏହାପରେ ଟାଟା ଗ୍ରୁପ ଅଧ୍ୟକ୍ଷ ଏନ୍ ଚନ୍ଦ୍ରଶେଖରନ ବିବୃତ୍ତି ରଖିଛନ୍ତି । ସେ କହିଛନ୍ତି, ଏହି ପ୍ରସଙ୍ଗରେ ଏୟାର ଇଣ୍ଡିଆ ପକ୍ଷରୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ଥିଲା । ପରିସ୍ଥିତିକୁ ଯେଉଁଭଳି ଭାବରେ ନିୟନ୍ତ୍ରଣ କରିବାର ଥିଲା, ଆମେ ସେଥିରେ ବିଫଳ ହୋଇଛୁ । 26 ନଭେମ୍ବର 2022ରେ ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଯାତ୍ରୀ ପରିସ୍ରା ଘଟଣା ସମସ୍ତ ସହଯୋଗୀ ଏବଂ ମୋ ପାଇଁ ବ୍ୟକ୍ତିଗତ ପୀଡ଼ାର ବିଷୟ ।
ଏୟାର ଇଣ୍ଡିଆର ତ୍ବରିତ ପଦକ୍ଷେପ ନେବାର ଥିଲା । କିନ୍ତୁ ଆମେ ଏଥିରେ ବିଫଳ ହେଲୁ । ଏୟାର ଇଣ୍ଡିଆ ସେବା ପ୍ରଥମେ ସରକାରଙ୍କ ଅଧିନରେ ରହିଥିଲା । ଗତ କିଛି ମାସ ପୂର୍ବରୁ ଏହା ଟାଟା ଗ୍ରୁପ ଅଧିନକୁ ଆସିଛି । ଟାଟା ଗ୍ରୁପ ଏବଂ ଏୟାର ଇଣ୍ଡିଆ ଯାତ୍ରୀଙ୍କ ସୁରକ୍ଷା ଏବଂ ହିତ ପାଇଁ ସମ୍ପର୍ଣ୍ଣ ଭାବେ ତତ୍ପର । ଏଭଳି ଘଟଣାକୁ ରୋକିବା ପାଇଁ ଆମେ ଯଥାସମ୍ଭବ ବ୍ୟବସ୍ଥା କରିବୁ ନଚେତ ସମୀକ୍ଷା କରିବୁ ।
ଏହା ମଧ୍ୟ ପଢ଼ନ୍ତୁ: Urinating Incident: 14ଦିନିଆ ବିଚାର ବିଭାଗୀୟ ହାଜତକୁ ଗଲେ ଅଭିଯୁକ୍ତ
ଅନ୍ୟପଟେ ଏୟାରଲାଇନ୍ସ କହିଛି ଯେ, ‘‘ଉକ୍ତ ଯାତ୍ରୀଙ୍କୁ 30 ଦିନ ବିମାନ ଉଡ଼ାଣ ଉପରେ ବାରଣ କରାଯାଇଛି । ସ୍ଥିତି ନିୟନ୍ତ୍ରଣ କରିବାରେ କ୍ରୁ ପକ୍ଷରୁ ବିଫଳତା ହୋଇଛି କି ନାହିଁ ତାହା ଯାଞ୍ଚ କରିବା ପାଇଁ ଏକ ଆନ୍ତରିକ ପ୍ୟାନେଲ ଗଠନ କରାଯାଇଥିଲା । DGCA ଏହି ଘଟଣାକୁ ନିନ୍ଦା କରିବା ସହ ସମସ୍ତ ଏୟାରଲାଅନ୍ସ ମୁଖ୍ୟଙ୍କୁ ନିର୍ଦ୍ଦେଶାବଳୀ ଜାରି ହୋଇଛି । ଏଥିସହ ବିମାନ ସେବା ନିର୍ଦ୍ଦେଶକ ଏବଂ କ୍ରୁ ସଦସ୍ୟଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛି ।
ସୂଚନା ଥାଉକି, ଗତ 26 ଡିସେମ୍ବର 2022ରେ ଏୟାର ଇଣ୍ଡିଆ ବିମାନର ବିଜନେସ କ୍ଲାସରେ ଥିବା ଜଣେ 70 ବର୍ଷୀୟ ମହିଳା ଯାତ୍ରୀଙ୍କ ଉପରେ ଜଣେ ପୁରୁଷ ଯାତ୍ରୀ ପରିସ୍ରା କରିଦେଇଥିବା ଘଟଣା ସାମ୍ନାକୁ ଆସିଥିଲା । ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ପ୍ରଚୁର ମଦ୍ୟପାନ କରି ମହିଳାଙ୍କ ଉପରେ ପରିସ୍ରା କରିଥିଲେ । ଏହି ଘଟଣାରେ ଗତ 7 ତାରିଖରେ ବେଙ୍ଗାଲୁରୁରୁ ଶଙ୍କର ମିଶ୍ରାଙ୍କୁ ଗିରଫ କରାଯାଇ ଦିଲ୍ଲୀ ଅଣାଯାଇଛି । ଏହାପରେ ତାଙ୍କୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ପୋଲିସ ହାଜର କରିଥିଲା । ତେବେ କୋର୍ଟ ତାଙ୍କୁ 14 ଦିନ ପାଇଁ ନ୍ୟାୟିକ ହେପାଜତକୁ ପଠାଇଛନ୍ତି ।