ନୂଆଦିଲ୍ଲୀ: ଋଷିଆର କୋରୋନା ଟିକା ସ୍ପୁଟନିକ-ଭିର ଗୋଟିଏ ଡୋଜର ମୂଲ୍ୟ 995 ଟଙ୍କା 40 ପଇସା ଧାର୍ଯ୍ୟ କରାଯାଇଛି । ତେବେ ଏ ସମ୍ପର୍କରେ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଫାର୍ମା ମେଜର ଡକ୍ଟର ରେଡି ଲାବ୍ରୋଟୋରିଜ ଲିମିଟେଡ ପକ୍ଷରୁ ସୂଚନା ଦିଆଯାଇଛି ।
ମହାମାରୀ କୋରୋନା ବିରୋଧରେ ଭାରତରେ ଟୀକାକରଣକୁ ଜୋରଦାର କରିବାକୁ ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ର ସରକାର । ପୂର୍ବରୁ ଦେଶରେ ଦୁଇଟି ଟିକା ଉପଲବ୍ଧ ଥିବାବେଳେ ପହଞ୍ଚିସାରିଛି ବିଦେଶୀ ଟିକା । ଏହି ଟିକାକୁ ବ୍ୟବହାର କରି ଦେଶରେ କୋରୋନା ମହାମାରୀକୁ ମାତ ଦେବା ପାଇଁ ସରକାର ପ୍ରୟାସ ଆରମ୍ଭ କରିଛନ୍ତି । ଏହି ଟିକାର ଗୋଟିଏ ଡୋଜର ମୂଲ୍ୟ 995 ଟଙ୍କା 40 ପଇସା ଧାର୍ଯ୍ୟ କରାଯାଇଛି । ଏହାର ପ୍ରକୃତ ମୂଲ୍ୟ 948 ଟଙ୍କା ହୋଇଥିବା ବେଳେ ଜିଏସଟି 5 ପ୍ରତିଶତ ଯୋଗ କରାଯାଇ ମୋଟ ମୂଲ୍ୟ 995.40 ଟଙ୍କା ସ୍ଥିର କରାଯାଇଛି ।
ତେବେ ଆଗାମୀ ଦିନରେ ଋଷରୁ ଅଧିକ ଡୋଜ ଆସିବ । ଏହାସହ ଭାରତରେ ଜୁଲାଇ ସୁଦ୍ଧା ଉତ୍ପାଦନ ହେବ ସ୍ପୁଟନିକ ଭି । ଏହି ସମୟ ମଧ୍ୟରେ 15.6 କୋଟି ଡୋଜ ଉତ୍ପାଦନ ହେବ ବୋଲି ଭିକେ ପଲ ସୂଚନା ଦେଇଛନ୍ତି । ଗତ ମେ 1 ତାରିଖରେ ଏହି ଋଷ ଟିକା ଭାରତରେ ପହଞ୍ଚିଥିଲା । ଏହି ଟିକାକୁ ହାଇଦ୍ରାବାଦରେ ଲଞ୍ଚ କରାଯିବ ବୋଲି ଫାର୍ମାସ୍ୟୁଟିକାଲ୍ କମ୍ପାନୀ ପକ୍ଷରୁ ଘୋଷଣା କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ