ବେଙ୍ଗାଲୁରୁ: ସୈତାନ ସାଜିଲା ସନ୍ତାନ । ଜନ୍ମ କଲା ବାପାକୁ ହତ୍ୟା କରି ଟିକ୍ ଟିକ୍ କରିଦେଲା । ଦିଲ୍ଲୀରେ ଶ୍ରଦ୍ଧାଙ୍କୁ ତାଙ୍କର ଲିଭ୍ ଇନ୍ ପାର୍ଟନର ହତ୍ୟା ପରେ ୩୫ କରିବା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଥିବା ବେଳେ କର୍ଣ୍ଣାଟକର ବାଗଲକୋଟରେ ଏହାର ପୁନରାବୃତ୍ତି ଦେଖିବାକୁ ମିଳିଛି । ପୁଅ ନିଜ ବାପାକୁ ହତ୍ୟା କରିବା ପରେ ଟାଙ୍ଗିଆରେ ହାଣି ୩୦ ଖଣ୍ଡ କରିଛି(Son chopped father into more than 30 pieces) । ଏହାପରେ ଖଣ୍ଡ ବିଖଣ୍ଡିତ ମୃତଦେହକୁ ନେଇ ନିଜ ଚାଷଜମିରେ ଥିବା କୂଅରେ ଫିଙ୍ଗିଦେଇଛି ।
ଯାହା ସୂଚନା ମିଳିଛି, ମୃତକ ବାଗଲକୋଟ ଜିଲ୍ଲା ମୁଧୋଲା ନିବାସୀ ୫୪ ବର୍ଷୀୟ ପର୍ଶୁରାମ କୁଆଲି । ପର୍ଶୁରାମ ମଦ ପିଇ ପ୍ରତିଦିନ ପୁଅ ସହ ଝଗଡା କରୁଥିବାରୁ ଏଥିରେ ଅତିଷ୍ଟ ହୋଇ ଯୁବକ ଏପରି ନୃଶଂସ କାଣ୍ଡ ଘଟାଇଛି । ପୋଲିସର ସୂଚନା ମୁତାବକ, ପର୍ଶୁରାମ ମଦ ପିଇ ଘରକୁ ଆସିବା ପରେ ପୁଅ ବିଠଲ କୁଲାଲିକୁ ଖରାପ ଭାଷାରେ ଗାଳିଗୁଲଜ କରୁଥିଲେ । ଏପରିକି ଅନେକ ସମୟରେ ସେ ନିଶାସକ୍ତ ଅବସ୍ଥାରେ ଆକ୍ରମଣ ମଧ୍ୟ କରିଥିଲେ ।
ଗତ ଡିସେମ୍ବର ୬ ତାରିଖ ଦିନ ମଧ୍ୟ ବାପପୁଅ ମଧ୍ୟରେ ଝଗଡା ହୋଇଥିଲା । ଏଥିରେ ଉତ୍ୟକ୍ତ ହୋଇ ପୁଅ ଏକ ଲୁହା ରଡ୍ ସାହାଯ୍ୟରେ ପର୍ଶୁରାମଙ୍କୁ ମାଡ ଦେଇଥିଲା । ଯାହାଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଏହାପରେ ଅଭିଯୁକ୍ତ ବାପାର ମୃତଦେହ ନିଜ ଚାଷଜମିରେ ଥିବା କୂଅରେ ଫିଙ୍ଗିବାକୁ ନେଇଥିଲା । ମାତ୍ର ମୃତଦେହ ବୋରୱେଲ ନ ପଶିବାରୁ ସେ ଏକ ଟାଙ୍ଗିଆରେ ଏହାକୁ କାଟି ୩୦ ଖଣ୍ଡ କରିଦେଇଥିଲା ଓ କୂଅରେ ଫିଙ୍ଗିଥିଲା ।
କିଛି ଦିନ ପରେ କୂଅରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ଏ ସମ୍ପର୍କରେ ପୋଲିସକୁ ଖବର ଦେଇଥିଲେ । ପୋଲିସର ତଦନ୍ତ ପରେ ପୁଅର ଏହି ଜଘନ୍ୟ କାଣ୍ଡ ଉପରୁ ପରଦା ହଟିଥିଲା । ପୋଲିସ ଜେସିବି ଯୋଗେ କୂଅରୁ ଶରୀରର ବିଭିନ୍ନ ଅଂଶ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହିତ ଅଭିଯୁକ୍ତକୁ ଗିରଫ କରାଯାଇ ଅଧିକ ତଦନ୍ତ କରାଯାଉଛି ।