ହାଇଦ୍ରାବାଦ: ପିତା ଧର୍ମ, ପିତା ସ୍ବର୍ଗ, ପିତା ହିଁ ପରମ ତପ....ପିତରି ପ୍ରୀତିମାପନ୍ତେ ପ୍ରିୟନ୍ତେ ସର୍ବ ଦେବତା... । 'ବାପା' ଈଶ୍ବରଙ୍କ ଅନନ୍ୟ ସୃଷ୍ଟି । ଅନୁଶାସନ ଓ ଧୈର୍ଯ୍ୟର ଅନ୍ୟନାମ । ପରିବାରର ସୁରକ୍ଷାକବଚ । ତ୍ୟାଗ ଓ ସାହସର ମୂର୍ତ୍ତୀମନ୍ତ ପ୍ରତୀକ । ଯାହାଙ୍କ ଗାଳିରେ ଲୁଚି ରହିଥାଏ ସ୍ନେହାର୍ଶୀବାଦ । ପାଖରେ ଥିଲେ ଶତସିଂହର ବଳ ଆସେ । ଉପରକୁ ପଥର ପରି ଅଭଙ୍ଗା ଓ ଭିତରୁ ତରଳି ଯାଉଥିବା ମଣିଷଟିଏ । କୌଣସି କଥାକୁ ନେଇ ଭୟ ଲାଗେନା, କି ଚଲା ପଥରେ କଣ୍ଟା ଫୁଟେନା । ପିଲାଙ୍କୁ ସୁପଥଗାମୀ କରିବା ପାଇଁ ବେଳେବେଳେ କଠୋର ହୁଅନ୍ତି, ଗାଳି ଦିଅନ୍ତି । ଆଙ୍ଗୁଠି ଧରି ବାଟ ଚଲାଇବା ଶିଖାନ୍ତି, ମୁଣ୍ଡ ଝାଳ ତୁଣ୍ଡରେ ମାରି ପିଲାଙ୍କୁ ପାଟିକୁ ଖାଦ୍ୟ ଦିଅନ୍ତି, ଆଖି ଲୁହକୁ ଲୁଚାଇ ସନ୍ତାନଙ୍କୁ ହସାଇବା ଶିଖାଇଥାନ୍ତି, ଜାଣିଛନ୍ତି ସେ କିଏ, ସେ ହେଉଛନ୍ତି 'ବାପା' ।
ସମଗ୍ର ବିଶ୍ବରେ ଫାଦର୍ସ ଡେ'କୁ ବିଭିନ୍ନ ଦିନ ପାଳନ କରାଯାଇଥାଏ । କିନ୍ତୁ ଅଧିକତର ଦେଶରେ ଜୁନର ତୃତୀୟ ରବିବାରକୁ ଫାଦର୍ସ ଡେ ଭାବେ ପାଳନ କରାଯାଇଥାଏ । ଆମେରିକା, କାନାଡା ଓ ଭାରତରେ ଏହାକୁ ଜୁନର ତୃତୀୟ ରବିବାର ଦିନ ହିଁ ପାଳନ କରାଯାଇଥାଏ । ବାପାଙ୍କୁ ସ୍ବତନ୍ତ୍ର ଅନୁବୋଧ କରାଇବା, ସମ୍ମାନୀତ କରିବା ପାଇଁ ପିତୃତ୍ବ ଦିବସ ପାଳନ କରାଯାଇଥାଏ । ଫାଦର୍ସ ଡେ' ପ୍ରଥମେ ପଶ୍ଚିମ ବର୍ଜିନିଆର ଫେୟରମୋଣ୍ଟରେ 5 ଜୁଲାଇ 1908ରେ ପାଳନ କରାଯାଇଥିଲା ।
ଶବ୍ଦଟିକୁ ଉଚ୍ଚାରଣ କଲା ମାତ୍ରେ ମନରେ ସାହାସ ଓ ଖୁସିର ଜୁଆର ଉଠେ । ପେଟ ପୁରିଯାଏ ବାପା ଡାକରେ । ଏହା କେବଳ 2ଟି ଶବ୍ଦ ନୁହେଁ । ଏହାର ଅର୍ଥ ନା କେହି ବୁଝାଇ ପାରିବେ, ନା କେହି ବାଖ୍ୟା କରିପାରିବେ । ଈଶ୍ବରଙ୍କ ସଂରଚନାରେ 'ବାପା' ନାମକ ଶବ୍ଦକୁ ସ୍ନେହ, ଆଦର, ପ୍ରେମ, ସହିଷ୍ଣୁତା, ତ୍ୟାଗରେ ଅଦ୍ଭୁତ ଭାବେ ଗଢାଯାଇଛି । ଦିନ ତମାମ ପ୍ରଚେଷ୍ଟା କରି ତନ୍ନ ତନ୍ନ କରି ଅଭିଧାନ ଖୋଜିଲେ ମଧ୍ୟ ବାପା ପାଇଁ ଉପଯୁକ୍ତ ଶବ୍ଦଟିଏ ମିଳି ନଥାଏ । କୌଣସି କଲମରେ ସେତିକି ସାମର୍ଥ୍ୟ ନାହିଁ , ବାପା ଭଳି ଶବ୍ଦକୁ ସୁନ୍ଦର ଭାବେ ବର୍ଣ୍ଣନା କରିବାକୁ । ବାପା ଶବ୍ଦରୁ ଝଲସି ଆସେ ମେଞ୍ଚା ମେଞ୍ଚା ସ୍ନେହ । ବାପା ହେଉଛନ୍ତି ଏକ ଶକ୍ତ ଖୋଳପା ଭିତରେ ସୂକ୍ଷ୍ମ ସୂତା । ଝିଅକୁ 'ମା' ଓ ପୁଅକୁ 'ବାପା' ନ ହେଲେ 'ବୁଢା' ବୋଲି ସମ୍ବୋଧନ କରିଥାନ୍ତି ବାପା ।
ଭଗବାନଙ୍କ ମଥାରୁ ଖସି ପଡିଥିବା ଆର୍ଶୀବାଦର ଫୁଲ ହେଉଛନ୍ତି 'ବାପା' । ପେଟଚିରି ସିନା ମା' ଜନ୍ମ ଦେଇଥାଏ, କିନ୍ତୁ ପାଟିକୁ ଦାନା ଯୋଗାଇଥାଆନ୍ତି ବାପା । ଛାତିଚିରି ସିନା ଜୀବନ ରଖିଲା ମା, କିନ୍ତୁ ରକତକୁ ପାଣି କରିଦେଇ ଦୁନିଆରେ ପରିଚୟ ଦେଲେ ବାପା । ମା’ ୧୦ ମାସ ୧୦ ଦିନ ଗର୍ଭରେ ଧରି ସନ୍ତାନକୁ ଜନ୍ମ ଦେଇଥାନ୍ତି । କିନ୍ତୁ ଜନ୍ମ ହେବା ପରେ ସନ୍ତାନର ପ୍ରତିଟି ପଦକ୍ଷେପରେ ଯାହାଙ୍କ ନଜର ରହିଥାଏ ସେ ହେଉଛନ୍ତି ବାପା । ସନ୍ତାନ ପାଇଁ ପ୍ରଥମ ପ୍ରେରଣାସ୍ରୋତ, ସୁରକ୍ଷା କବଚ, ଆତ୍ମବିଶ୍ୱାସର ବାହକ ହେଉଛନ୍ତି ପିତା ।
ସନ୍ତାନ ଯଦି ମା’ଙ୍କ ଠାରୁ ସଂସ୍କାର ଶିଖେ, ତେବେ ଦୁନିଆରେ କିଭଳି ନିଜକୁ ସଫଳ କରିବା ପାଇଁ କଠିନ ପରିଶ୍ରମ ଏବଂ ଚଳିବା ପାଇଁ ଉପଯୁକ୍ତ ଜ୍ଞାନ ରହିବା ଆବଶ୍ୟକ ତାହା ପିତାଙ୍କ ଠାରୁ ଅବା କିଏ ଭଲରେ ବୁଝାଇପାରିବ । ଅଭିଭାବକଙ୍କ ମହିମା ବଖାଣିବାରେ ମା’ଙ୍କ ସ୍ଥାନ ପ୍ରଥମେ ନିଆଯାଉଥିବାବେଳେ ବାପାଙ୍କ ନାମ ପଛରେ ରହିଯାଉଛି । କିନ୍ତୁ ଏଥିରେ ମଧ୍ୟ ବାପାଙ୍କ ତିଳେମାତ୍ର କ୍ଷୋଭ ନଥାଏ । ମା’ ଯେଉଁଠି ସନ୍ତାନର ଟିକେ କ୍ଷତରେ କାନ୍ଦି ନିଜ ଦୁଃଖ ଜାହିର କରିଦିଅନ୍ତି । ପିତା ନିଜ ମଧ୍ୟରେ ଦୁଃଖ ରଖିଲେ ମଧ୍ୟ ପରିବାରକୁ ସମ୍ଭାଳିବାକୁ ଯାଇ ଶକ୍ତର ପରିଚୟ ଦେଇଥାନ୍ତି ।
ବାପାଙ୍କୁ କ'ଣ ଦେବେ ଉପହାର...
ବାପା ତ ଆମ ପାଇଁ ଏକ ବଡ ଉପହାର। ଆମେ ବା ତାଙ୍କୁ କଣ ବା ଉପହାର ଦେଇପାରିବା । ଏହାସତ୍ତ୍ବେ ବି ପିତୃତ୍ବ ଦିବସ ବା ଫାଦର୍ସ ଡେ'ରେ ବାପାଙ୍କୁ କିଛି ସରପ୍ରାଇଜ ଗିଫ୍ଟ ଦେଲେ ଭାରି ଖୁସି ଲାଗେ । କିଛି ବି ଦିଅ ନା କାହିଁକି ତାର ମୂଲ୍ୟ ବାପାଙ୍କ ଆଗରେ କିଛି ନୁହେଁ । ଛୋଟିଆ ଚକୋଲେଟ୍ ଦେଲେ ମଧ୍ୟ ବାପା ଭାରି ଖୁସି ହୋଇଥାଆନ୍ତି । ପିଲାମାନେ ମା'ଙ୍କୁ ସବୁବେଳେ କିଛି ନା କିଛି ଦେଲା ବେଳେ ବାପାଙ୍କୁ ଏତେ କିଛିଟା ଦେଇ ପାରିନଥାନ୍ତି । କିଏ ବାପାଙ୍କୁ ଡରି ଦେଇ ନ ଥାଏ, ତ ଆଉ କିଏ ସମୟର ଅଭାବ ଯୋଗୁଁ । ମାତ୍ର ଫାଦର୍ସ ଡେ, ସେହି ସୁଯୋଗ ସମସ୍ତଙ୍କ ପାଇଁ ଆଣିଥାଏ, ମନ ଖୋଲି ବାପାଙ୍କୁ କିଛି ଦେବାକୁ । ଯଦି ଚାହୁଁଛନ୍ତି ବାପାଙ୍କୁ ଏହି ମହାନ ଦିବସରେ କିଛି ଦେବାକୁ ତାହାଲେ ଘଣ୍ଟା, ପର୍ସ, ସାର୍ଟ, ପ୍ୟାଣ୍ଟ, ମୋବାଇଲ ଫୋନ୍, ପେନ୍ ନଚେତ୍ ଜୋତା ଦେଇ ପାରିବେ । ବାପା ମନପସନ୍ଦ ବ୍ରାଣ୍ଡର ଜିନିଷ ଦେଇ ବାପାଙ୍କ ମୁହଁରେ ହସ ଫୁଟାଇ ପାରିବେ ।
ମନପସନ୍ଦ ଖାଇବା ମଧ୍ୟ ବନାଇ ପାରିବେ । ତେଣିକି ସେ ଆମିଷ ହେଉ କି ନିରାମିଷ । ବାପାଙ୍କୁ ଖାଦ୍ୟ ମଧ୍ୟରେ ଯାହା ଯାହା ପସନ୍ଦ, ତାହାକୁ ରୋଷେଇ କରି ଦେଇ ପାରିବେ । ଦିନ ତମାମର ଖାଦ୍ୟ ବ୍ୟବସ୍ଥା କରି ବାପାଙ୍କୁ ସରପ୍ରାଇଜ ଦେଇ ପାରିବେ । ଏହାସହିତ ସମସ୍ତ ଖାଦ୍ୟକୁ ଏପରି ସଜାନ୍ତୁ ଯେପରି ବାପାଙ୍କୁ ସ୍ବତନ୍ତ୍ର ଅନୁବୋଧ ହେବ । ନଚେତ୍ ପୁରା ପରିବାରର ଫଟୋ ଫ୍ରେମ କରି ବାପାଙ୍କୁ ଉପହାର ଦେଇପାରିବେ । ମା'ଙ୍କ ସହିତ ବାପାଙ୍କର ବାହାଘରର କିଛି ସ୍ମୃତିକୁ ସାଉଁଟି ଭିଡିଓ କରି ବାପାଙ୍କୁ ସରପ୍ରାଇଜ ଦେଇ ପାରିବେ ।
ଝିଅର ଜୀବନ ହେଉଛି ତା ବାପା...
ଘରର ଝିଅ ହେଉଛି ବାପାର କଲିଜା। ଦଣ୍ଡେ ନ ଦେଖିଲେ ବାପାର ମନ ବୁଝେନା । ମାଆ ଝିଅକୁ ଗାଳିମନ୍ଦ କଲେ ମଧ୍ୟ ବାପା ଉଚ୍ଚ ସ୍ବରରେ ମଧ୍ୟ ପଦେ କିଛି କୁହନ୍ତି ନାହିଁ । କାରଣ ଝିଅ ଆଖିରେ ବୁନ୍ଦାଏ ଲୁହ ବାପା ଦେଖି ପାରେ ନାହିଁ । ପୁଅକୁ ଆକଟ କଲାବେଳେ ଝିଅର ମୁଣ୍ଡ ଆଉଁସି ତାକୁ ବୁଝାଇ ଦିଅନ୍ତି । ଝିଅମାନେ ବି ମାଆଙ୍କ ଅପେକ୍ଷା ବାପାଙ୍କର ବହୁତ ଗ୍ଲେହୀ । ଏମିତିକି ମା'ଙ୍କ ଅଭିଯୋଗର ଫର୍ଦ୍ଦ ମଧ୍ୟ ବାପାଙ୍କ ଆଗରେ ପଢାଯାଏ । ପାଠପଢା ଠୁ ଆରମ୍ଭ କରି ନୂଆ ଫୋନ୍ ପର୍ଯ୍ୟନ୍ତ ସବୁ ଅଳି ବାପା ହିଁ ପୂରଣ କରନ୍ତି । ଝିଅଟିଏ ଯେତେ ବଡ ହେଲେ ମଧ୍ୟ ବାପାଙ୍କ ପାଖରେ ଗ୍ଲେହା ହେବାଟା ଥୟ । ଅଫିସରୁ ଆସିଲା ପରେ ବାପା ପ୍ରଥମେ ଝିଅକୁ ହିଁ ଖୋଜନ୍ତି । ତାଙ୍କ ବାୟାଣୀକୁ ନ ଦେଖିଲା ପର୍ଯ୍ୟନ୍ତ ବାପା ଚା' କପ୍କୁ ଓଠ ପାଖକୁ ନିଅନ୍ତିନି । ସେଥିପାଇଁ ତ ବାପା ଝିଅକୁ ମା', ବାୟାଣୀ, ପାଗେଳି, ବୁଢୀ ବୋଲି ନାଁରେ ସମ୍ବୋଧନ କରନ୍ତି । ଝିଅ ଶାଶୁଘରକୁ ଗଲାବେଳେ ଯଦି କିଏ ବେଶୀ ମନଦୁଃଖ କରେ, ସେ ହେଉଛି ବାପା । ସେ ଘର ଘର ଭଳି ଲାଗେନା, ଯେଉଁ ଘରେ ଝିଅର ପାଟି ଶୁଭେନା । ଝିଅ ଓ ବାପାର ସମ୍ପର୍କ ଅତି ନିବିଡ ଓ ସ୍ନେହୀ । ଯାହାର ତୁଳନା କୌଣସି ସମ୍ପର୍କ ସହିତ ମଧ୍ୟ କରାଯାଇପାରେନା ।
ପୁରାତନ ଓ ଆଧୁନିକ ଯୁଗର ପୁଅ...
ଆଗକାଳର ପୁଅମାନେ ବାପାଙ୍କୁ ସମ୍ମାନ ଜଣାଇବା ସହ ମାନ ମର୍ଯ୍ୟାଦା ରଖୁଥିଲେ । ବାପା ହାକ୍ କହିଦେଲା ମାତ୍ରେ ପୁଅ ସେହିଠାରେ ହିଁ ଚୁପ୍ ହୋଇ ବସି ପଡୁଥିଲେ । ବାପାଙ୍କ ହଁରେ ହିଁ ହଁ ମାରୁଥିଲେ । ତେଣିକି ସେ ପାଠପଢା ହେଉ ଅଥବା ବାହାଘର । ବାପା ନାଁରେ ଏକପ୍ରକାର ଡର ରହୁଥିଲା । କିନ୍ତୁ ବର୍ତ୍ତମାନର ପିଲାମାନେ ବାପାଙ୍କୁ ଅସମ୍ମାନ ଜଣାଇବା ସହ ଉଚ୍ଚ ସ୍ବରରେ କଥା ହେବାକୁ ମଧ୍ୟ ପଛାଉ ନାହାଁନ୍ତି । କିଛି କିଛି ପୁଅ ତ ଏମିତି ଅଛନ୍ତି, ଯେଉଁମାନେ ବୃଦ୍ଧା ବୟସରେ ବାପାକୁ ଘରୁ ବାହାରକୁ ଫୋପାଡି ଦିଅନ୍ତି । ବାପା ମଲା କି ଗଲା, ସେ ସମ୍ପର୍କରେ ଥରେ ଜାଣିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରନ୍ତି ନାହିଁ । ନିକଟରେ ମହାରାଷ୍ଟ୍ରରେ ଜଣେ ସରକାରୀ ଉଚ୍ଚ ଶିକ୍ଷିତ ପୁଅ ବାପାକୁ କୋରୋନା ହେବା ପରେ ମେଡିକାଲ ବାହାରେ ନେଇ ଫୋପାଡି ଦେଇଥିଲା । ଆଉ ବାପାର ସେହିଠାରେ ହିଁ ପ୍ରାଣ ଛାଡି ଯାଇଥିଲା । ବାପା କଣ ପୁଅକୁ ଉଚ୍ଚ ଶିକ୍ଷିତ କରି ସରକାରୀ ସ୍କୁଲରେ ଶିକ୍ଷକ କରାଇଥିଲା, ଏହି ଦିନ ଦେଖିବା ପାଇଁ । ପୁଅର ଟିକେ କିଛି ହୋଇଗଲେ ବାପାର ପ୍ରାଣ ଛାଡିଯାଏ, କିନ୍ତୁ ବାପା ବିଛଣାରେ ପଡିଲା ମାତ୍ରେ ପୁଅ ଘୃଣା କରିବା ଆରମ୍ଭ କରିଦେଇଥାଏ । ବାପା ବିଛଣାରେ ରୋଗାକ୍ରାନ୍ତ ଅବସ୍ଥାରେ ପଡିଲେ ମଧ୍ୟ ସାହାସ ଥାଏ ଯେ, ମୋ ବାପା ଅଛି । ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ ବାପା ଜମିବାଡି, ଅଳଙ୍କାର ପତ୍ର ବିକି ଦେଇଥାଏ, କିପରି ତା ପୁଅ ବଡବାବୁ ହେବ, ଘୋଡା ଚଢିବ । କିନ୍ତୁ ତା ପୁଅ କଣ କରେ। ରୋଗାକ୍ରାନ୍ତ ବାପାକୁ ପାଇଖାନା ଘରେ ବନ୍ଦ କରିଦିଏ, ନଚେତ୍ ଘରୁ ଗଳା ଧକ୍କା ଦେଇ ବାହାର କରିଦିଏ । ଏହି ହେଉଛି ଆଧୁନିକ ପୁଅର ଜ୍ବଳନ୍ତ ଚିତ୍ର ।
ନଡିଆ ସଦୃଶ୍ୟ ବାପା...
ନଡିଆ ଯେପରି ବାହାରୁ ଖୁବ୍ ଟାଣ, ଭିତର କୋମଳ ସଦୃଶ୍ୟ । ଠିକ୍ ସେହିପରି ବାପା ମଧ୍ୟ ବାହାରୁ ଖୁବ୍ ଶକ୍ତ ଓ ଭିତରୁ ଖୁବ୍ ସ୍ନେହୀ । ପିତା କୁମ୍ଭାର ସଦୃଶ୍ୟ ପିଲାଙ୍କୁ ଗଢି ଥାଆନ୍ତି, ବାହାରୁ ଆକାର ଦେଇ ପଛ ପଟୁ ସୁରକ୍ଷା ଯୋଗାଇଥାଆନ୍ତି ।ବାପାଙ୍କ ଭଲ ପାଇବା ଜାଣିବା ପାଇଁ ହେଲେ, ନିଜ ଶୈଶବ ସମୟକୁ ଚାଲିଯାଇ ସେହି ଦିନ ଗୁଡିକୁ ମନେ ପକାନ୍ତୁ, କେମିତି ବାପା ହାତ ଧରି ଚାଲିବା ଶିଖାଇଥିଲେ, କେମିତି ସାଇକେଲର ସିଟ୍ ଧରି ରାସ୍ତା ପାର ହେବା ଶିଖାଇଥିଲେ, ପିଠିରେ ବସାଇ ହାତୀ-ଘୋଡା ହୋଇଥିଲେ । ସେତେବେଳେ ଛୁଆର ହସରେ ବାପା ନିଜର ସମସ୍ତ କଷ୍ଟକୁ ଭୁଲି ଯାଇଥିଲେ । ସ୍କୁଲ କିମ୍ବା କଲେଜ ପ୍ରୋଜେକ୍ଟ ପାଇଁ ବାପା ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାହିଁ କି ରହୁଥିଲେ । ଅଫିସରୁ ଫେରିବା ପରେ ପୁଅ ବା ଝିଅର ମନଲାଖି ଖାଇବା ଜିନିଷ ଆଣି ଦେଉଥିଲେ । ସ୍କୁଲକୁ ନେବାବେଳେ ପିଲାର ପ୍ରତ୍ୟେକ ଜିଦ୍କୁ ପୁରା କରୁଥିଲେ ବାପା। କାହିଁକିନା ପିଲାର ଓଠରେ ଟିକକ ହସ ବାପା ପାଇଁ ବହୁତ ଗୁରୁତ୍ବପୂର୍ଣ୍ଣ। ମୁହଁରେ ହସ ନଥିଲେ ନଡିଆ ଭଳି ବାହାରୁ ଟାଣୁଆ ମନଟା ଦୁଃଖରେ ଭରିଯାଏ ।
ଯାହାର ବାପା ନାହିଁ, ତାହାର କେହି ନାହିଁ...
କଥାରେ ଅଛି ଯାହାର ବାପା ନାହିଁ, ତାହାର କେହି ନାହିଁ । ଥରେ ମୁଣ୍ଡ ଉପରୁ ବାପାର ହାତ ଉଠିଗଲେ, ଅସହାୟ ହୋଇଯାଆନ୍ତି ପିଲା । ଛାଇ ଭଳି ବାପା ପିଲାଟିର ପାଖେ ପାଖେ ରହିଥାଏ । କେହି କିଛି କହି ଦେଲେ ବାପା ଶକ୍ତ କାନ୍ଥ ଭଳି ଆଗରେ ଛିଡା ହୋଇଯାଇଥାଆନ୍ତି । ବେଳେବେଳେ ଭଗବାନ ବଡ ନିଷ୍ଠୁର ହୋଇ ପଡନ୍ତି । ଯେଉଁଥିପାଇଁ ସେ ବାପାଙ୍କୁ ନିଜ ପାଖକୁ ନେଇ ଯାଆନ୍ତି । ବାପା ଏମିତି ଏକ ବ୍ୟକ୍ତିତ୍ବ, ତାଙ୍କ ଜାଗା କେହି କେବେ ନେଇ ପାରନ୍ତି ନାହିଁ । ଯିଏ ବାପାଙ୍କୁ ହରାଇଛି, ସେ ସେହି ଦୁଃଖଟିକୁ ଖୁବ୍ ଭଲଭାବେ ଜାଣିଛି । ଜୀବନରେ ତାଙ୍କ ଜାଗା ବେଶ୍ ସ୍ବତନ୍ତ୍ର । ସବୁ ପିଲା ଚାହାଁନ୍ତି, ତାଙ୍କ ବାପା ତାଙ୍କ ପାଖେ ସବୁବେଳେ ସବୁ ସମୟରେ ରୁହନ୍ତୁ ବୋଲି । କିନ୍ତୁ ଭାଗ୍ୟର ବିଡମ୍ବନା ଆଗରେ ସମସ୍ତେ ଅସହାୟ। କିଛି ଅଭାଗାଙ୍କ ଜୀବନରେ ବାପାର ଖୁସି ନ ଥାଏ । ଆଉ ଏହି ସ୍ଥାନ ସେହିପରି ଖାଲି ରହିଥାଏ। ନା ଆକଟ କରିବାକୁ କେହି ଥାଏ, ନା ମନଲାଖି ଚକୋଲେଟ୍ କିଣି ଦେବାକୁ କାହା ପାଖରେ ଅଳି କରି ହୁଏ । ଜୀବନରେ ଏହି ଦୁଃଖ ସେହିପରି ରହିଥାଏ । ମଣିଷ ଜୀବନରେ ଯେତେ ସମ୍ପର୍କ ଯୋଡି ହେଲେ ମଧ୍ୟ ବାପା ଭଳି ସମ୍ପର୍କ କାହା ସହିତ ଯୋଡି ହୋଇ ପାରି ନଥାଏ। କାରଣ 'papa always best, no one can replace' ।
ମନର ଉଦାସପଣକୁ ବୁଝୁଥିବା ମଣିଷଟିଏ, ନିଜେ ଭୋକରେ ରହି ପିଲାର ପାଟିକୁ ଖାଇବା ଦେଉଥିବା ମଣିଷଟିଏ, ପ୍ରତ୍ୟେକ ଅଳି ଅର୍ଦ୍ଦଳିକୁ ସହୁଥିବା ବ୍ୟକ୍ତିଟିଏ, ଭୁଲ ହେଲେ ଗାଳି ନ ଦେଇ ଯେ ଆକଟ କରୁଥାଏ, ଦେହ ଖରାପ ହେଲେ ଯିଏ ରାତି ରାତି ମୁଣ୍ଡ ପାଖରେ ବସି ପାଣି ପଟି ପକାଉଥାଏ, ପିଲାର ଭବିଷ୍ୟତ ପାଇଁ ଯିଏ ନିଜର ସବୁକିଛି ବନ୍ଧା ପକାଇ ଦେଇଥାଏ, ନିଜେ ଚିରା ଜାମା ପିନ୍ଧି ପର୍ବ ପର୍ବାଣୀରେ ଯିଏ ନୂଆ ପୋଷାକ କିଣି ଦେଇଥାଏ....ସେ ହେଉଛନ୍ତି ଆମ ବାପା । ଆମ ସମସ୍ତଙ୍କ ପାଇଁ ମହାନ ମଣିଷଟିଏ ।
ବାପାକୁ କେବେ ହେଲେ ମଧ୍ୟ ହତାଦର କରିବା ଉଚିତ୍ ନୁହେଁ । କେବେ ତାଙ୍କ ଆଖିରେ ଲୁହ ଦେବା ଉଚିତ୍ ନୁହେଁ। ବୁଢା ହେଲା ପରେ ତାଙ୍କ ହାତ ନ ଛାଡି ଦେଇ ତାଙ୍କର ସେବା-ଶ୍ରୁଶ୍ରୁଷା କରିବା ଉଚିତ୍। କାରଣ ବାପା ଭଳି ମଣିଷଟିଏ ହଜିଗଲେ, ଆଉ ମିଳେନା । ତାଙ୍କ ଜାଗା କେହି ନେଇ ପାରନ୍ତି ନାହିଁ । ତେଣୁ ଆସନ୍ତୁନା ଆଜି ଆମେ ସମସ୍ତେ ପ୍ରତିଜ୍ଞା କରିବା, ବାପାଙ୍କ ଆଖିରେ କେବେ ବି ଲୁହ ଦେବାନି । ଆମ ପ୍ରତି ଗ୍ରହଣ କରିଥିବା ସମସ୍ତ ନିଷ୍ପତ୍ତିକୁ ନ ଏଡାଇ ମାନିଯିବା ଉଚିତ୍ । କାରଣ ବାପାଙ୍କୁ ହେୟଜ୍ଞାନ କଲେ ଈଶ୍ବର ଆମକୁ କେବେ ମଧ୍ୟ କ୍ଷମା କରିବେ ନାହିଁ ।
'ଇଟିଭି ଭାରତ' ପରିବାର ପକ୍ଷରୁ ଅଗଣିତ ପାଠକ ଓ ପାଠିକାଙ୍କୁ ବିଶ୍ବ ପିତୃ ଦିବସର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ