ନୂଆଦିଲ୍ଲୀ: ଏଥର CNG କାର ଚଲେଇବା ପାଇଁ ବ୍ୟବହାର ହେବ ଗାଈର ଗୋବର । ଆଜ୍ଞା ହଁ ଏହା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ। ଭାରତର ସବୁଠାରୁ ନାମିଦାମୀ କାର ନିର୍ମାତା କମ୍ପାନୀ ସୁଜୁକି ମୋଟର କର୍ପୋରେସନ ( Suzuki Motor Corporation-SMC) ଗୋବରରେ ଚାଲୁଥିବା CNG କାର୍ ଖୁବ ଶୀଘ୍ର ଲଞ୍ଚ କରିବା ନେଇ ଘୋଷଣା କରିଛି। ଏନେଇ ମାରୁତି ସୁଜୁକି କମ୍ପାନୀ ଭାରତ ସରକାରଙ୍କ କମ୍ପାନୀ ଜାତୀୟ ଦୁଗ୍ଧ ବିକାଶ ବୋର୍ଡ (National Dairy Development Board ) ଓ ଏସିଆ ର ବୃହତ୍ତମ ଦୁଗ୍ଧ ଉତ୍ପାଦନକାରୀ ବନାସ ଡେୟରୀଙ୍କ ସହିତ ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।
![Cow Dung For CNG Cars](https://etvbharatimages.akamaized.net/etvbharat/prod-images/17602094_suzuki.jpg)
2030 ପାଇଁ କମ୍ପାନୀ ଏହାର ଅଭିବୃଦ୍ଧି ରଣନୀତିରେ କହିଛି ଯେ କମ୍ପାନୀ ଫୁଜିସାନ୍ ଆସାଗିରି ବାୟୋମାସ୍ ଏଲଏଲସି( Fujisan Asagiri Biomass LLC ) ରେ ମଧ୍ୟ ବିନିଯୋଗ କରିଛି। ଯିଏ ଜାପାନରେ ଗାଈର ଗୋବରରୁ ପ୍ରାପ୍ତ ବାୟୋଗ୍ୟାସକୁ ବ୍ୟବହାର କରି ବିଦ୍ୟୁତ ଉତ୍ପାଦନ କରିଥାଏ। ତେବେ ଏନେଇ ସୁଜୁକି ମୋଟର କର୍ପୋରେସନ୍ କହିଛି ଯେ, ଆମେ ଆଶା କରୁଛୁ ଭାରତୀୟ ବଜାର FY 2030 ଆଡକୁ ଯିବ। ଏଥିସହ ବିକ୍ରୟ ୟୁନିଟ୍ ବୃଦ୍ଧି ଏବଂ ସମୁଦାୟ CO2 ନିର୍ଗମନ ପରିମାଣ ହ୍ରାସ କରିବା ମଧ୍ୟରେ ଆମେ ଏକ ସନ୍ତୁଳନ ସୃଷ୍ଟି କରିବାକୁ ଚ୍ୟାଲେଞ୍ଜ କରିବୁ |
![Cow Dung For CNG Cars](https://etvbharatimages.akamaized.net/etvbharat/prod-images/17602094_suzuki-cow.jpg)
ଭାରତରେ CNG ବଜାର : ଏହି ଚ୍ୟାଲେଞ୍ଜର ମୁକାବିଲା ପାଇଁ ସୁଜୁକି କମ୍ପାନୀର ଅନନ୍ୟ ପଦକ୍ଷେପ ହେଉଛି ବାୟୋଗ୍ୟାସ୍ ବ୍ୟବସାୟ । ଯେଉଁଥିରେ ଗାଈ ଗୋବରରୁ ପ୍ରାପ୍ତ ବାୟୋଗ୍ୟାସ୍ ଉତ୍ପାଦନ ସହ ଯୋଗାଇ ଦିଆଯିବ । ତେବେ ଏନେଇ କମ୍ପାନୀ କହିଛି ଯେ , ଏହି ବାୟୋଗ୍ୟାସ ସୁଜୁକିର ସିଏନଜି ମଡେଲ ପାଇଁ ବ୍ୟବହାର କରାଯାଇ ପାରିବ। ଯାହା ଭାରତରେ CNG କାର ବଜାରର ପ୍ରାୟ 70 ପ୍ରତିଶତ ଅଟେ ।
ସୁଜୁକି ହେଉଛି ଭାରତର ଅଟୋମୋବାଇଲ ବଜାରର ମାର୍କେଟ ଲିଡର । ଯାହା ଉଦୀୟମାନ ଦେଶର ଅର୍ଥନୈତିକ ବିକାଶରେ ସହାୟକ ହୋଇଥାଏ । ତେବେ ପ୍ୟାରିସ ର ଚୁକ୍ତିନାମା ଅନୁଯାୟୀ, CO2 ନିର୍ଗମନ ହ୍ରାସ ପାଇଁ ବିକଶିତ ଦେଶ ଏବଂ ଉଦୀୟମାନ ଦେଶ ମଧ୍ୟରେ ସମନ୍ୱୟ ଆବଶ୍ୟକ ରହିଛି । ସୁଜୁକି ମୁଖ୍ୟାଳୟ, ୟୋକୋହାମା ଲ୍ୟାବ, ସୁଜୁକି ଆର ଆଣ୍ଡ ଡି ସେଣ୍ଟର ଇଣ୍ଡିଆ ଏବଂ ମାରୁତି ସୁଜୁକି ଭବିଷ୍ୟତର ପ୍ରଯୁକ୍ତିବିଦ୍ୟା, ଉନ୍ନତ ଜ୍ଞାନକୌଶଳ ଏବଂ ଉତ୍ପାଦନ କୌଶଳ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ବିକାଶ କରି ଦକ୍ଷ ବିକାଶ ପାଇଁ ସହଯୋଗ କରିବେ ।
![Cow Dung For CNG Cars](https://etvbharatimages.akamaized.net/etvbharat/prod-images/17602094_3x2_suzuki.jpg)
କମ୍ପାନୀର ଭବିଷ୍ୟ ଯୋଜନା: କମ୍ପାନୀ ଏହା ମଧ୍ୟ କହିଛି ଯେ, ଗବେଷଣା ଏବଂ ବିକାଶ କାର୍ଯ୍ୟ ଖର୍ଚ୍ଚରେ ଦୁଇ ଟ୍ରିଲିୟନ୍ ୟେନ୍ ଏବଂ ପୁଞ୍ଜିଗତ ଖର୍ଚ୍ଚରେ 2.5 ଟ୍ରିଲିୟନ୍ ୟେନ୍ ବିନିଯୋଗ କରିବ । ଯାହା 2030 (2029-30) ଆର୍ଥିକ ବର୍ଷ ସୁଦ୍ଧା ସମୁଦାୟ 4.5 ଟ୍ରିଲିୟନ୍ ୟେନ୍ ଅଟେ । ଏଥିରେ ଦର୍ଶାଯାଇଛି ଯେ 4.5 ଟ୍ରିଲିୟନ ୟେନ୍ ମଧ୍ୟରୁ 2 ଟ୍ରିଲିୟନ୍ ୟେନ୍ ବିଦ୍ୟୁତିକରଣ ସହ ଜଡିତ ନିବେଶ ହେବ। ଯେଉଁଥିରୁ 500 ବିଲିୟନ ୟେନ୍ ବ୍ୟାଟେରୀ ସମ୍ବନ୍ଧୀୟ ବିନିଯୋଗ ହେବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ