ନୂଆଦିଲ୍ଲୀ: ମଣିପୁରରେ ଜାରି ରହିଥିବା ହିଂସା ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଏକ ଭିଡିଓ ଜାରି କରି ସୋନିଆ ହିଂସାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଜନକୁ ସମବେଦନ ଜଣାଣବା ସହ ସେ ଶାନ୍ତି ଫେରାଇ ଆଣିବା ପାଇଁ ମଣିପୁରବାସୀଙ୍କୁ ନିବେଦନ ମଧ୍ୟ କରିଛନ୍ତି । ସୋନିଆ କହିଛନ୍ତି, ଏହି ଅଦ୍ଭୂତପୂର୍ବ ହିଂସା କେବଳ ମଣିପୁର ନୁହେଁ ବରଂ ଦେଶର ଅନ୍ତରାତ୍ମାକୁ ଗଭୀର ଆଘାତ ପହଞ୍ଚାଇଛି । ଲେକେ ଜୀବନ ରକ୍ଷା କରିବା ପାଇଁ ନିଜ ଘରୁ ପଳାୟନ କରିବା ପାଇଁ ବାଧ୍ୟ ହେଉଛନ୍ତି । ଏହା ଏକ ଅତି ଯନ୍ତ୍ରଣାଦାୟକ ସ୍ଥିତି ।
କଂଗ୍ରେସ ପୂର୍ବ ଅଧ୍ୟକ୍ଷା ତଥା ଦଳର ସଂସଦୀୟ ଦଳ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆଜି ଏହି ପ୍ରସଙ୍ଗରେ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । କହିଛନ୍ତି, ‘‘ମଣିପୁରରେ ଦୀର୍ଘ ପ୍ରାୟ 50 ଦିନ ଧରି ହିଂସାର ସାମ୍ନା କରୁଛି । ଏହି ହିଂସା ରାଜ୍ୟରେ ହଜାର ହଜାର ଲୋକଙ୍କ ଜୀବନକୁ ପ୍ରଭାବିତ କରିଛି । ଅନେକ ଲୋକଙ୍କୁ ଏକା କରିଦେଇଛି । ଏହି ହିଂସାରେ ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି ମୁଁ ସେମାନଙ୍କୁ ସମବେଦନା ଜଣାଉଛି । ଜଣେ ମା’ ଭାବରେ ମୁଁ ଆପଣଙ୍କ ଯନ୍ତ୍ରଣା ଅନୁଭବ କରିପାରୁଛି । ମଣିପୁରର ଇତିହାସ ଏହାର ସମସ୍ତ ଜାତି, ଧର୍ମ ଏବଂ ବର୍ଗର ଲୋକଙ୍କୁ ଗ୍ରହଣ କରିବାର କ୍ଷମତା ଏବଂ ବିବିଧ ସମାଜର ସମ୍ଭାବନାକୁ ପ୍ରମାଣ କରୁଛି । ରାଜ୍ୟବାସୀ ଶାନ୍ତି ଫେରାଇ ଆଣିବାକୁ ପ୍ରୟାସ କରନ୍ତୁ । ନିକଟ କିଛି ସପ୍ତାହ ମଧ୍ୟରେ ଶାନ୍ତି ଫେରିବା ନେଇ ଆମେ ପ୍ରୟାସ କରିବା ଉଚିତ । ’’
ଗତମାସ (ମେ’) 3 ତାରିଖରୁ ଉତ୍ତର ପୂର୍ବ ପାହାଡି ରାଜ୍ୟ ମଣିପୁର ଆରମ୍ଭ ହୋଇଥିବା ହିଂସା ଏବେ ମଧ୍ୟ ଜାରି ରହିଛି । କେନ୍ଦ୍ର ଓ ରଜ୍ୟ ସରକାରଙ୍କ ତମାମ ପ୍ରୟାସ ସତ୍ତ୍ବେ ମଧ୍ୟ ହିଂସା ନିୟନ୍ତ୍ରଣକୁ ଆସିପାରିନାହିଁ । ରାଜ୍ୟରେ ଏବେ ସେନା, କେନ୍ଦ୍ରୀୟ ଫୋର୍ସ, ରାପିଡ ଆକ୍ସନ ଫୋର୍ସ ମୁତୟନ ରହିଛନ୍ତି । ହେଲେ ବିଭିନ୍ନ ସ୍ଥାନରେ ହିଂସା ଜାରି ରହିଛି । ସେନା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ ମଧ୍ୟ ରାଜଧାନୀ ଇମ୍ଫାଲ ସମେତ ଅନେକ ସ୍ଥାନର କ୍ରମାଗତ ପରସ୍ପର ଉପରେ ଆକ୍ରମଣ କରିବାରେ ଲାଗିଛନ୍ତି ଉଭୟ ବିରୋଧୀ ସମ୍ପ୍ରଦାୟ । ଏବେ ସୁଦ୍ଧା ପ୍ରାୟ ଶତାଧିକ ସାଧାରଣ ଲୋକଙ୍କ ପ୍ରାଣହନୀ ଘଟିସାରିଲାଣି ।
ଶାନ୍ତି ଆଲୋଚନା, ଫୋର୍ସ ମୁତୟନ ପରେ ମଧ୍ୟ ହିଂସା ନିୟନ୍ତ୍ରଣକୁ ନଆସିବା ଫଳରେ ଏବେ ରାଜ୍ୟରେ 25 ତାରିଖ ଯାଏ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି । ରାଜ୍ୟର ଶାନ୍ତି ନିଶ୍ଚିତ କରିବା ପାଇଁ ରାଜ୍ୟପାଳଙ୍କ ନେତୃତ୍ବରେ କେନ୍ଦ୍ର ସରକାର ଏକ ସର୍ବସମ୍ପ୍ରଦାୟ ଶାନ୍ତି କମିଟି ମଧ୍ୟ ଗଠନ କରିଛନ୍ତି । ହେଲେ ଏହି କମିଟି ନିଜ ଉଦ୍ଦେଶ୍ୟରେ ସଫଳ ହୋଇପାରୁନାହିଁ । ଅନ୍ୟପଟେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନୀରବତା ନେଇ ମଧ୍ୟ ବିରୋଧୀ କ୍ରମାଗତ ପ୍ରଶ୍ନ କରିବାରେ ଲାଗିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ