ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମନ୍ତ୍ରୀ ନୱାବ ମଲିକଙ୍କୁ ମିଳିଛି ସାମାନ୍ୟ ଆଶ୍ୱସ୍ତି । ପୂର୍ବତନ ମନ୍ତ୍ରୀ ନୱାବ ମଲ୍ଲୀକ ମନିଲଡ୍ରିଂ ମାମଲାରେ 2022 ମସିହା ଫେବୃଆରିରେ ଇଡି ଦ୍ୱାରା ଗିରଫ ହୋଇଥିଲେ । ବମ୍ବେ ହାଇକୋର୍ଟ ନୱାବଙ୍କ ଜାମିନକୁ ବାରମ୍ବାର ଖାରଜ କରିବା ପରେ ସେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ । ଦାଉଦ ଇବ୍ରାହିମ୍ ସହ ଲିଙ୍କ୍ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ନୱାବ ମଲିକଙ୍କ ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ନୱାବ ମଲିକ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ତ ହୋଇଥିଲେ ।
ସୂଚନା ଅନୁସାରେ ନୱାବ ମଲିକଙ୍କ ଜାମିନ ବମ୍ବେ ହାଇକୋର୍ଟ ଖାରଜ କରିବା ପରେ ଗତ ଜୁଲାଇ 13ରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ । ଆଜି(ଶୁକ୍ରବାର) ଦେଶର ସୁପ୍ରିମକୋର୍ଟ ନୱାବ ମଲିକଙ୍କୁ ଜାମିନ ପ୍ରଦାନ କରିଛନ୍ତି । ସୁପ୍ରିମକୋର୍ଟ ତାଙ୍କ ସ୍ୱାସ୍ଥ୍ୟଗତ କାରଣ ନେଇ 2 ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । ବର୍ତ୍ତମାନ ତାଙ୍କର କିଡ୍ନୀ ସମସ୍ୟା ରହିଥିବା ବେଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ହେଉଥିବା ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ... ଜାମିନ ଆବେଦନ ଖାରଜ, ଭୋଟ ଦେଇ ପାରିଲେନି ନୱାବ ମଲ୍ଲିକ
ଏହା ପୂର୍ବରୁ ନୱାବ ମଲିକଙ୍କ ବିରୁଦ୍ଧରେ ଇଡି ୫୦୦୦ ପୃଷ୍ଠା ସମ୍ବଳିତ ଚାର୍ଜସିଟ୍ ଦାଖଲ କରିଥିଲା । ବେଆଇନ ଅର୍ଥ କାରବାର ମାମଲାରେ ସ୍ବତନ୍ତ୍ର PMLA କୋର୍ଟରେ ଇଡି ଏହି ଚାର୍ଜସିଟ୍ ଦାଖଲ କରିଥିଲା । ଏଥିରେ ୫୦ରୁ ଅଧିକ ଲୋକଙ୍କ ବୟାନ ରେକର୍ଡ କରାଯାଇଥିଲା । ଚାର୍ଜସିଟ୍ରେ ଇଡି କହିଥିଲା ଯେ, ମଲ୍ଲିକଙ୍କ ପୁଅ ଏବଂ ତାଙ୍କ ଭାଇ କପ୍ତାନ ମଲ୍ଲିକଙ୍କୁ ଏଜେନ୍ସି ବହୁବାର ସମନ ପଠାଇଥିଲା ହେଲେ ସେମାନେ ତଦନ୍ତରେ ସହଯୋଗ ନକରିବା ସଙ୍ଗେସଙ୍ଗେ ସମନକୁ ମଧ୍ୟ ଅଣଦେଖା କରୁଥିଲେ ।
ବଲିଉଡ ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଡ୍ରଗ୍ସ ମାମଲାରେ ଗିରଫ ହେବା ପରେ ଘଟଣାର ତଦନ୍ତ କରୁଥିଲା ଏନସିବି ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କୁ ଟାର୍ଗେଟ କରି ବେଶ ଚର୍ଚ୍ଚାକୁ ଆସିଥିଲେ ନଓ୍ବାବ । କିଛି ଦିନ ନଓ୍ବାବ-ସମୀର ବିବାଦ ଚର୍ଚ୍ଚାରେ ରହିଥିଲା । ପରେ ସମୀରଙ୍କୁ ମୁମ୍ବାଇରୁ ଦିଲ୍ଲୀକୁ ବଦଳି କରାଯାଇଥିଲା । ତାର କିଛି ଦିନ ପରେ ଏନ୍ସିବି ରାଡରକୁ ଆସିଥିଲେ ନଓ୍ବାବ । ଆର୍ଥିକ କାରବାର ନେଇ ତାଙ୍କୁ ଘଣ୍ଟା ଘଣ୍ଟା ଜେରା କରିବା ପରେ ଗିରଫ କରିଥିଲା ଇଡି ।ପୂର୍ବରୁ ଆତଙ୍କବାଦୀ ଘୋଷଣା ହୋଇଥିବା ଅଣ୍ଡରଓ୍ବାର୍ଲ୍ଡ ଡନ ଦାଉଦ ଇବ୍ରାହିମର ଭାଇ ସମେତ ମୋଟ ୧୯ ଜଣଙ୍କ ନାମରେ ମାମଲା ଦାଖଲ କରି ତଦନ୍ତ ଜାରି ରଖିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମୁମ୍ବାଇ ସମେତ କିଛି ସ୍ଥାନରେ ଇଡି ଚଢାଉ କରି ସେମାନଙ୍କ ସମ୍ପତ୍ତି ମଧ୍ୟ ଜବତ କରିଥିଲା । ଏହା ଏକ ରାଜନୈତିକ ଆକ୍ରୋଶ ବୋଲି ଏନସିପି କହିଥିଲା ।
ବ୍ୟୁରୋ ରିପୋର୍ଟ ,ଇଟିଭି ଭାରତ