ବେଙ୍ଗାଲୁରୁ: କର୍ଣ୍ଣାଟକରେ କଂଗ୍ରେସ ନୂଆ ସରକାର ଗଠନ କରିବା ପରେ ମନ୍ତ୍ରୀମଣ୍ଡଳ ମଧ୍ୟ ଗଠନ ହୋଇସାରିଛି । ହେଲେ ବିରୋଧୀ ଦଳ ନେତା କିଏ ହେବ ସେ ନେଇ ଚାଲିଛି ଆଲୋଚନା ପର୍ଯ୍ୟାଲୋଚନା । ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେପି ଏଯାଏଁ ବିରୋଧୀ ଦଳ ନେତା ଚୟନ କରିନଥିବା ବେଳେ ଏହାରି ମଧ୍ୟରେ ବିଜେପି ବରିଷ୍ଠ ନେତା ୱାଇ ଏସ ୟେଦୁରପ୍ପାଙ୍କୁ ଭେଟିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇ । ଉଭୟଙ୍କ ମଧ୍ୟରେ ଏ ନେଇ ଆଲୋଚନା ହୋଇଥିବା ଜଣାପଡ଼ିଛି ।
୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୩୫ ଆସନ ଜିତି ସଂଖ୍ୟା ଗରିଷ୍ଠତା ହାସଲ କରିଥିବା ବେଳେ ବିଜେପି ମାତ୍ର ୬୬ଟି ଆସନ ଜିତିଥିଲା । ତେବେ ପ୍ରମୁଖ ବିରୋଧୀ ଦଳ ଭାବେ ବିଜେପି ବିରୋଧୀ ଦଳ ନେତା ଚୟନ କରିବ । ପୂର୍ବତନ ମୁଖ୍ୟମନ୍ତ୍ରୀ ବସଭରାଜ ବୋମ୍ମାଇଙ୍କୁ ବିରୋଧୀ ଦଳ ନେତା ଭାବେ ଦଳ ଚୟନ କରିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏନେଇ ବିଜେପିର ଶୀର୍ଷ ନେତୃତ୍ବ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ବିଜେପି ଏନେଇ କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ ମେ' ୨୧ ତାରିଖରେ ଏକ ସମୀକ୍ଷା ବୈଠକ କରିଥିଲା । ହେଲେ ଏହି ବୈଠକରେ ବିରୋଧୀ ଦଳ ନେତା ଚୟନ ନେଇ କୌଣସି ନିଷ୍ପତ୍ତି ନିଆଯାଇନଥିଲା ।
ଏହା ବି ପଢନ୍ତୁ- 5 Guarantees of Congress: 'ଚଳିତ ବର୍ଷ ଶେଷ ସୁଦ୍ଧା ୫ ନିର୍ବାଚନୀ ପ୍ରତିଶୃତି ହେବ ପୂରଣ'
ଏକ ରିପୋର୍ଟ ଅନୁସାରେ ବସଭରାଜ ବୋମ୍ମାଇଙ୍କୁ ଜଣେ ପ୍ରମୁଖ ଲିଙ୍ଗାୟତ ନେତା ଭାବେ ଚୟନ ହେବାକୁ ଥିବା ବେଳେ ରାଜ୍ୟ ବିଜେପି ସଭାପତି ଭାବେ ବୋକାଲିଗା ସମ୍ପ୍ରଦାୟର କୌଣସି ନେତାଙ୍କୁ ଚୟନ କରାଯିବ । ଏନେଇ ଶୋଭା କରନ୍ଦଲାଜେ, ଡକ୍ଟର ସିଏନ ଅଶ୍ବଥ ନାରାୟଣ କିମ୍ବା ସିଟି ରବି ଚୟନ ତାଲିକାରେ ରହିଛନ୍ତି । ବିଜେପି ବୋକାଲିଗା ନେତାକୁ ନେଇ ବିଚାର ବିମର୍ଷରେ ଲାଗିଛି । ସାଧାରଣତଃ ବୋକାଲିଗା ଭୋଟ ବ୍ୟାଙ୍କର ୫ ପ୍ରତିଶତ ଜେଡିଏସ ଖାତାକୁ ଯାଇଥାଏ । ହେଲେ ଏହି ଭୋଟ କଂଗ୍ରେସ ଖାତାକୁ ଚାଲିଯାଇଥିବା ଜଣାପଡ଼ିଛି । ଯାହାଦ୍ବାରା କଂଗ୍ରେସ ସଂଖ୍ୟା ଗରିଷ୍ଠତା ହାସଲ କରି ଶାସନ କ୍ଷମତାକୁ ଆସିଛି । ଅନ୍ୟପଟେ ଏହା ମଧ୍ୟ ଚର୍ଚ୍ଚା ହେଉଛି ଯେ ବସନଗୌଡା ପାଟିଲ ୟତନାଲ ଜଣେ ପ୍ରମୁଖ ହିନ୍ଦୁ ବିଚାରକ । ତାଙ୍କୁ ଲିଙ୍ଗାୟତ ନେତା ଭାବେ ଦଳ ଚୟନ କରିପାରେ ବୋଲି ଚର୍ଚ୍ଚା ହେଉଛି ।