ଥିରୁଅନନ୍ତପୁରମ: କେରଳର କୋଲାମ ଜିଲ୍ଲାରେ NEET ପରୀକ୍ଷା ବେଳେ ମାର୍ଥୋମା ଇନଷ୍ଟିଚ୍ୟୁଟ୍ ଅଫ୍ ଇନଫରମେସନ୍ ଟେକ୍ନୋଲୋଜି (Marthoma Institute of Information Technology) ରେ ଛାତ୍ରୀଙ୍କୁ ଅନ୍ତଃବସ୍ତ୍ର ଖୋଲିବା ପାଇଁ କଲେଜ କର୍ତ୍ତୃପକ୍ଷ ବାଧ୍ୟ କରିଥିବା ଅଭିଯୋଗରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି ସ୍ଥାନୀୟ ପୋଲିସ । ଏହି ଘଟଣାରେ ପରୀକ୍ଷାରେ ଚେକିଂ ପ୍ରକ୍ରିୟାରେ କାର୍ଯ୍ୟରତ 5 ମହିଳା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ । ଗତକାଲି ପରୀକ୍ଷା ସମୟରେ ଏପରି କରାଯାଇଥିବା ଅଭିଯୋଗ କରି ଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଥାନାରେ ଏତଲା ମଧ୍ୟ ଦେଇଥିଲେ ।
ତେବେ ଗିରଫ ହୋଇଥିବା କର୍ମଚାରୀଙ୍କ ମଧ୍ୟରେ ଦୁଇ ଜଣ ଉକ୍ତ କଲେଜର ନିୟମିତ କର୍ମଚାରୀ ହୋଇଥିବା ବେଳେ ଅନ୍ୟ ତିନିଜଣ ଚେକିଂ ପାଇଁ NTA ମାଧ୍ୟମରେ ଆସିଥିବା ଏକ ସଂସ୍ଥାର କର୍ମଚାରୀ ବୋଲି ସ୍ପଷ୍ଟ ହୋଇଛି । ଏହି 5ଜଣ ମହିଳା କର୍ମଚାରୀ ଛାତ୍ରୀଙ୍କୁ ହଲରେ ପ୍ରବେଶ ପୂର୍ବରୁ ଚେକିଂ ଦାୟିତ୍ବରେ ଥିଲେ । ଏମାନେ ହିଁ ଅନ୍ତଃବସ୍ତ୍ର ଖୋଲିବା ପାଇଁ ଛାତ୍ରୀଙ୍କୁ ବାଧ୍ୟ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ ।
ଏପରି ଘଟଣା ପରେ ଛାତ୍ରୀମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ଥାନାରେ ଅଭିଯୋଗ କରିଥିଲେ । ଏପରି ନିୟମକୁ କଲେଜ କତ୍ତୃପକ୍ଷ ଖଣ୍ଡନ କରିବା ସହ ସୁରକ୍ଷା ଓ ଚେକିଂ ଦାୟିତ୍ବରେ ଭିନ୍ନ ସଂସ୍ଥା ଥିବା କହି ସଫେଇ ଦେଇଥିଲା । ତେବେ ତଦନ୍ତ ପରେ କଲେଜର 2 ଷ୍ଟାଫ ଓ ପରୀକ୍ଷା ଚେକିଂ ଦାୟିତ୍ବରେ ଥିବା ସଂସ୍ଥାର 3 ଷ୍ଟାଫଙ୍କୁ ମିଶାଇ ମୋଟ 5ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ