ପୁଣେ: ଅଗ୍ନିକାଣ୍ଡ ଘଟଣାରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ବ୍ୟାପକ କ୍ଷୟକ୍ଷତି ନେଇ ସୂଚନା ମିଳିଛି । ତେବେ ଅଗ୍ନିକାଣ୍ଡ ପରେ ଶୁକ୍ରବାର ସେରମ ଇନଷ୍ଟିଚ୍ୟୁଟ ଗସ୍ତ କରିଥିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଓ ତାଙ୍କ ପୁଅ ଆଦିତ୍ୟ ଠାକରେ । ଏହି ସମୟରେ ସେରମ ପ୍ରତିଷ୍ଠାନର ସିଇଓ ଅଦାର ପୁନାୱାଲା ଉପସ୍ଥିତ ଥିଲେ ।
ସେରମ ଇନଷ୍ଟିଚ୍ୟୁଟର ମଞ୍ଜରୀ କେନ୍ଦ୍ର ପରିଦର୍ଶନ କରିଛନ୍ତି ଠାକରେ । ଏହିଠାରେ ହିଁ କୋରୋନା ଭ୍ୟାକ୍ସିନ କୋଭିସିଲ୍ଡ ଟିକା ପ୍ରସ୍ତୁତ କରାଯାଉଛି । ତେବେ ଏହି ଗସ୍ତ ସମୟର ଫଟୋ ସେୟାର କରି ପୁନାୱାଲା ଲେଖିଛନ୍ତି, କୋଭିସିଲ୍ଡର ଉତ୍ପାଦନ ନିର୍ଦ୍ଧାରିତ ସମୟାନୁଯାୟୀ ଜାରି ରହିଛି । ଏହି ଦୁର୍ଘଟଣାରେ ଏଠାରକେ କୌଣସି ପ୍ରଭାବ ପଡିନଥିବା ସେ ଲେଖିଛନ୍ତି ।
ସେପଟେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଅଦାର ପୁନାୱାଲା କହିଛନ୍ତି, ନିଆଁ ଲାଗିବା କାରଣରୁ କୋଭିଡ ଟିକା ଉତ୍ପାଦନ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ହେଲେ ଏହି ଅଗ୍ନିକାଣ୍ଡରେ ପାଖାପାଖି 1000 କୋଟିରୁ ଉର୍ଦ୍ଧ୍ବ ଟଙ୍କାର କ୍ଷୟକ୍ଷତି ହୋଇଛି । ହେଲେ ସୌଭାଗ୍ୟବସତଃ କୋଭିସିଲ୍ଡର ବର୍ତ୍ତମାନ ଷ୍ଟକକୁ କୌଣସି କ୍ଷତି ପହଞ୍ଚିନାହିଁ ।
ଏହି ଘଟଣାରେ ଗୁରୁବାର ମହାରାଷ୍ଟ୍ର ସରକାର ଯାଞ୍ଚର ଆଦେଶ ଦେଇସାରିଛନ୍ତି । ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଥିଲା । ଇନଷ୍ଟିଚ୍ୟୁଟର 1 ନମ୍ବର ଟର୍ମିଲାଲ ଗେଟରେ ଲାଗିଥିଲା ନିଆଁ । ଅଗ୍ନିକାଣ୍ଡର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ଦମକଳବାହିନୀର 10 ଗାଡି ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ପରେ 5 ଜଣଙ୍କର ମୃତ୍ୟୁ ହୋଇଥିବା ପୁଣେ ମେୟର ସ୍ପଷ୍ଟ କରିଥିଲେ ।