ନୂଆଦିଲ୍ଲୀ: ଗୋଧ୍ରା ଦଙ୍ଗା ମାମଲାରେ ଗିରଫ ହୋଇ ଅନ୍ତରୀଣ ଜାମିନରେ ଥିବା ସାମାଜିକ କର୍ମୀ ତିସ୍ତା ସେତଲଓ୍ବାଡଙ୍କୁ ସର୍ବୋଚ୍ଚ କୋର୍ଟରୁ ବଡ ଆଶ୍ବସ୍ତି ମିଳିଛି । ସର୍ବୋଚ୍ଚ କୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ତିସ୍ତାଙ୍କ ଜାମିନ ଆବେଦନର ଶୁଣାଣି ତାଙ୍କୁ ଅନ୍ତରୀଣ ସୁରକ୍ଷା ପ୍ରଦାନ କରିଛନ୍ତି । ଆସନ୍ତା ସପ୍ତାହେ ମଧ୍ୟରେ ପୋଲିସ ତାଙ୍କୁ ଗିରଫ କରିପାରିବ ନାହିଁ ।
ତିସ୍ତା ଏବେ ଅନ୍ତରୀଣ ଜାମିନରେ ଅଛନ୍ତି । ହେଲେ ତାଙ୍କ ନିୟମିତ ବେଲ ଆବେଦନ ଖାରଜ କରିବା ସହ ତୁରନ୍ତ ଆତ୍ମସମର୍ପଣ କରିବା ପାଇଁ ଗୁଜୁରାଟ ହାଇକୋର୍ଟ ନିର୍ଦ୍ଦେଶ ଦେବା ପରେ ସେ ସର୍ବୋଚ୍ଚ କୋର୍ଟରେ ଜାମିନ ଆବେଦନ କରିଥିଲେ । ଏହି ମାମଲାର ଶୁଣାଣି 2 ବିଚାରପତି କରିଥିବା ବେଳେ ସହମତି ପ୍ରକାଶ ନପାଇବାରୁ ଏହାକୁ ସର୍ବୋଚ୍ଚ କୋର୍ଟଙ୍କ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଯାଇଥିଲା । ଏବେ ଏହି ମାମଲାର ଶୁଣାଣି 3 ଜଣିଆ ଖଣ୍ଡପୀଠ କରିଥିଲେ । ଶୁଣାଣି ପରେ ତାଙ୍କୁ ତତ୍କାଳ ଗିରଫଦାରି ଉପରେ ସାମାନ୍ୟ ରୋକ ଲାଗିଛି । ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଆସନ୍ତା 7 ଦିନ ପର୍ଯ୍ୟନ୍ତ ତାଙ୍କୁ ଗିରଫ ନକରିବା ପାଇଁ ସର୍ବୋଚ୍ଚ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।
ଗତକାଲି(ଶନିବାର) ଗୁଜୁରାଟ ହାଇକୋର୍ଟ ତିସ୍ତାଙ୍କ ନିୟମିତ ବେଲ ଆବେଦନକୁ ଖାରଜ କରିଦେବା ସହ ତାଙ୍କୁ ତୁରନ୍ତ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ତତ୍କାଳୀନ ନିର୍ବାଚିତ ସରକାରଙ୍କୁ ବଦନାମ କରିବା ଓ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଛବି ଖରାପ କରିବା ଉଦ୍ୟମ କରିଥିବା ଅଭିଯୋଗରେ କୋର୍ଟ ତାଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିଲେ । ତାଙ୍କ ସଂଗଠନର କିଛି ସହଯୋଗୀ ଓ ଦଙ୍ଗା ପୀଡିତଙ୍କ ମାଧ୍ୟମରେ ସେ ସରକାରଙ୍କ ବିରୋଧରେ ମିଛ ମାମଲା ଦାଏର କରିଥିବା ମଧ୍ୟ କୋର୍ଟ ଦର୍ଶାଇଥିଲେ । ତାଙ୍କ ବେଲ ଆବେଦନ ଖାରଜ କରିବା ସହ ତାଙ୍କୁ ଆତ୍ମସମର୍ପଣ କରିବା ପାଇଁ କହିଥିଲେ । ଯାହା ବିରୋଧରେ ସର୍ବୋଚ୍ଚ କୋର୍ଟଙ୍କ ନିକଟରେ ଦ୍ବାରସ୍ଥ ହୋଇଥିଲେ ତିସ୍ତା ।
ଗତବର୍ଷ (2022) ରେ ତିସ୍ତା ସେତଲଓ୍ବାଡଙ୍କ ସମେତ ପୂର୍ବତନ ଗୁଜୁରାଟ ପୋଲିସ ମହାନିର୍ଦ୍ଦେଶକ ଆର.ବି ଶ୍ରୀକୁମାର ଓ ପୂର୍ବତନ ଆଇପିଏସ ଅଧିକାରୀ ସଞ୍ଜୀବ ଭଟ୍ଟଙ୍କୁ ଗିରଫ କରାଯାଇଥିଲା । ଗୁଜୁରାଟ ଦଙ୍ଗାରେ ପ୍ରାଣ ହରାଇଥିବା ତତ୍କାଳୀନ କଂଗ୍ରେସ ସାଂସଦ ଇଶାନ ଜାଫରୀଙ୍କ ପତ୍ନୀ ଜାକିଆ ଜାଫରୀଙ୍କ ଦ୍ବାରା ହୋଇଥିବା ଆବେଦନକୁ ଖାରଜ କରିଦେବା ସହ ଏହି ମାମଲାରେ ଏମାନଙ୍କୁ ଗିରଫ ପାଇଁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ପରେ ତିସ୍ତା ଅନ୍ତରୀଣ ଜାମିନରେ ଜେଲରୁ ମୁକ୍ତ ହୋଇଥିଲେ । ଏବେ ତାଙ୍କ ନିୟମିତ ବେଲ ଆବେଦନ ଗୁଜୁରାଟ ହାଇକୋର୍ଟଙ୍କ ଦ୍ବାରା ଖାରଜ ହେବା ପରେ ସେ ସର୍ବୋଚ୍ଚ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଯେଉଁଠାରୁ ତାଙ୍କୁ ସାମୟିକ ଆଶ୍ବସ୍ତି ମିଳିଛି ।
2002ରେ ଗୁଜୁରାଟ ଗୋଧ୍ରାରେ ସାବରମତି ଏକ୍ସପ୍ରେସ ପୋଡି କାଣ୍ଡରେ 59 କରସେବକଙ୍କ ହତ୍ୟା ହେବା ପରେ ସମଗ୍ର ଗୁଜୁରାଟରେ ଦଙ୍ଗା ଦେଖାଯାଇଥିଲ । ଏଥିରେ ପ୍ରାୟ ଏକ ହଜାର ଲୋକ ପ୍ରାଣ ହରାଇଥିଲେ । ମୃତକଙ୍କ ମଧ୍ୟରେ ଅଧିକାଂଶ ମୁସଲିମ ଥିଲେ । ଏହି ମାମଲାରେ ଏକାଧିକ ଗିରଫଦାରି ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ