ବେଙ୍ଗାଲୁରୁ: କର୍ଣ୍ଣାଟକ ଚିତ୍ରଦୁର୍ଗ ଜିଲ୍ଲା ସ୍ଥିତ ଶ୍ରୀ ମୁରୁଘା ମଠ(Sri Murugha Math)ର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରଣାରୁ ଗିରଫ( Shivamurthy Murugha Sharanaru arrested) । ଦୁଇ ଜଣ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗୁରୁବାର ରାତିରେ ପୋଲିସ ତାଙ୍କୁ ଗିରଫ କରିଛି । ମହନ୍ତ ଶରଣାରୁଙ୍କ ବିରୁଦ୍ଧରେ ପୋକ୍ସ ଆକ୍ଟ ଅଧୀନରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା । ତାଙ୍କ ବିରୁଦ୍ଧରେ ଅଭିଯୋଗ ପରେ ପୋଲିସ ତାଙ୍କୁ ଟେକି ନେଇ ପଚରାଉଚରା କରିଥିଲା । ଏହାପରେ ଗତକାଲି ଅପରାହ୍ନରେ ଲୁକଆଉଟ ନୋଟିସ୍ ଜାରି କରାଯିବା ପରେ ରାତିରେ ପୋଲିସ ତାଙ୍କୁ ଗିରଫ କରିଥିଲା । ମହନ୍ତଙ୍କୁ ଗିରଫ ପରେ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି ।
ତେବେ ଆଜି ସକାଳେ ମହନ୍ତ ଶିବମୂର୍ତ୍ତି ମୁରୁଘା ଶରଣାରୁଙ୍କ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ତାଙ୍କୁ ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିବା ସୂଚନା ମିଳିଛି । କର୍ଣ୍ଣାଟକ ADGP ଆଲୋକ କୁମାର ଶ୍ରୀ ମୁରୁଘା ମଠ ମହନ୍ତଙ୍କ ଗିରଫଦାରୀ ସମ୍ପର୍କରେ ସୂଚନା ଦେଇଛନ୍ତି । ADGP କହିଛନ୍ତି ଯେ, ''ଘଟଣାର ତଦନ୍ତ ଚାଲିଛି । ମହନ୍ତଙ୍କ ମେଡିକାଲ ଟେଷ୍ଟ କରାଯିବା ସହ ତାଙ୍କୁ କୋର୍ଟରେ ହାଜର କରାଯିବ ।'' ତେବେ ଅଭିଯୋଗ ଅନୁଯାୟୀ, ଶ୍ରୀ ମୁରୁଘା ମଠ ଦ୍ବାରା ପରିଚାଳିତ ଏକ ସ୍କୁଲର ୨ ଜଣ ନାବାଳିକାଙ୍କୁ ମହନ୍ତ ଶରଣାରୁ ଦୀର୍ଘ ଦୁଇ ବର୍ଷ ହେବ ଯୌନ ନିର୍ଯାତନା ଦେଇଆସୁଥିଲେ ।
ଏନେଇ ଅଭିଯୋଗ ହେବା ପରେ ପୋଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲା । ତାଙ୍କୁ ପଚରାଉଚରା କରାଯିବା ପରେ ଶେଷରେ ଗିରଫ କରାଯାଇଛି । ମଠ ଦ୍ବାରା ପରିଚାଳିତ ସ୍କୁଲ ହଷ୍ଟେଲର ୱାର୍ଡେନ ରଶ୍ମି ନାମକ ମହିଳାଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ଏହି ମାମଲାରେ ରଶ୍ମୀ ଦ୍ବିତୀୟ ଅଭିଯୁକ୍ତ ଅଟନ୍ତି । ତେଣୁ ତାଙ୍କୁ ପଚରାଉଚରା ପାଇଁ ଅଟକ ରଖାଯାଇଥିବା ଚିତ୍ରଦୁର୍ଗ ପୋଲିସ ସୁପରିଟେଣ୍ଡଣ୍ଟ ସୂଚନା ଦେଇଛନ୍ତି । ଅନ୍ୟପଟେ ମହନ୍ତ ଶରଣାରୁଙ୍କ କିଛି ସହଯୋଗୀ କହିଛନ୍ତି ଯେ, ତାଙ୍କୁ ଗିରଫ କରାଯାଇ ନାହିଁ, ବରଂ ମହନ୍ତ ଆତ୍ମସମର୍ପଣ କରିଛନ୍ତି ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଚିତ୍ରଦୁର୍ଗ ଜିଲ୍ଲାରେ ଥିବା ଏହି ମୁରୁଘା ମଠ ପରିଦର୍ଶନ କରିଥିଲେ । ତାଙ୍କ ସହ ଦଳୀୟ ନେତା ଡିକେ ଶିବକୁମାର ଏବଂ କେସି ବେଣୁଗୋପାଳ ମଧ୍ୟ ଉପସ୍ଥିତ ରହିଥିଲେ । ମୁରୁଘା ମଠ ଏକ ପ୍ରଭାବଶାଳୀ ସଂସ୍ଥାନ ରୂପେ ଜଣାଯାଏ । ଏଠାକୁ ଅନେକ ସମୟରେ ବଡ ବଡ ରାଜନେତାମାନେ ପରିଦର୍ଶନରେ ଆସିଥାନ୍ତି ।