ଆମର ଆଖି କୋରୋନା ଭାଇରସର ବିସ୍ତାର ସହ ପ୍ରତିକାରରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରେ । ପାଟି ଏବଂ ନାକ ହେଉଛି କୋରୋନା ଭାଇରସ ପ୍ରବେଶ କରିବାର ପ୍ରମୁଖ ମାଧ୍ୟମ । ହେଲେ ଆଖି ଜରିଆରେ ବି କୋରୋନା ଭାଇରସ ପ୍ରବେଶ କରିଥାଏ । ଏ ବାବଦରେ ଅଧିକ ଜାଣିବା ପାଇଁ ଇଟିଭି ଭାରତ ପକ୍ଷରୁ ପୁଣେର ଚକ୍ଷୁ ବିଶେଷଜ୍ଞ ଡାକ୍ତର ନିଖିଲ ଏମ. କାମାଥଙ୍କ ସହ ଆଲୋଚନା କରାଯାଇଥିଲା ।
କୋରୋନା ସଂକ୍ରମିତ ଯେତେବେଳେ କାଶେ, ଛିଙ୍କେ ଓ ଅତି ନିକଟରେ ରହି କଥା ହୁଏ, ତାହା ହେଲେ ଭାଇରସ କଣିକା ଆଉ ଜଣେ ବ୍ୟକ୍ତିଙ୍କ ମୁହଁରେ ପଡିଥାଏ । ସୁସ୍ଥ ବ୍ୟକ୍ତି ସଂକ୍ରମିତର କଫ, ଛିଙ୍କ ବୁନ୍ଦା ସଂସ୍ପର୍ଶରେ ଆସି ନିଜେ ଆକ୍ରାନ୍ତ ହୋଇଥାଏ । କିନ୍ତୁ ଭାଇରସ ସଂକ୍ରମିତ କଫ ଓ ଛିଙ୍କର ବୁନ୍ଦା ଆଖି ମାଧ୍ୟମରେ ମଧ୍ୟ ସୁସ୍ଥ ଲୋକର ଶରୀରରେ ପ୍ରବେଶ କରେ । ଆଉ ଆଖିକୁ ସ୍ପର୍ଶ କଲେ ବି ଜଣ କୋରୋନା ସଂକ୍ରମିତ ହୋଇପାରିବ । ଏହାଛଡା କବାଟ, ଟେବୁଲ ଓ ଦୂଷିତ ଫେସ ମାସ୍କ ସ୍ପର୍ଶ କଲେ ମଧ୍ୟ ଜଣେ ସଂକ୍ରମିତ ହୋଇପାରିବ ।
କୋରୋନା ଭାଇରସ ଦ୍ୱାରା ୧ ରୁ ୩ ପ୍ରତିଶତ ଲୋକ ଆଖିଧରା ରୋଗରେ ଆକ୍ରାନ୍ତ ହୋଇଥାନ୍ତି । ସଂକ୍ରମିତ ବ୍ୟକ୍ତିର ଆଖିରୁ ନିର୍ଗତ ହେଉଥିବା ଅଠାଳିଆ ପଦାର୍ଥ ଦ୍ୱାରା ବି ସଂକ୍ରମଣ ବ୍ୟାପେ । ଆଖି ଜରିଆରେ କୋଭିଡ ବିସ୍ତାର ନିୟନ୍ତ୍ରଣ କରିବା ପାଇଁ ଆମେ ଦୈନନ୍ଦିନ ଅଭ୍ୟାସରେ କିଛିଟା ପରିବର୍ତ୍ତନ କରିବା ଦରକାର । ଆଖି ମଳିବା ଭଳି ଅଭ୍ୟାସରୁ ବିରତ ରହିବା ଦରକାର । ସାମାଜିକ ଦୂରତା ରକ୍ଷା କରିବା ଭଳି ଆଖି ନ ମଳିବା ବି ଏକ ଅଭ୍ୟାସରେ ପରିଣତ ହେବା ଦରକାର । ଯଦି ଆଖି ମଳିବା ଅତି ଜରୁରୀ ବା ଚଷମାକୁ ଟିକେ ଆଡଜଷ୍ଟ କରିବା ଆବଶ୍ୟକ ହେଉଛି ,ତାହା ହେଲେ ଏକ ଟିସୁ ପେପର ବ୍ୟବହାର କରିବା ଦରକାର ।
ନିୟମିତ ବ୍ୟବଧାନରେ ସାବୁନ ପାଣିରେ ୨୦ ସେକେଣ୍ଡ ଯାଏଁ ହାତ ଧୋଇବା ଆବଶ୍ୟକ । ହାତ ଧୁଆ ଓ ସାନିଟାଇଜେସନ ଦ୍ୱାରା ସଂକ୍ରମଣ ଆଶଙ୍କା ହ୍ରାସ ପାଇଥାଏ । ଖାଇବା ପୂର୍ବରୁ, ଶୌଚାଳୟ ବ୍ୟବହାର ପରେ, କାଶିଲା, ଛିଙ୍କିଲା ପରେ ହାତ ଧୋଇବା ବାଧ୍ୟତାମୂଳକ । ବାରମ୍ବାର ମୁହଁକୁ ସ୍ପର୍ଶ କରନ୍ତୁ ନାହିଁ । ଦେଖାଯାଇଛି ଯେ, କଂଟାକ୍ଟ ଲେନ୍ସ ବ୍ୟବହାର କରୁଥିବା ଲୋକେ ଆଖିକୁ ବାରମ୍ବାର ସ୍ପର୍ଶ କରୁଥାନ୍ତି । ସେମାନେ ଲେନ୍ସ ପରିବର୍ତ୍ତେ ଚଷମା ବ୍ୟବହାର କରିପାରିବେ । ଏହା ଦ୍ୱାରା ଇରିଟେସନ ହ୍ରାସ ହେବା ସହ ଆପଣ ହଠାତ୍ ଆଖିକୁ ସ୍ପର୍ଶ କରିପାରିବେ ନାହିଁ । ଚଷମା ବା ସେଫଟି ଗଗଲ୍ସ ପିନ୍ଧିବା ଅଧିକ ନିରାପଦ । ଯଦି ଆପଣ ସ୍ୱାସ୍ଥ୍ୟକର୍ମୀ ହୋଇଥାନ୍ତି, ତାହା ହେଲେ ସଂକ୍ରମଣରୁ ବଞ୍ଚିବା ପାଇଁ ଚଷମା ବ୍ୟବହାର କରିପାରିବେ ।