କୋଲକାତା: ପଶ୍ଚିମବଙ୍ଗ ରାଜନୀତିର ପ୍ରଭାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ବୁଝାଇବା ନେଇ ସତ ଚେଷ୍ଟା ସତ୍ତ୍ବେ ବିଫଳ ହୋଇଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପାର୍ଟି ତୃଣମୂଳ କଂଗ୍ରେସ । ଶେଷରେ ମମତାଙ୍କୁ ଝଟକା ଦେଇ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି ଶୁଭେନ୍ଦୁ । ଏହା ପୂର୍ବରୁ ମମତା ବାନାର୍ଜୀଙ୍କ କ୍ୟାବିନେଟରୁ ମଧ୍ୟ ଶୁଭେନ୍ଦୁ ଅଧିକାରୀ ଇସ୍ତଫା ଦେଇଥିଲେ । ଟିଏମସି ସରକାରରେ ପରିବହନ ମନ୍ତ୍ରୀ ଥିଲେ ଶୁଭେନ୍ଦୁ ।
ପଶ୍ଚିମବଙ୍ଗ ସରକାରରେ ମନ୍ତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିକଟତର ରହିଆସିଥିବା ପ୍ରଭାବଶାଳୀ ନେତା ଶୁଭେନ୍ଦୁ ଅଧିକାରୀ ସବୁଦିନ ପାଇଁ ତୃଣମୂଳ କଂଗ୍ରେସକୁ କହିଛନ୍ତି ଅଲବିଦା । ରାଜ୍ୟର ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଅଧିକାରୀଙ୍କ ବିଦ୍ରୋହୀ ଆଭିମୁଖ୍ୟ ଦଳ ପାଇଁ କୌଣସି ବଡ ଝଟକାରୁ କମ୍ ନୁହେଁ ।
ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ଶୁଭେନ୍ଦୁ ପଦ୍ମ ଧରିବା ନେଇ ଯେଉଁ ସସପେନ୍ସ ଲାଗିରହିଥିଲା ସେଥିରୁ ଧିରେ ଧିରେ ପରଦା ଉଠିବା ନେଇ ସଙ୍କେତ ମିଳୁଛି । ଅଧିକାରୀଙ୍କୁ ମଙ୍ଗଳବାର ଜେଡ୍ ଶ୍ରେଣୀର ସୁରକ୍ଷା ଯୋଗାଇ ଦିଆଯିବା ପରେ ଦୋହଲିଯାଇଥିଲା ଟିଏମସି । ସେପଟେ ବିଜେପି ନେତା ମୁକୁଲ ରାୟ ମଧ୍ୟ ସଙ୍କେତ ଦେଇସାରିଛନ୍ତି ଯେ ଅଧିକାରୀ ଆଗାମୀ କିଛିଦିନ ମଧ୍ୟରେ ଦଳରେ ସାମିଲ ହେବେ । ଏହାରି ମଧ୍ୟରେ ଖବର ମିଳିଛି ଯେ ଡିସେମ୍ବର 19ରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମେଦିନାପୁର ଗସ୍ତରେ ଯିବେ । ତେବେ ଶାହଙ୍କ ଉପସ୍ଥିତିରେ ଶୁଭେନ୍ଦୁ ବିଜେପିରେ ସାମିଲ ହେବେ ବୋଲି ଚର୍ଚ୍ଚା ହେଉଛି ।
ଟିଏମସିରେ ମତଭେଦ ଯୋଗୁଁ ଗତ ମାସ ରାଜ୍ୟ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେଇଥିଲେ ଶୁଭେନ୍ଦୁ । ଏହା ପରେ ସେ ବିଜେପିରେ ସାମିଲ ହେବେ ବୋଲି ଜୋର ଧରିଥିଲା ଚର୍ଚ୍ଚା । ଏହାରି ମଧ୍ୟରେ ଅଧିକାରୀଙ୍କୁ ମନାଇବାକୁ ଟିଏମସି ପକ୍ଷରୁ ଅନେକ ଥର ପ୍ରୟାସ କରାଯାଇଥିଲା । ହେଲେ ସେତେବେଳକୁ ବିଦ୍ରୋହୀ ଆଭିମୁଖ୍ୟ ଆପଣାଇ ସାରିଥିଲେ ଅଧିକାରୀ ।
ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପରେ ଶୁଭେନ୍ଦୁ ନାରାଜ ଥିଲେ। ଏନେଇ ସେ ବିଦ୍ରୋହୀ ଆଭିମୁଖ୍ୟ ଗ୍ରହଣ କରି ପ୍ରଥମେ ମନ୍ତ୍ରୀ ପଦ ଓ ପରେ ଆଜି ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ଶୁଭେନ୍ଦୁ ଟିଏମସିର ଜଣେ ପ୍ରଭାବଶାଳୀ ନେତା ରୂପେ ଜଣାଶୁଣା । ଅଧିକାରୀଙ୍କ ଇସ୍ତଫା ନିଶ୍ଚିତ ଭାବରେ ଏବେ ମମତାଙ୍କ ଅଡୁଆ ବଢାଇବ ।
ନନ୍ଦୀଗ୍ରାମ ଆନ୍ଦୋଳନ ସୂତ୍ରଧର ଶୁଭେନ୍ଦୁଙ୍କ ରାଜ୍ୟର 65ଟି ଆସନରେ ଦଖଲ ରହିଥିଲା । ଏପରିସ୍ଥିତିରେ ତାଙ୍କର ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଟିଏମସି ପାଇଁ ଏକ ବଡ କ୍ଷତି କୁହାଯାଇପାରେ । 2007ରେ ପୂର୍ବ ମେଦିନାପୁରରୁ ନେଇ ନନ୍ଦୀଗ୍ରାମର ଏକ ବିଦେଶୀ କମ୍ପାନୀର ଜମିଅଧିଗ୍ରହଣ ବିରୋଧରେ ଆନ୍ଦୋଳନ ନେତୃତ୍ବ ନେଇଥିଲେ । ପୂର୍ବ ମେଦିନାପୁର ଜିଲ୍ଲାର ଏକ ପ୍ରଭାବଶାଳୀ ରାଜନୈତିକ ପରିବାରରେ ଅଧିକାରୀଙ୍କ ଜନ୍ମ । ତାଙ୍କ ବାପା 1982ରେ କାନ୍ଥି ଦକ୍ଷିଣ ବିଧାନସଭା ଆସନରୁ କଂଗ୍ରେସର ବିଧାୟକ ନିର୍ବାଚିତ ହୋଇଥିଲେ । ପରେ ସେ ତୃଣମୂଳ କଂଗ୍ରେସରେ ସାମିଲ ହୋଇଯାଇଥିଲେ । ଶୁଭେନ୍ଦୁ ତୃଣମୂଳ କଂଗ୍ରେସର ସଂସ୍ଥାପକ ସଦସ୍ୟଙ୍କ ମଧ୍ୟରୁ ଜଣେ ।