ଲକ୍ଷ୍ନୌ: ମଥୁରାର କୃଷ୍ଣ ଜନ୍ମଭୂମି କମ୍ପଲେକ୍ସ ପଛପଟେ ଥିବା ରେଳବାଇ ଅଧିକୃତ ଜମିରେ ହୋଇଥିବା ଜବର ଦଖଲ ଓ ଅବୈଧ ନିର୍ମାଣ ବିରୋଧରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି । ତେବେ ଏହି ମାମଲାଟି ସର୍ବୋଚ୍ଚ କୋର୍ଟରେ ପହଞ୍ଚି । ସର୍ବୋଚ୍ଚ କୋର୍ଟ 10 ଦିନ ପାଇଁ ବନ୍ଦ ରଖିବାକୁ କେନ୍ଦ୍ର ସରକାର ଓ ରେଳବାଇକୁ ନିର୍ଦ୍ଦେଶ ଦେଇଛନ୍ତି । ଉଚ୍ଚତମ ନ୍ୟାୟଳୟର ବିଚାରପତି ଅନିରୁଦ୍ଧ ବୋଷ, ଜଷ୍ଟିସ ସଞ୍ଜୟ କୁମାର, ଜଷ୍ଟିସ ଏସ.ବି.ଏନ ଭଟ୍ଟି ଆଜି ଏହି ମାମଲାର ଶୁଣାଣି କରିଥିଲେ । 10 ଦିନ ପର୍ଯ୍ୟନ୍ତ ଉଚ୍ଛେଦ ପ୍ରକ୍ରିୟା ସ୍ଥଗିତ ରଖିବା ପାଇଁ କୋର୍ଟ କହିବା ସହ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାର ଓ ରେଳବାଇକୁ ରିପୋର୍ଟ ଦାଖଲ କରିବା ପାଇଁ ମଧ୍ୟ ନୋଟିସ ଜାରି କରିଛନ୍ତି ।
ସୂଚନା ଅନୁସାରେ, କୃଷ୍ଣ ଜନ୍ମଭୂମି କମ୍ପେଲେକ୍ସ ପଛପଟେ ରେଳବାଇ ଅଧିକୃତ ଜମି ରହିଥିଲା । ହେଲେ ଦୀର୍ଘ ବର୍ଷ ଧରି ଏଥିରେ ଜବରଦଖଲ କରାଯାଇ ଏକାଧିକ ବ୍ୟବସାୟିକ ପ୍ରତିଷ୍ଠାନ ଓ କୋଠା ନିର୍ମାଣ କରାଯାଇଥିଲା । ଏବେ ରେଳବାଇର ଟ୍ରାକ ସମ୍ପ୍ରସାରଣ କାର୍ଯ୍ୟ ପାଇଁ ଏହାକୁ ଉଚ୍ଛେଦ କରାଯିବା ଆରମ୍ଭ କରାଯାଇଛି । ଏହା ବିରୋଧରେ ଏକ ମାମଲା ସର୍ବୋଚ୍ଚ କୋର୍ଟରେ ପହଞ୍ଚିଥିଲା । ହେଲେ 14 ତାରିଖରେ ଏହି ମାମଲାରେ ତତ୍କାଳ ଶୁଣାଣି କରିବା ପାଇଁ ସର୍ବୋଚ୍ଚ କୋର୍ଟ ମନା କରିଦେଇଥିଲେ । ଏହି ମାମଲାରେ ତଳକୋର୍ଟରେ ହାଜର ହେବା ପାଇଁ ଆବେଦନକାରୀଙ୍କୁ କହିଥିଲେ ସର୍ବୋଚ୍ଚ କୋର୍ଟ ।
ଏହା ମଧ୍ୟ ପଢନ୍ତୁ:-Delhi: ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ଉପରାଜ୍ୟପାଳଙ୍କ ବାରଣ
ପ୍ରଥମେ ଏହି ମାମଲା ମଥୁରା ସିଭିଲ କୋର୍ଟରେ ପଞ୍ଜୀକୃତ ହୋଇଥିଲା । ଏବେ ଉତ୍ତର ପ୍ରଦେଶରେ ଆଇନଜୀବୀଙ୍କ ଆନ୍ଦୋଳନ ଜାରି ରହିଥିବା କାରଣରୁ ରାଜ୍ୟରେ କୌଣସି ଅଦାଲତରେ ଶୁଣାଣି ହୋଇପାରି ନଥିଲା । ଫଳରେ ମାମଲାର ଶୁଣାଣି ସର୍ବୋଚ୍ଚ କୋର୍ଟରେ ହୋଇଛି । ଆଜି ଏହି ମାମଲାର ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏହା ଉପରେ ଆସନ୍ତା 10 ଦିନ ପର୍ଯ୍ୟନ୍ତ ରୋକ ଲଗାଇଛନ୍ତି । 10 ଦିନ ପର୍ଯ୍ୟନ୍ତ ରଳବାଇ ଜାରି ରଖିଥିବା ଉଚ୍ଛେଦ ପ୍ରକ୍ରିୟା ବନ୍ଦ ରଖିବ । ଏପର୍ଯ୍ୟନ୍ତ ଅନେକ ଘର ଓ ଦୋକାନ ଉଚ୍ଛେଦ ସରିଥିବା ଆବେଦନକାରୀ ଦର୍ଶାଇଥିଲେ । ବିନା ଥଇଥାନରେ ପ୍ରାୟ 18 ଶହ ଲୋକେ ପ୍ରଭାବିତ ହୋଇଥିବା ପିଟିସନରେ ଦର୍ଶାଯାଇଥିଲା । କୋର୍ଟ ଏହା ଉପରେ ଅନ୍ତରୀଣ ରୋକ ଲଗାଇବା ସହ 10 ଦିନ ପର୍ଯ୍ୟନ୍ତ ବସ୍ତି ବସିନ୍ଦାଙ୍କୁ ଆଶ୍ବସ୍ତି ଦେଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ