ବେଙ୍ଗାଲୁରୁ: ଆସନ୍ତା ବର୍ଷ (2023) ରେ ବିଜେପି ଶାସିତ ରାଜ୍ୟ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ତେବେ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୈତିକ ପାଣିପାଗ ମଧ୍ୟ ଉଷ୍ମ ହେବାରେ ଲାଗିଛି । 2023କୁ ଟାର୍ଗେଟ କରି ସ୍ବଂୟ ସେବକ ସଂଘ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ବେଙ୍ଗାଲୁରୁରେ 14 ଓ 15 ତାରିଖରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜନ କରିବ ସଂଘ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ଓ ରାଜ୍ୟ ବିଜେପି ମୁଖ୍ୟ ନଳୀନ କୁମାର କାଟିଲ ମଧ୍ୟ ଅଂଶଗ୍ରହଣ କରିବା ନେଇ ସୂଚନା ମିଳିଛି ।
ବେଙ୍ଗାଲୁରୁରେ ଥିବା RSS ମୁଖ୍ୟାଳୟରେ ଗତ କିଛି ଦିନ ତଳେ ଏନେଇ ଏକ ବୈଠକ ମଧ୍ୟ ଆୟୋଜନ କରାଯାଇଥିଲା । ରାଜ୍ୟ ସଂଘ ମୁଖ୍ୟ ମୁକୁନ୍ଦ ଓ ବିଜେପି ପ୍ରାଦେଶିକ ଅଧ୍ୟକ୍ଷ ନଳିନୀ କୁମାରଙ୍କ ମଧ୍ୟରେ ଉକ୍ତ ବୈଠକରେ ଆଲୋଚନା ହୋଇଥିଲା । ତେବେ ରାଜ୍ୟରେ ଦେଖାଯାଇଥିବା ସ୍ଥିତିରେ ସଂଘର ବଡ ଭୂମିକା ମଧ୍ୟ ରହିବ ।
ବର୍ତ୍ତମାନ କର୍ଣ୍ଣାଟକରେ ବିଜେପି ସରକାର ରହିଥିଲେ ସୁଦ୍ଧା, ହିଜାବ ଓ ହଲାଲ ବିବାଦ ରାଜ୍ୟ ରାଜନୀତିକୁ ସାମ୍ପ୍ରଦାୟିକ ମୋଡ ଦେଇଛି । ସେହିପରି ବିଶ୍ବ ହିନ୍ଦୁ ପରିଷଦର ଜଣେ ଯୁବ କାର୍ଯ୍ୟକର୍ତ୍ତାଙ୍କ ହତ୍ୟା ପରେ ରାଜ୍ୟରେ ଦେଖିବାକୁ ମିଳିଥିବା ହିଂସା ଆଦି ରାଜ୍ୟ ରାଜନୀତିକୁ ମଧ୍ୟ ପ୍ରଭାବିତ କରିଛି । ଏପରି ସମୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ ପାଇଁ ବଡ ଭୂମିକା ନିଭାଇବ ସ୍ବଂୟ ସେବକ ସଂଘ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ